କରୋନା ପ୍ରଭାବ: ୧୨ ମିନିଟରେ ହେଲା ବାହାଘର
ନୂଆଦିଲ୍ଲୀ: ସାଧାରଣତଃ ୬-୭ଘଣ୍ଟା ହେଉଥିବା ହିନ୍ଦୁ ବିବାହ ମାତ୍ର ୧୨ ମିନିଟରେ ସମ୍ପନ୍ନ ହୋଇଛି। ମଙ୍ଗଳବାର ଭାରତ, ନେପାଳ ପ୍ରଶାସନର ସହମତିରେ ପିଥୌରାଗଡ଼ ବାସିନ୍ଦା କମଳେଶ ଚନ୍ଦ୍ରଙ୍କ ବରଯାତ୍ରୀ ନେପାଳର ଦାରଚୁଲା ଯିବାକୁ ବାହାରିଥିଲେ। ବରଯାତ୍ରୀରେ କେବଳ ବର ଏବଂ ତାଙ୍କ ବାପା ସମେତ ୨ଜଣ ବିବାହରେ ସାମିଲ ହୋଇଥିଲେ। ପ୍ରଶାସନର ସର୍ତ୍ତରେ ମାତ୍ର ୧୫ ମିନିଟ୍ ପାଇଁ ଝୁଲାପୋଲ ଖୋଲାଯାଇଥିଲା। ବର ଏବଂ ତାଙ୍କ ବାପା ଦାରଚୁଲା ସ୍ଥିତ କନିଆଁ ଘରକୁ ପହଞ୍ଚିଥିଲେ। ବିବାହରେ ହେଉଥିବା ଧାର୍ମିକ ଅନୁଷ୍ଠାନକୁ ଛାଡ଼ି କେବଳ ଫୁଲମାଳା ପକାଇ ବର କନିଆଁକୁ ନେଇ ଭାରତ ଫେରି ଆସିଥିଲା। ଝୁଲାପୋଲରେ ପହଞ୍ଚିବା ମାତ୍ରେ ସୀମାରେ ଥିବା ଯବାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଉଭୟ ନବ ଦମ୍ପତ୍ତି ବିବାହ ପାଇଁ ଅନୁମତି ମିଳିବା ପରେ ଭାରତ-ନେପାଳ ପ୍ରଶାସନର କୃତଜ୍ଞତା ଜଣାଇଥିଲେ। କରୋନା ଲୋକଙ୍କ ଜୀବନ ନୁହେଁ ବରଂ ଧାର୍ମିକ କାର୍ଯ୍ୟରେ ହେଉଥିବା ରୀତିନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ପିଥୌରାଗଡ଼ର କମଳେଶ ଚନ୍ଦ୍ର ଏବଂ ନେପାଳ ଦାରଚୁଲାର ରାଧିକା କେବେ ସ୍ବପ୍ନରେ ମଧ୍ୟ ଭାବିନଥିଲେ ଯେ ସେମାନେ ଏଭଳି ପରସ୍ପରର ହାତ ଧରିବେ। କମଳେଶ କହିଥିଲେ ଯେ ତାଙ୍କ ବିବାହ ଗତ ମାର୍ଚ୍ଚ ୨୨ତାରିଖରେ ହେବାକୁ ଥିଲା। ଦୁଇ ପରିବାର ବିବାହକୁ ସ୍ମରଣୀୟ କରିବା ପ୍ରସ୍ତୁତିରେ ଜୁଟି ଯାଇଥିଲେ। କିନ୍ତୁ କରୋନା ସଙ୍କଟ ତାଙ୍କର ଏହି ଇଚ୍ଛାକୁ ସାକାର କରିବାକୁ ଦେଇନଥିଲା। ଲକଡାଉନ୍ ଯୋଗୁଁ ତାଙ୍କ ବିବାହ ସ୍ଥଗିତ ରହିଥିଲା।