ବୁଲା ବିକାଳୀଙ୍କୁ ଡିଜିଟାଲ କାରବାର ନେଇ ପ୍ରୋତ୍ସାହନ ଯୋଗାଇବା ପିଏମ-ସ୍ୱନିଧି ଯୋଜନା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପିଏମ-ସ୍ୱନିଧି ଯୋଜନାର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସୂଚନା ପ୍ରଦାନ କରାଯାଇଛି ଯେ, ଆବେଦନକାରୀଙ୍କ ଠାରୁ ମୋଟ ୨.୬ ଲକ୍ଷ ଆବେଦନପତ୍ର ମିଳିଛି ଏବଂ ସେଥିମଧ୍ୟରୁ ୬୪ ହଜାର ଆବେଦନକାରୀଙ୍କୁ ଋଣ ମଂଜୁର କରାଯାଇସାରିଛି ଏବଂ ୫,୫୦୦ରୁ ଅଧିକଙ୍କୁ ଏହି ଅର୍ଥ ପ୍ରଦାନ ସରିଛି । ଏହି ଯୋଜନାର ପ୍ରଗତିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଉଭୟ ପକ୍ଷଙ୍କୁ ସୁବିଧା ହେଲା ଭଳି ଆଇଟି ସଲ୍ୟୁସନ୍‌ ଏବଂ ଏକ ୱେବ୍‌ ପୋର୍ଟାଲ ଓ ମୋବାଇଲ୍‌ ଆପ୍‌ ଜରିଆରେ ଏହାକୁ ପ୍ରବର୍ତ୍ତନ ଓ ନିୟନ୍ତ୍ରଣ କରାଯାଉଛି ଯାହା ଫଳରେ ସ୍ୱଚ୍ଛତା, ଉତ୍ତର ଦାୟିତ୍ୱ ଏବଂ ବେଗକୁ ସୁନିଶ୍ଚିତ କରାଯାଇପାରୁଛି । ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂପୂର୍ଣ୍ଣ ଆଇଟି ସଲ୍ୟୁସନ ଏବଂ ମୋବାଇଲ୍‌ ଆପ୍ଲିକେଶନ ସହ କାର୍ଯ୍ୟ କରୁଛି ଏବଂ ନିରବଚ୍ଛିନ୍ନ ଭାବେ ଏହି ଯୋଜନାକୁ ପ୍ରବର୍ତ୍ତନ କରୁଛି । ଏହି ଯୋଜନା କେବଳ ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଡିଜିଟାଲ କାରବାରକୁ ବଢ଼ାଇବା ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ରାସ୍ତାକଡ଼ର ବୁଲା ବିକାଳୀମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଏହା ସେମାନଙ୍କର ସକଳ ପ୍ରକାର ବ୍ୟବସାୟିକ କାର୍ଯ୍ୟ ପାଇଁ ପ୍ରଯୁଜ୍ୟ ହେବ । ସେମାନେ କଞ୍ଚାମାଲ କ୍ରୟ କରିବା ଠାରୁ ନେଇ ସେମାନଙ୍କର ଦ୍ରବ୍ୟ ବିକ୍ରୟ କରିବା ନିମନ୍ତେ ସବୁ କାର୍ଯ୍ୟ ଡିଜିଟାଲ ଭାବେ କରାଯିବ । ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବା ସହ ତାଲିମ ପ୍ରଦାନ କରାଯିବ । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ତାହା ସେମାନଙ୍କର କ୍ରେଡ଼ିଟ୍‌ ପ୍ରୋଫାଇଲ୍‌କୁ ବୃଦ୍ଧି କରିବ ଏବଂ ବୁଲା ବିକାଳୀମାନେ ଭବିଷ୍ୟତରେ ସେମାନଙ୍କର ଆର୍ଥିକ ଚାହିଦା ପୂରଣ କରିପାରିବେ । ଏହି ଯୋଜନାକୁ କେବଳ ଋଣ ପ୍ରଦାନ ବ୍ୟବସ୍ଥାର ସଂପ୍ରସାରଣ ବୋଲି ହେତୁ କରାଯିବା ଅନୁଚିତ । ବରଂ ତାହା ସେମାନଙ୍କର ଆଉଟରିଚ୍‌କୁ ବ୍ୟାପକ କରିବ ଏବଂ ସେମାନଙ୍କର ସାମଗ୍ରିକ ଆର୍ଥିକ ବିକାଶ ପାଇଁ ସହାୟକ ହେବ । ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ ପୂର୍ବକ ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ସଂପର୍କରେ ମଧ୍ୟ ସରକାର ଜାଣିପାରିବେ ଓ ଏହାଦ୍ୱାରା ସେମାନଙ୍କ ଉନ୍ନତି ପାଇଁ ଅନ୍ୟାନ୍ୟ ନୀତି ନିୟମ ପ୍ରଣୟନ କରାଯାଇପାରିବ । ଏଭଳି ଡାଟା ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟଙ୍କ ପାଇଁ ମଧ୍ୟ ଉପକାରରେ ଆସିବ ଯାହାକି ଅନ୍ୟାନ୍ୟ ଯୋଜନା ପ୍ରବର୍ତ୍ତନ ଦିଗରେ ମଧ୍ୟ ସହାୟକ ହେବ । ସେଥି ମଧ୍ୟରେ ପିଏମଏୱାଇ-ୟୁ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳୁଥିବା ରନ୍ଧନ ଗ୍ୟାସ ଯୋଗାଣ, ସୌଭାଗ୍ୟ ଯୋଜନା ଅଧୀନରେ ମିଳୁଥିବା ବିଜୁଳି, ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସେବା ଏବଂ ଡ଼ିଏୱାଇ-ଏନୟୁଏଲଏମ ଅଧୀନରେ କୌଶଳ, ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ଆଦି ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଏହାର ପୃଷ୍ଠଭୂମି ହେଲା ଭାରତ ସରକାର ପିଏବ ସ୍ୱନିଧି ଯୋଜନାକୁ କୋଲାଟରାଲ ମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ବାବଦକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ଯାହାର ଅବଧି ଏକ ବର୍ଷ । ଏହା ଦ୍ୱାର ୫୦ ଲକ୍ଷ ରାସ୍ତାକଡ଼ର ବୁଲା ବିକାଳୀ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବାରେ ସହାୟକ ହୋଇଛି । ଏହି ବାବଦକୁ ବାର୍ଷିକ ୭% ସୁଧ ସବସିଡ଼ି ଏବଂ କ୍ୟାସ୍‌ ବ୍ୟାକ୍‌ ବାର୍ଷିକ ୧,୨୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି ଯାହା ସେମାନଙ୍କ ଠାରେ ଉତ୍ତର ଋଣ ଫେରସ୍ତ ସ୍ୱାଭାବ ଏବଂ ଡ଼ିଜିଟାଲ କାରବାର ପାଇଁ ଆଗ୍ରହ ସୃଷ୍ଟି କରୁଛି । ଏହି ସୁଧ ସବସିଡ଼ି ସଫଳ ଭାବେ କାର୍ଯ୍ୟକରିବା ଦ୍ୱାର ୧୦ହଜାର ଟଙ୍କାର ୨୪% ବାର୍ଷିକ ଋଣ ଉପରେ ୩୦% ପର୍ଯ୍ୟନ୍ତ ଋଣ ବୋଝ ଲାଘବ ହୋଇପାରୁଛି । ତେଣୁ, ପରିଣାମତଃ ବୁଲା ବିକାଳୀମାନଙ୍କୁ କୌଣସି ସୁଧ ଦେବାକୁ ପଡ଼ୁନାହିଁ ବରଂ ସେମାନେ ଉଚିତ ସମୟରେ ଋଣ ପରିଶୋଧ କଲେ ଋଣ ଟଙ୍କା ଉପରେ ସବସିଡ଼ି ପାଇପାରୁଛନ୍ତି ଏବଂ ଡ଼ିଜିଟାଲ କାରବାରରେ ସେମାନେ ସିଦ୍ଧହସ୍ତ ହୋଇପାରୁଛନ୍ତି । ଏହାଦ୍ୱାରା ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ଋଣ ପାଇବା ଏବଂ ସାମୟିକ ଋଣ ଫେରସ୍ତ ପାଇଁ ସହାୟକ ହେବ । ୨୦୨୦ ଜୁଲାଇ ୦୨ ଠାରୁ ଋଣ ପରିଶୋଧ ପ୍ରକ୍ରିୟା ଆଇଟି ପ୍ଲାଟଫର୍ମ “ପିଏମ ସ୍ୱନିଧି” ମାଧ୍ୟମରେ ଆରମ୍ଭ ହୋଇଛି ଏବଂ ଏଥିରେ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ୍‌ ସିଡ଼ବିର ସହାୟତା ନିଆଯାଇଛି । ଏହି ଯୋଜନାର ପ୍ରଶାସନିକ ପରିଚାଳନା ଦାୟିତ୍ୱ ଏହି ବ୍ୟାଙ୍କକୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ