ଦଧିବାବନପୁର ଓ ଆମ୍ବଗଡିଆ ଗ୍ରାମବାସୀଙ୍କୁ ମିଳୁନି ବାସଗୃହ, ଏସଇସିସି ତାଲିକା ସାଜିଛି ପ୍ରତିବନ୍ଧକ

ହାଟଡିହି, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଦଧିବାବନପୁର ଓ ଆମ୍ବଗଡିଆ ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ବାସଘର ମିଳୁନଥିବାରୁ ଅଧିକାଶଂ ଗ୍ରାମବାସୀମାନେ ଭଙ୍ଗା କଚ୍ଚାଘର ତଳେ ବସବାସ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ବାସଗୃହ ଯାଜନାରେ ସାମିଲ କରାଇ ବାସଗୃହ ଯୋଗାଇ ଦେଉଥିବାବେଳେ ଦୀର୍ଘ ୫ବର୍ଷ ହେଲା ଏହି ଗାଁକୁ ଆବାସ ଯୋଜନା ପହଞ୍ଚିପାରି ନାହିଁ । ଫଳରେ ଏବେ ଗାଁର ପର୍ଶୁରାମ ଯେନା ଏକ ପଲିଥିନି ତଳେ ଚାରି ପରାଣୀ କୁଟୁମ୍ବଙ୍କୁ ଧରି କାଳାତିପାତ କରୁଛନ୍ତି ।ତାଙ୍କ ଅବସ୍ଥା ନିଜ ଆଖିରେ ନଦେଖିଲେ କେହି ବିଶ୍ୱାଷ କରିପାରିବେନି । ପର୍ଶୁରାମ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ତାଙ୍କ ସ୍ତ୍ରୀ ଗତ ୫ବର୍ଷ ପୁର୍ବେ ଆରପାରିକୁ ଚାଲିଗଲା ପରେ ୪ପୁଅଝିଅଙ୍କ ସହିତ ନିଜ ଘରେ ରହି ଆସୁଥିଲେ । ଝିଅ ବାହାଘର କରିବାପରେ ଆର୍ôଥକ ସ୍ୱଚ୍ଛଳତା ନଥିବାରୁ ନିଜ ବାସଘରଟିକୁ ଛପର କରିପାରି ନଥିଲେ । ଫଳରେ ଧିରେଧିରେ ତାହା ଖରା ବର୍ଷାରେ ଭାଙ୍ଗି ରୁଜି ନଷ୍ଟ ହେବାକୁ ବସିଲା । ଯାହାବି କିଛି ରୋଜଗାର କରୁଛନ୍ତି ତାହା ଚାରି ପରାଣୀ କୁଟମ୍ବଙ୍କ ମୁହଁରେ ଦାନା ଦେବାକୁ ପର୍ଯ୍ୟାପ୍ତ ହେଉ ନାହିଁ । ଘର ନିର୍ମାଣ ବା ମରାମତି କରିବେ କିପରି । ଏପରିକି ସମ୍ପୁର୍ଣ୍ଣ ଘରଟି ଭାଙ୍ଗିରୁଜି ଯିବାପରେ ଏକ ପଲିଥିନି ଟାଙ୍ଗି ରହି ଆସୁଛନ୍ତି । ସେହି ୧୦ଫୁଟିଆ ପଲିଥିନି ତଳେ ରୋଷେଇ, ଆଉ ଶୋଇବାଘର ସବୁକିଛି । କାନ୍ଥ ନଥିବାରୁ ପୁରୁଣା ଶାଢ଼ୀକୁ ଘେରାଉ କରି ରହିଛନ୍ତି ପର୍ଶୁରାମଙ୍କ ପରିବାର । ଯଦି ବର୍ଷା ପବନ ହେଲା ସେଦିନ ରୋଷେଇବାସ କରିନପାରି ଉପବାସରେ ରହୁଥିବା କହିଛନ୍ତି ପର୍ଶୁରାମ । ଖାଲି ପର୍ଶୁରାମ ନୁହଁନ୍ତି ଆମ୍ବଗଡିଆ ଓ ଦଧିବନପୁର ଗାଁରେ ଅଧିକାଶଂ ଗରିବ ପରିବାରଙ୍କ ଅବସ୍ଥା ଏହିପରି । ହାଟଡିହି ବ୍ଲକରେ ହଜାର ହଜାର ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଖଣିକ୍ଷତିଗ୍ରସ୍ଥ ବିଜୁ ପକ୍କାଘର ଆଦି ଯୋଗାଇ ଦିଆଯାଇଥିଲେ ମଧ୍ୟ ଏମାନଙ୍କ ପାଇଁ ଏହା ସାତ ସପନ ହୋଇପଡିଛି । ଏସ.ଇ.ସି.ସି ତାଲିକାରେ ନାମ ନଥିବାରୁ ଗୋଟିଏବି ପରିବାର ଏହି ଯୋଜନାରେ ସାମିଲ ହୋଇ ପାରୁ ନଥିବା ଗ୍ରାମବାସୀମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ପର୍ଶୁରାମଙ୍କୁ ଘରଖଣ୍ଡିଏ ଯୋଗାଇ ଦେବା ସହିତ ଦୁଇ ଗ୍ରାମର ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ସାମିଲ କରାଇ ଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ କୌଶଲ୍ୟା ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆସିବା ପୁର୍ବରୁ ତାଙ୍କର ଏହିପରି ସମସ୍ୟା ଲାଗି ରହିଛି । ଏସ.ଇ.ସି.ସି ତାଲିକାରୁ ଅକରୁଆ ପଞ୍ଚାୟତର ଦଧିବାବନପୁର ଓ ଆମ୍ବଗଡିଆ ଦୁଇଟି ଗ୍ରାମ ବାଦ ପଡିଥିବାବେଳେ ଏହି ଦୁଇଟି ଗ୍ରାମକୁ ଏସ.ଇ.ସି.ସି ତାଲିକାରେ ସାମିଲ କରି ଘର ଯୋଗାଇ ଦେବାକୁ ସେ ଜିଲ୍ଲାପାଳଙ୍କ ଠାରେ ବାରମ୍ବାର ଦାବି କରି ଆସୁଥିଲେବି କିଛି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ