ସର୍ବସାଧାରଣଙ୍କ ହିତ ପାଇଁ ନଦୀବନ୍ଧ ରେମ୍ପ୍ ନକାଟିବା ପାଇଁ ସରପଞ୍ଚଙ୍କ ଦାବି
ହାଟଡିହି (ଓ୍ବାଇଏନଏସ) ସର୍ବସାଧାରଣଙ୍କ ହିତ ପାଇଁ ବଞ୍ଚୋ ବୈତରଣୀ ନଦୀବନ୍ଧ ରେମ୍ପ୍ ନକାଟିବା ପାଇଁ ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଦାବି କରିଛନ୍ତି। ଏନେଇ ସେ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଖଣି ବିଭାଗର ଅଧିକାରୀଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାଇ ବଞ୍ଚୋ ଗ୍ରାମର ମହାନ୍ତି ସାହି, କରଣ ସାହି, ଚୌକିଆ ସାହି, ଡିହ ସାହି, ହାଡ଼ିଗୁଡ଼ିଆ ସାହି, ନାଇକ ସାହି ଆଦି ଗ୍ରାମର ଲୋକମାନେ ଏହି ରେମ୍ପ୍ ଟିରେ ବନ୍ଧରୁ ଖସି ଏହି ରେମ୍ପ୍ ମାଧ୍ଯମରେ ନଦୀକୁ ଯିବା ଆସିବା କରନ୍ତି। ଯାହା କି ଗ୍ରାମର ଅର୍ଦ୍ଧାଧିକ ଲୋକ ଏହି ଗ୍ୟାମ୍ପ୍ ରେ ନଦୀକୁ ଯିବା ଆସିବା କରିବା ସହ ନଦୀପଟେ ଥିବା ଜମିବାଡ଼ିକୁ ଟ୍ରାକ୍ଟର ମାଧ୍ଯମରେ ଫସଲ ନେବା ଆଣିବା କରିଥାନ୍ତି। ଏପରିକି ଏହି ବାଟରେ ଶ୍ମଶାନକୁ ଶବ ପୋଡିବା ପାଇଁ ନିଅନ୍ତି। ଏଠାରେ ‘ଏକ ପେଡ୍ ମା କେ ନାମ୍’ ରେ ୫୦୦ ଗଛ ମଧ୍ୟ ଲଗା ଯାଇଅଛି। ଏହି ରେମ୍ପ୍ ଯୋଗେ ଟ୍ୟାଙ୍କର ମାଧ୍ୟମରେ ଗଛ ଗୁଡିକୁ ପାଣି ଦିଆଯାଇଥାଏ । ଓଡିଶା ସରକାରଙ୍କର ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ନଦୀ କୂଳରେ ଶ୍ମଶାନ ଗୃହ, ଆଦିବାସୀ ମାନଙ୍କ ପାଇଁ ମାରାଙ୍ଗବୁରୁ ମଣ୍ଡପ ଏବଂ ବିଶ୍ରାମଗାର କାର୍ଯ୍ୟ ଚାଲୁଅଛି। ଏହି କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଉକ୍ତ ରେମ୍ପ୍ ମାଧ୍ୟମରେ ନେବା ଆଣିବା କରାଯାଏ । କିନ୍ତୁ ବାଲି ଚୋରୀ ନାମରେ ବାରମ୍ବାର ରେମ୍ପ କଟାଯାଇ ସାଧାରଣ ଯାତାୟାତ ବନ୍ଦ କରିଦିଆ ଯାଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ବାଲି ଚୋରିକି ରୋକିବା ପାଇଁ ନଦୀ ପଠାରେ ବାଲି ଉଠୁଥିବା ରେମ୍ପ୍ କୁ କାଟିଦେଲେ ଆମ୍ଭର କୌଣସି ଆପତ୍ତି ଅଭିଯୋଗ ନାହିଁ, ଏଥିରେ ସରପଞ୍ଚ ହିସାବରେ ମୁଁ ଆପଣଙ୍କୁ ସହଯୋଗ କରିବି କିନ୍ତୁ ପଞ୍ଚାୟତବାସୀଙ୍କ ହିତ ପାଇଁ ଏବଂ ଓଡିଶା ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ଦୟାକରି ବିଚାର କରି ବନ୍ଧରୁ ଗ୍ୟାମ୍ପ୍ ଟିକୁ ନକଟିବା ପାଇଁ ଅନୁରୋଧ କରୁଛି ବୋଲି ଦାବିପତ୍ର ରେ ଉଲେଖ କରିଛନ୍ତି। ଏଠାରେ ପୂର୍ବରୁ ଥିବା ବାଲିଘାଟକୁ ସରକାର ଲିଜ ସୂତ୍ରରେ ଦେବାପାଇଁ ତୁରନ୍ତ ନିଲାମ କରିବାକୁ ସେ ଦାବି କରିଛନ୍ତି। ନଦୀ କୂଳରେ ଥାଇ ମଧ୍ୟ ସାଧାରଣ ଲୋକଟିଏ ଗୃହ ନିର୍ମାଣ ପାଇଁ ବାଲି ମୁଠେ ପାଇ ପାରୁନି। ଏପରିକି ଆବାସ ଯୋଜନା ହିତାଧିକାରୀ ଟିଏ ବହୁ ଦୂରରୁ ୩ ଚାରି ହଜାର ଟଙ୍କା ରେ ବାଲି ଟ୍ରାକ୍ଟରେ ଆଣୁଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।


