ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ଡ଼ି.ଆଇ.ଜି ନିକଟରେ ଦାବି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗତ ୧୮-୦୬-୨୦୨୦ ତାରିଖ ରାତ୍ର ଭୋର ୩ଟା ସମୟରେ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନାଙ୍କୁ ଗୋଳନ୍ଥରା ସ୍ଥିତ ତାଙ୍କ ବାସ ଭବନରେ ସେ ଘରେ ଥିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି କିଛି ଦୁର୍ବୃତ ମାନେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାକୁ ସ୍ଥାନୀୟ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରାଯାଇଛି । ଯାହାର ପୋଲିସ୍ ଷ୍ଟେସନ୍ କେସ୍ ନଂ ୧୯୧/ ୧୮-୦୭-୨୦୨୦ । ଇତି ମଧ୍ୟରେ ୫ଦିନ ବିତିଯାଇଥିଲେ ମଧ୍ୟ ଦୋଷୀ ମାନେ ପୋଲିସ୍ ହାତରେ ଧରାପଡିନାହାନ୍ତି । ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତିଙ୍କୁ ଯୋଜନାବଦ୍ଧ ଭାବେ ମାରିବାକୁ ଉଦ୍ୟମ ଘଟଣା ଦଳର ହଜାର ହଜାର କାର୍ଯ୍ୟକର୍ତାଙ୍କୁ ବ୍ୟଥିତ କରିଛି । ପ୍ରମୁଖ ବିରୋଧି ଦଳର ଜଣେ ବରିଷ୍ଠ ନେତାଙ୍କୁ ହତ୍ୟା ଉଦ୍ୟମ ପଛରେ ଏକ ପ୍ରକାର ବଡ ଷଡଯନ୍ତ୍ରର ଗନ୍ଧ ବାରିହୋଇ ପଡୁଛି, ଯାହାକୁ ସାଧାରଣ କାର୍ଯ୍ୟକର୍ତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏହି ଘଟଣା ରାଜନୈତିକ ମହଲରେ ଗୁରୁତ୍ୱପୂର୍ଣ୍ଣ ଆଲେଚ୍ୟ ବିଷୟ ହୋଇଥିବା ବେଳେ ଏଭଳି ଘଟଣାରେ ପୋଲିସ୍ ଅନୁସନ୍ଧାନ ସମୟ ସାପେକ୍ଷ ହେବା ସାଧାରଣ ମହଲରେ ସନ୍ଦେହ ସୃଷ୍ଟି କରୁଛି । ଏହି ଘଟଣାରେ ପୋଲିସ ତ୍ୱରିତ ପଦକ୍ଷେପ ନେଲେ ପୋଲିସ୍ର ଅନୁସନ୍ଧାନ ଉପରେ ଲୋକଙ୍କର ଆସ୍ଥା ପ୍ରକଟ ହୋଇପାରିବ ।ଦୋଷୀ ମାନେ ଆଇନ ହାତରେ ଧରା ନପଡିବା ପର୍ଯ୍ୟନ୍ତ ଜୀବନ ପ୍ରତି ବିପଦ ରହିଥିବାରୁ ଓ ସମୟ ବିତିବା ସହିତ ଦୋଷୀ ମାନେ ଆଇନ ହାତରୁ ଖସିଯିବାର ଭୟ ରହୁଥିବାରୁ, ପୋଲିସ୍ ପ୍ରଶାସନ ତୁରନ୍ତ ଏହି ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଭାଜପା ଗଂଜାମ ଜିଲ୍ଲା ଦାବୀ କରୁଛି , ଯଦି ପୋଲିସ୍ ଏହି ଘଟଣାର ଅନୁସନ୍ଧାନରେ ଅବହେଳା ପ୍ରଦର୍ଶନ କରେ ତେବେ ବିଜେପି ଗଂଜାମ ଜିଲ୍ଲା ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ।


