ଆଇସିଏମ୍ଆର ପରୀକ୍ଷାଗାରରେ ୩ଟି ଉଚ୍ଚକ୍ଷମତା ବିଶିଷ୍ଟ କୋଭିଡ ପରୀକ୍ଷଣ ଉଦ୍ଘାଟନକଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, : ଦେଶର କୋଟି କୋଟି ନାଗରିକ ଅତି ସାହସର ସହିତ ବୈଶ୍ୱିକ ମହାମାରୀ ସହିତ ଲଢେଇ କରୁଛନ୍ତି । ଯେଉଁ ଉଚ୍ଚକ୍ଷମତା ବିଶିଷ୍ଟ କୋଭିଡ-୧୯ ପରୀକ୍ଷଣର ସୁବିଧାର ଶୁଭାରମ୍ଭ ହୋଇଛି ସେଥିରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶକୁ କରୋନା ବିରୋଧୀ ଲଢେଇରେ ଅଧିକ ଶକ୍ତି ମିଳିବ । ଦିଲ୍ଲୀ-ଏନସିଆର, ମୁମ୍ବାଇ ଏବଂ କୋଲକାତା ହେଉଛି ଆର୍ଥିକ କାର୍ଯ୍ୟକଳାପର ବଡ଼ କେନ୍ଦ୍ର । ଏଠାରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଜର କ୍ୟାରିୟରକୁ, ସ୍ୱପ୍ନକୁ ପୂରଣ କରିବାକୁ ଆସନ୍ତି । ଏବେ ଏହି ତିନୋଟି ସ୍ଥାନରେ ପରୀକ୍ଷଣର ଯେଉଁ କ୍ଷମତା ଉପଲବ୍ଧ ଅଛି, ସେଥିରେ ଅଧିକ ୧୦ହଜାର ପରୀକ୍ଷଣର କ୍ଷମତା ଯୋଡିହେବାକୁ ଯାଉଛି । ଏବେ ଏହି ସହରଗୁଡିକରେ ଅଧିକ ପରୀକ୍ଷା ଶୀଘ୍ର ହୋଇପାରିବ । ଗୋଟିଏ ଉତ୍ତମ କଥା ହେଉଛି ଏହି ଉଚ୍ଚକ୍ଷମତା ବିଶିଷ୍ଟ ପରୀକ୍ଷାଗାରଗୁଡ଼ିକ କେବଳ କରୋନା ପରୀକ୍ଷଣରେ ସୀମିତ ରହିବ ନାହିଁ । ଭବିଷ୍ୟତରେ ହେପାଟାଇଟିସ୍ ବି ଏବଂ ସି, ଏଚ୍ଆଇଭି, ଡେଙ୍ଗୁ ଭଳି ଅନେକ ରୋଗର ପରୀକ୍ଷା ପାଇଁ ଏହି ପରୀକ୍ଷାଗାର ଗୁଡିକରେ ମଧ୍ୟ ସୁବିଧା ଉପଲବ୍ଧ କରାଯିବ । ଏହି ବ୍ୟବସ୍ଥାଗୁଡିକ ପ୍ରସ୍ତୁତ କରିବା ପାଇଁ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ- ଆଇସିଏମ୍ଆର୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଜଡିତ ସାଥୀମାନଙ୍କୁ ମଧ୍ୟ ବହୁତ ଅଭିନନ୍ଦନ । ଦେଶରେ ଯେଉଁଭଳି ଭାବେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଆଗଲା, ଆଜି ଏହାର ପରିଣାମ ହେଉଛି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ସ୍ଥିତି ଅଧିକ ନିୟନ୍ତ୍ରଣାଧୀନ ଅଛି । ଦେଶରେ କରୋନାରୁ ହେଉଥିବା ମୃତ୍ୟୁ, ବଡ଼ ବଡ଼ ଦେଶ ତୁଳନାରେ ବହୁତ କମ୍ ଅଛି । ସେହିପରି ଆମର ଏଠାରେ ଆରୋଗ୍ୟ ହାର ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ ଅଛି ଏବଂ ଦିନକୁ ଦିନ ଏଥିରେ ଅଧିକ ବୃଦ୍ଧି ଘଟୁଛି । ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷରେ ପହଞ୍ଚିବାକୁ ଯାଉଛି । କରୋନା ବିରୋଧରେ ଏହି ବଡ଼ ଏବଂ ଦୀର୍ଘ ଲଢେଇ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦେଶରେ ଦ୍ରୁତ ଗତିରେ ନିର୍ଦ୍ଦିଷ୍ଟ କରୋନା ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ହେବା । ଏହି କାରଣରୁ, ପ୍ରାରମ୍ଭରେ ହିଁ କେନ୍ଦ୍ର ସରକାର ୧୫ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏକାନ୍ତବାସ କେନ୍ଦ୍ର ହେଉ, ସ୍ଵତନ୍ତ୍ର କୋଭିଡ ହସପିଟାଲ ହେଉ, ପରୀକ୍ଷଣ, ଅନୁସନ୍ଧାନ ଏବଂ ଚିହ୍ନଟ ସହିତ ଜଡିତ ନେଟୱାର୍କ ହେଉ, ଭାରତ ବହୁତ ଦ୍ରୁତ ଗତିରେ ନିଜ କ୍ଷମତାକୁ ସମ୍ପ୍ରସାରିତ କଲା । ଆଜି ଭାରତରେ ୧୧ହଜାରରୁ ଅଧିକ କୋଭିଡ ସୁବିଧା କେନ୍ଦ୍ର ଅଛି, ୧୧ଲକ୍ଷରୁ ଅଧିକ ଏକାନ୍ତବାସ ଶଯ୍ୟା ଅଛି । ଜାନୁଆରୀରେ, ଆମ ପାଖରେ କରୋନା ପରୀକ୍ଷା ପାଇଁ ଯେତେବେଳେ ଗୋଟିଏ କେନ୍ଦ୍ର ଥିଲା, ଆଜି ସାରା ଦେଶରେ ପ୍ରାୟ ୧୩୦୦ ପରୀକ୍ଷାଗାର କାର୍ଯ୍ୟ କରୁଛି । ଭାରତରେ ପ୍ରତିଦିନ ୫ଲକ୍ଷରୁ ଅଧିକ ପରୀକ୍ଷା ହେଉଛି । ଆଗାମୀ ସପ୍ତାହରେ, ଏହାକୁ ଦୈନିକ ୧୦ଲକ୍ଷ କରିବାକୁ ପ୍ରୟାସ କରାଯାଉଛି । କରୋନା ମହାମାରୀ ସମୟରେ ସମସ୍ତେ କେବଳ ଗୋଟିଏ ମାତ୍ର ସଂକଳ୍ପ ସହିତ ଯୋଡି ହୋଇଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କୁ ବଞ୍ଚାଇବାକୁ ପଡିବ । ସଂକଳ୍ପ ଭାରତକୁ ଆଶ୍ଚର୍ଯ୍ୟଜନକ ପରିଣାମ ଦେଇଛି । ବିଶେଷକରି ପିପିଇ, ମାସ୍କ ଏବଂ ଯାଞ୍ଚ କିଟ୍ ବିଷୟରେ ଭାରତ ଯାହା କରିଛି, ତାହା ହେଉଛି ଏକ ବଡ଼ ସଫଳତାର କାହାଣୀ । ଗୋଟିଏ ସମୟରେ ଭାରତରେ ଗୋଟିଏ ମଧ୍ୟ ପିପିଇ କିଟ୍ ପ୍ରସ୍ତୁତ ହେଉ ନଥିଲା । ଭାରତ ହେଉଛି, ବିଶ୍ୱର ଦ୍ୱିତୀୟ ସର୍ବ ବୃହତ ପିପିଇ କିଟ୍ ଉତ୍ପାଦନକାରୀ ରାଷ୍ଟ୍ର । ଠିକ୍ ୬ମାସ ପୂର୍ବରୁ ଦେଶରେ ଗୋଟିଏ ହେଲେ ପିପିଇ କିଟ୍ ଉତ୍ପାଦନ ହେଉ ନଥିଲା । ଆଜି ୧୨୦୦ରୁ ଅଧିକ ନିର୍ମାତା ପ୍ରତିଦିନ ୫ଲକ୍ଷରୁ ଅଧିକ ପିପିଇ କିଟ୍ ଉତ୍ପାଦନ କରୁଛନ୍ତି । ଗୋଟିଏ ସମୟରେ ଭାରତ ଏନ-୯୫ ମାସ୍କ ମଧ୍ୟ ବାହାରୁ ମଗାଉଥିଲା । ଆଜି ଭାରତରେ ପ୍ରତିଦିନ ୩ଲକ୍ଷରୁ ଅଧିକ ଏନ-୯୫ମାସ୍କ ତିଆରି କରାଯାଉଛି । ସମୟ ଥିଲା ଯେତେବେଳେ ଭେଣ୍ଟିଲେଟର ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । ଭାରତରେ ୩ଲକ୍ଷ ଭେଣ୍ଟିଲେଟର ନିର୍ମାଣ ପାଇଁ ଉତ୍ପାଦନ କ୍ଷମତା ବିକଶିତ କରାଯାଇଛି । ଏହି ଅବଧି ମଧ୍ୟରେ ମେଡିକାଲ ଅମ୍ଳଜାନ ସିଲିଣ୍ଡର ଉତ୍ପାଦନରେ ମଧ୍ୟ ବହୁତ ବୃଦ୍ଧି ହୋଇଛି । ସମସ୍ତଙ୍କର ଏହି ସାମୁହିକ ପ୍ରୟାସ ଯୋଗୁଁ ଆଜି ନା କେବଳ ଲୋକଙ୍କ ଜୀବନ ବଞ୍ଚୁଛି, ବରଂ ଆମେ ଯେଉଁ ଜିନିଷ ଆମଦାନୀ କରୁଥିଲୁ, ବର୍ତ୍ତମାନ ଦେଶ ସେଗୁଡିକର ରପ୍ତାନିକାରୀ ହେବାକୁ ଯାଉଛି । ଏତେ କମ୍ ସମୟ ମଧ୍ୟରେ ଏତେ ବଡ଼ ଓ ବିଶାଳ ଭିତ୍ତିଭୂମି ନିର୍ମାଣ କରିବା, କେତେ ବଡ଼ ଆହ୍ଵାନ ଥିଲ, ତାହା ସହିତ ମଧ୍ୟ ଆପଣ ପରିଚିତ । ଅନ୍ୟ ଏକ ପ୍ରମୁଖ ଆହ୍ଵାନ ଥିଲା, କରୋନା ବିରୋଧୀ ଲଢେଇ ପାଇଁ ଦେଶରେ ମାନବ ସମ୍ବଳ ପ୍ରସ୍ତୁତ କରିବା । ଆମର ପାରାମେଡିକାଲ, ଅଶା କର୍ମୀ, ଏଏନ୍ଏମ୍, ଅଙ୍ଗନୱାଡି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଏବଂ ସାଧାରଣ କର୍ମୀଙ୍କୁ ତାଲିମ ଦିଆଗଲା, ତାହା ମଧ୍ୟ ହେଉଛି ଅଭୂତପୂର୍ବ । ଆଜି ଯଦି କରୋନା ସହିତ ଭାରତର ଲଢେଇକୁ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହେଉଛି, ବଡ଼ ବଡ଼ ଆଶଙ୍କା ଭୁଲ ପ୍ରମାଣିତ ହେଉଛି, ତେବେ ଏହାର ମଧ୍ୟ ଏକ ବଡ଼ କାରଣ ହେଉଛି ଆମର ଆଗଧାଡିର କରୋନା ସୈନିକମାନଙ୍କ ପାଇଁ । କରୋନା ବିରୋଧରେ ଲଢେଇରେ, ଆମେ ଆଜି ଏପରି ସ୍ଥିତିରେ ପହଞ୍ଚିଛୁ, ଯେଉଁଠାରେ ଆମ ପାଖରେ ସଚେତନତାର ଅଭାବ ନାହିଁ, ବୈଜ୍ଞାନିକ ତଥ୍ୟ ସମ୍ପ୍ରସାରିତ ହେଉଛି ଏବଂ ସଂସାଧନ ମଧ୍ୟ ବୃଦ୍ଧି ପାଉଛି । ଏବେ ଆମକୁ ରାଜ୍ୟ ସ୍ତରରେ, ଜିଲ୍ଲା-ବ୍ଲକ ଏବଂ ଗ୍ରାମ ସ୍ତରରେ ଚାହିଦା ଏବଂ ଯୋଗାଣର ପରିଚାଳନାକୁ ଆହୁରି ସୁଦୃଢ କରିବାକୁ ପଡ଼ିବ। ମିଳିତ ଭାବରେ ଆମକୁ ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡିବ, ଆମ ପାଖରେ ଗାଁ-ଗାଁରେ ଯେଉଁ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଛି, ପ୍ରତ୍ୟେକ ଗ୍ରାମରେ, କ୍ଲିନିକ ଅଛି ସେଗୁଡିକୁ ଅଧିକ କ୍ରିୟାଶୀଳ କରିବାର ଅଛି । ଆମକୁ ଏହା ମଧ୍ୟ ଏଥିପାଇଁ କରିବାକୁ ହେବ ଯାହା ଦ୍ୱାରା ଆମ ଗ୍ରାମାଞ୍ଚଳରେ କରୋନା ବିରୋଧରେ ଲଢେଇ ଦୁର୍ବଳ ହୋଇ ନ ଯାଉ । ଏପର୍ଯ୍ୟନ୍ତ ଗ୍ରାମଗୁଡିକ ଏଥିରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଆମକୁ ଧ୍ୟାନ ରଖିବାକୁ ହେବ ଯେ ଆମର କରୋନା ଯୋଦ୍ଧା କୌଣସି ପ୍ରକାରର ଥକ୍କାପଣର ଶିକାର ନ ହୁଅନ୍ତୁ । ଆମକୁ ନୂଆ ଏବଂ ଅବସରପ୍ରାପ୍ତ ପେସାଦାରମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ଯୋଡିବା ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ କରିବାକୁ ପଡିବ। ଆଗାମୀ ସମୟରେ ଅନେକ ପର୍ବ ଆସିବାକୁ ଯାଉଛି । ଆମର ଏହି ଉତ୍ସବ, ଉଲ୍ଲାସର କାରଣ ହେଉ, ଲୋକମାନଙ୍କ ମଧ୍ୟରେ ସଂକ୍ରମଣ ନ ବ୍ୟାପୁ ଏଥିପାଇଁ ଆମକୁ ସତର୍କ ରହିବାର ଅଛି । ଆମକୁ ଏହା ମଧ୍ୟ ଦେଖିବାକୁ ହେବ ଯେ ଏହି ଉତ୍ସବ ସମୟରେ ଗରିବ ପରିବାରରେ କୌଣସି ଅସୁବିଧା ନ ହେଉ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ପ୍ରତ୍ୟେକ ଗରିବ ପରିବାର ପର୍ଯ୍ୟନ୍ତ ଠିକ୍ ସମୟରେ ପହଞ୍ଚୁ, ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ। ଆମ ଦେଶର ପ୍ରତିଭାବାନ ବୈଜ୍ଞାନିକମାନେ କରୋନା ଟିକା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଯେପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ଔଷଧ କିମ୍ବା ଟିକା ପ୍ରସ୍ତୁତ ନହୋଇଛି, ସେ ପର୍ଯ୍ୟନ୍ତ, ମାସ୍କ, ଦୁଇ ଗଜର ଦୂରତା, ହ୍ୟାଣ୍ଡ ସାନିଟାଇଜେସନ୍ ହିଁ ଆମର ବିକଳ୍ପ । ଆମକୁ ନିଜେ ବଞ୍ଚିବାକୁ ପଡିବ ଏବଂ ଆମ ପରିବାର ଛୋଟ-ବଡ଼ ଏବଂ ବୟସ୍କ ସମସ୍ତ ପରିଜନଙ୍କୁ ମଧ୍ୟ ବଞ୍ଚାଇବାର ଅଛି ।