କରୋନାର ହଟ୍‌ସ୍ପଟ୍‌ ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କରୋନାର ହଟ୍‌ସ୍ପଟ୍‌ ଗଞ୍ଜାମ ଜିଲ୍ଲାରେ ଗାଁ ଓ ପୌରାଞ୍ଚଳ କିଭଳି କରୋନାରେ ପ୍ରଭାବିତ ହୋଇଛି, ତାହାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲାରେ ଯେତିକି ଗାଁ ରହିଛି, ଏହାର ହାରାହାରି ୧୪ପ୍ରତିଶତ ରେଡ୍‍ ଜୋନରେ ରହିଛି। ଜିଲ୍ଲାରେ ସମୁଦାୟ ୩୧୯୫ ଗାଁ ଥିବା ବେଳେ ୪୪୨ ଗାଁ ପ୍ରଭାବିତ ହୋଇଛି। ସେହିପରି ୧୮ଟି ପୌରାଞ୍ଚଳର ୨୮୦ ୱାର୍ଡ ମଧ୍ୟରୁ ୧୭୪ ୱାର୍ଡରେ କରୋନା ବ୍ୟାପିଛି। ବ୍ରହ୍ମପୁର ମହାନଗର ନିଗମର ୪୦ରୁ ସମୁଦାୟ ୱାର୍ଡ କରୋନା କବ୍‌ଜାରେ ରହିଛି। ସମୁଦାୟ ୬୨ ପ୍ରତିଶତ ୱାର୍ଡ କୋରାନାରେ ପ୍ରଭାବିତ ହୋଇଛି।ଜିଲ୍ଲାର ୨୨ଟି ବ୍ଲକ୍‌ ଅଧୀନରେ ୩୧୯୫ ଗାଁରୁ ୪୪୨ଟି ଗାଁରେ କରୋନା ବ୍ୟାପିଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଛତ୍ରପୁର ବ୍ଲକ। ଏହି ବ୍ଲକରେ ଥିବା ୭୮ଟି ଗାଁ ମଧ୍ୟରୁ ୩୪ଟି ଗାଁରେ କରୋନା ବ୍ୟାପିଛି। ସେହିଭଳି ଆସିକାର ୩୮ଟି, ବେଗୁନିଆପଡ଼ାର ୨୪, ବେଲଗୁଣ୍ଠାର ୨୭, ଦିଗପହଣ୍ଡିର ୨୯, କବିସୂର୍ଯ୍ୟନଗରର ୨୭, କୁକୁଡ଼ାଖଣ୍ଡିର ୨୪, ପାତ୍ରପୁରର ୨୭, ସାନଖେମୁଣ୍ଡିର ୨୮ ଓ ଗଞ୍ଜାମ ବ୍ଲକର ୨୨ଟି ଗାଁରେ କରୋନା ବ୍ୟାପିଛି। ସବୁଠାରୁ କମ୍‍ ସୋରଡ଼ା ବ୍ଲକର ୯ଟି ଗାଁରେ କରୋନା କାୟା ବିସ୍ତାର କରିଥିବା ବେଳେ ଜଗନ୍ନାଥପ୍ରସାଦର ୬ ଓ ଖଲ୍ଲିକୋଟର ୯ଟି ଗାଁ ଏହି ତାଲିକାରେ ରହିଛି। ଜିଲ୍ଲାର ସମସ୍ତ ୨୨ଟି ବ୍ଲକରେ କରୋନା ପହଞ୍ଚି ଯାଇଛି।ଅପରପକ୍ଷରେ ଜିଲ୍ଲାର ଗ୍ରାମାଞ୍ଚଳ ତୁଳନାରେ ପୌରାଞ୍ଚଳ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସମୁଦାୟ ୨୮୦ଟି ୱାର୍ଡରୁ ୧୭୪ଟି ରେଡ୍‌ ଜୋନ୍‌ରେ ରହିଛି। ବ୍ରହ୍ମପୁର ମହାନଗର ନିଗମର ୧୦୦ ପ୍ରତିଶତ ଅଞ୍ଚଳ କରୋନା କବଳକୁ ଆସିଥିବା ବେଳେ ଦିଗପହଣ୍ଡି ଏନ୍‌ଏସି ଓ ସୋରଡ଼ା ଏନ୍ଏସିର ୯୧ପ୍ରତିଶତ ଅଞ୍ଚଳ କରୋନା କବଳିତ ହୋଇଛି। ଦିଗପହଣ୍ଡି ଓ ସୋରଡ଼ା ଏନ୍‌ଏସିର ମୋଟ ୧୧ଟି ୱାର୍ଡ ମଧ୍ୟରୁ ୧୦ଟି ଲେଖାଏଁ ୱାର୍ଡ ରେଡ୍‌-ଜୋନ୍‌ରେ ରହିଛି। ବେଲଗୁଣ୍ଠା ଏନ୍‌ଏସିର ୧୩ଟି ୱାର୍ଡ ମଧ୍ୟରୁ ୧୧ ଓ ଆସିକା ଏନ୍‌ଏସିର ୧୮ଟି ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡକୁ ରେଡ୍ ଜୋନ୍‌ ଘୋଷଣା କରାଯାଇଛି। ଗୋପାଳପୁର ଏନ୍‌ଏସିର ୧୧ଟି ୱାର୍ଡ ମଧ୍ୟରୁ ମାତ୍ର ଗୋଟିଏ ରେଡ୍‍ ଜୋନରେ ଥିବା ବେଳେ କୋଦଳା ଏନ୍‌ଏସିର ୧୩ଟି ୱାର୍ଡ ମଧ୍ୟରୁ ୨ଟି ୱାର୍ଡ ରେଡ୍‍ ଜୋନ ତାଲିକାରେ ସାମିଲ ହୋଇଛି। ସମୁଦାୟ ଭାବେ ଜିଲ୍ଲାର ୧୮ଟି ପୌରାଞ୍ଚଳରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସର୍ବାଧିକ ୭,୬୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସର୍ବାଧିକ ୭୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୫ ଜଣ ଲୋକ ଅଣ‌‌କୋଭିଡ୍‌ ମୃତ୍ୟୁର ଶିକାର ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ