ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ଶିକ୍ଷକ ମୁକ୍ତିକାନ୍ତ
ଧାମନଗର (ଓ୍ବାଇଏନଏସ): ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଗଜପତି ଜିଲ୍ଲାଠାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଆରଉଦୟଗିରି ବ୍ଲକ ଅନ୍ତର୍ଗତ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଚେକ୍ ସହିତ “ପ୍ରକୃତି ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଛି। ବନ୍ତ ଅଞ୍ଚଳର ଶିକ୍ଷକ ଗଜପତି ଜିଲ୍ଲାରେ ଏହି ପୁରସ୍କାର ଓ ସମ୍ମାନିତ ହୋଇ ଭଦ୍ରକ ଜିଲ୍ଲାର ଗୌରବ ଆଣିଥିବାରୁ ଶୁଭେଚ୍ଛାର ଶୂଅ ଛୁଟି ଥିବା ବେଳେ ନିଜ ଅଞ୍ଚଳ ସହ ଜିଲ୍ଲାରେ ଖୁସି ଲହରୀ ଖେଳିଯାଇଛି। ପରିବେଶ ସୁରକ୍ଷା,ବୃକ୍ଷରୋପଣ,ସ୍ୱଚ୍ଛତା ଓ ପରିବେଶ ସଚେତନତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଶ୍ରୀ ମଲ୍ଲିକ ଦୀର୍ଘଦିନ ଧରି ବିଦ୍ୟାଳୟ ଓ ସମାଜ ସ୍ତରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ,ପରିବେଶ ସଚେତନତା ରାଲି,ବିଜ୍ଞାନ ଭିତ୍ତିକ ସଚେତନତା ଅଭିଯାନ ଏବଂ ସ୍ୱଚ୍ଛ ପରିବେଶ ଗଠନ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ଓ ଆଗ୍ରହ ସୃଷ୍ଟି କରିବାରେ ତାଙ୍କ ଭୂମିକା ପ୍ରଶଂସନୀୟ। ଗଛ ଲଗାଇବା ଓ ତାହାର ଯତ୍ନ ନେଇ ବଡ଼ କରିବାର ଶିକ୍ଷା ସେ ତାଙ୍କ ବାପାଙ୍କ ପାଖରୁ ପାଇଥିବା କହିଛନ୍ତି। ସେହି ପ୍ରେରଣା ଓ ସଂସ୍କାର ତାଙ୍କୁ ଆଜି ଏହି ସମ୍ମାନର ହକଦାର କରିଥିବା ସେ ପ୍ରକାଶ କରିଛନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ଓ ଛାତ୍ରପ୍ରିୟ ଶିକ୍ଷକ ଭାବେ ସେ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ସମ୍ମାନ ପାଇବା ପରେ ଶ୍ରୀ ମଲ୍ଲିକ୍ କହିଛନ୍ତି ଯେ, ଏହା ତାଙ୍କୁ ଆହୁରି ଉତ୍ସାହିତ କରିବ ଏବଂ ସମାଜ ପାଇଁ ଭଲ କାମ କରିବାକୁ ପ୍ରେରଣା ଯୋଗାଇବ।ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ,ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ପରିବେଶ ଦେଖାଦେଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।


