ହାତୀ ଗଳିଯାଉଛି, ପିମ୍ପୁଡ଼ି ଧରାପଡୁଛି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାରେ ଫୁଲବାଣୀ, ବାଲିଗୁଡ଼ା ସମେତ ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରେ ଲକ୍ଡାଉନ୍ ଜାରି ରହିଛି । ଏଥି ସହ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଥିବା ଚେକ୍ପୋଷ୍ଟ ଗୁଡିକୁ କଡାକଡି କରାଯାଇଥିବା ପ୍ରଶାସନ କହିଛି । ବିଶେଷ କରି ଗଞ୍ଜାମ ସୀମା କଳିଙ୍ଗା ଠାରେ ଓ ନୟାଗଡ଼ ସୀମା ଖଜୁରିପଡ଼ା ଠାରେ ଥିବା ଚେକ୍ପୋଷ୍ଟରେ ବିନା ଅନୁମତିରେ କାହାକୁ ଛଡ଼ା ଯାଉ ନଥିବା କୁହାଯାଉଛି । ହେଲେ ଏହିସବୁ ଚେକ୍ପୋଷ୍ଟରେ ହାତୀ ଗଳିଯାଉଛି । ହେଲେ ପିମ୍ପୁଡି ଧରା ପଡ଼ିବା ଘଟଣା ଆଲୋଚନାର ବିଷୟ ହୋଇଛି ।ସାଧାରଣ ଲୋକଙ୍କୁ ଚେକ୍ପୋଷ୍ଟରେ ଛଡ଼ା ଯାଉନଥିବା ବେଳେ ବିଭିନ୍ନ ବ୍ୟବସାୟୀଙ୍କ ଗାଡ଼ି ଛାଡ଼ି ଦେଉଥିବା ଅଭିଯୋଗ ହେଇଛି । ଶୁକ୍ରବାର ଫୁଲବାଣୀର ଜଣେ ବରିଷ୍ଠ ସାମ୍ବଦିକଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ବ୍ରହ୍ମପୁରରୁ ତାଙ୍କ ଦୁଇ ଝିଅ ଆସୁଥିଲେ । ସେମାନେ ଗଞ୍ଜାମ ପ୍ରଶାସନର ଅନୁମତି ନେଇଥିଲେ । ହେଲେ କଳିଙ୍ଗା ଚେକ୍ପୋଷ୍ଟରେ ସେମାନଙ୍କୁ କନ୍ଧମାଳକୁ ପ୍ରବେଶ ପାଇଁ ଅନୁମତି ଦିଆ ଯାଇନଥିଲା । ଫଳରେ ବିଳମ୍ବିତ ରାତିରେ ସେମାନେ କଳିଙ୍ଗାରୁ ଫେରି ଯାଇଥିଲେ । କିନ୍ତୁ ତା ପରଦିନ ଗଞ୍ଜାମରୁ ୩ ଜଣ ଯୁବକ କନ୍ଧମାଳ ଦେଇ ବୌଦ୍ଧ ଚାଲି ଚାଲି ଯାଇଥିବା ବେଳେ ସେମାନଙ୍କୁ କଳିଙ୍ଗା ଚେକ୍ପୋଷ୍ଟରେ ଛାଡ଼ି ଦିଆଯାଇଥିଲା ।ସେହିଭଳି ଏକ ମାଛ ବୋଝେଇ ପିକ୍ଅପ ଭ୍ୟାନ୍ ମଧ୍ୟ ଖଜୁରିପଡା ଚେକ୍ ପୋଷ୍ଟରେ ବିନା ଅନୁମତିରେ ପ୍ରବେଶ କରିଥିଲା । ଉକ୍ତ ପିକ୍ଅପ ଫୁଲବାଣୀ ସହରରେ ମାଛ ଅନ୍ଲୋଡ୍ କରି ଫେରି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଉପଜିଲ୍ଲାପାଳ ତାକୁ ଜବତ କରି ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଡ୍ରାଇଭର ଓ ମାଛ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ୫ ହଜାର ଟଙ୍କା ଫାଇନ ଆଦାୟ କରି ଛାଡି ଦିଆଯାଇଥିବା ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ତେବେ କେବଳ ଏହି ଦୁଇଟି ଘଟଣା ନୁହଁ, ପ୍ରତିଦିନ ବହୁ ଲୋକ ଓ ଗାଡ଼ି ବିନା ଅନୁମତିରେ ଜିଲ୍ଲାକୁ ଆସୁଥିବା ଓ ଯାଉଥିବା ଅଭିଯୋଗ ହେଉଛି । ଚେକ୍ପୋଷ୍ଟ ଦାୟିତ୍ୱରେ ଥିବା କର୍ମଚାରୀ ମୁହଁ ଦେଖା କାରବାର କରୁଥିବା ଅଭିଯୋଗ ହୋଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦଲେ ଆଗକୁ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।


