ମୃତ୍ୟୁ ପରେ ରିପୋର୍ଟ ପଜିଟିଭ,ସରକାର ଓ ସରକାରଙ୍କ ବ୍ୟବସ୍ଥା ଦାୟୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବିଶ୍ବବ୍ୟାପୀ କୋରୋନାର କୋପ ଜାରି ରହିଛି । ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଅନେକ ସମୟରେ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ତ୍ରୁଟି ଲୋକଙ୍କ ପ୍ରାଣ ଛଡାଇ ନେଉଛି । ସଠିକ୍ ସମୟରେ ରୋଗ ଜଣାପଡୁନଥିବାରୁ ଉପଯୁକ୍ତ ଚିକିତ୍ସା ନପାଇ ଚାଲିଯାଉଛି ରୋଗୀଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ । ଅନ୍ତିମ ସଂସ୍କାର ପରେ ଜଣେ ବ୍ୟକ୍ତିଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ ଆସିଛି । ସୂଚନାନୁସାରେ, ଭଞ୍ଜନଗର ମହାନ୍ତି ସାହିର ବନ କର୍ମଚାରୀ ବସନ୍ତ କୁମାର ମହାନ୍ତି ଉ. ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ଥିଲେ । ଗତ ଜୁଲାଇ ୪ ତାରିଖରେ ସେ ଅସୁସ୍ଥ ହେବାରୁ ତାଙ୍କୁ ଗତ ୧୧ ତାରିଖରେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୧୨ ତାରିଖରେ ତାଙ୍କୁ କୋରୋନା ହୋଇଥିବା ସନ୍ଦେହ କରାଯାଇ କୋଭିଡ ଟେଷ୍ଟ କରାଯାଇଥିଲା । କିନ୍ତୁ ବସନ୍ତଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କର ସାଧାରଣ ଚିକିତ୍ସା ଆରମ୍ଭ ହୋଇଥିଲା । ଅନେକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଗତ ୧୮ ତାରିଖରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଯେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୧ ତାରିଖ ମଧ୍ୟରାତ୍ର ୧୨ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବସନ୍ତଙ୍କ ମୃତ୍ୟୁକୁ ପରିବାର ଲୋକେ ସ୍ବାଭାବିକ ମୃତ୍ୟୁ ଭାବି ମୃତଦେହକୁ ଭଞ୍ଜନଗର ଆଣି ପରିଜନ ଓ ସମ୍ପର୍କୀୟଙ୍କ ସହଯୋଗରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯେଉଁଥିରେ ୫୦ରୁ ଊର୍ଦ୍ଧ୍ବ ଲୋକେ ସାମିଲ ହୋଇଥିଲେ । କିନ୍ତୁ ଗତ ୨୨ ତାରିଖ ସନ୍ଧ୍ୟାରେ ବସନ୍ତଙ୍କ ପୁଅ ଦିଗନ୍ତଙ୍କୁ ହସ୍ପିଟାଲ ପକ୍ଷରୁ ଏକ ଫୋନ୍ ଆସିଥିଲା । ଉକ୍ତ ଫୋନ କଲ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସାଇଲା ପରି ଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।ବର୍ତ୍ତମାନ ବସନ୍ତଙ୍କ ମୃତ୍ୟୁ ହୋଇସାରିଛି, ଏପରିକି ଅନ୍ତିମ ସଂସ୍କାର ବି ସରିଛି । ଆଉ ଏଥିରେ ଅନେକ ଲୋକ ସାମିଲ ହୋଇ ତାଙ୍କ ପରିବାରଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ହସ୍ପିଟାଲ ପକ୍ଷରୁ ଆସିଥିବା ଫୋନ୍ କଲ ପରିବାର ଲୋକଙ୍କୁ ହତବାକ୍ କରିଥିଲା । ଆଉ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ କାର୍ଯ୍ୟ ଓ ସରକାରଙ୍କ ଏଭଳି ବ୍ୟବସ୍ଥା ଜଣେ ବ୍ୟକ୍ତିର ଜୀବନ ନେବା ସହ ଅନେକଙ୍କ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛି । ଆଉ ଏଥିପାଇଁ ସରକାର ଓ ସରକାରଙ୍କ ବ୍ୟବସ୍ଥା କେବଳ ଦାୟୀ ବୋଲି ମୃତ ବସନ୍ତଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ