କୁଷ୍ଠ ରୋଗୀ ଚିହ୍ନଟ ଅଭିଯାନ ପ୍ରସ୍ତୁତି

ବାଲେଶ୍ୱର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ କୁଷ୍ଠ ରୋଗୀ ଚିହ୍ନଟକରଣ ସକାଶେ ଜିଲ୍ଲା ସଂଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ କୁଷ୍ଠ ରୋଗର ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା । ଏଥିରେ ୨୦୧୮-୧୯ ମସିହାରେ ଜିଲ୍ଲାରେ ୭.୦୫ ବାର୍ଷିକ କେସ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୨୩.୨ ଥିବା ଜଣାପଡିଛି । ସେହିପରି ଜିଲ୍ଲାରେ କୁଷ୍ଠ ରୋଗ ଘଟଣା ୦.୬ ବୋଲି ୨୦୧୮-୧୯ରେ ଆକଳନ କରାଯାଇଛି । ଏଥିରେ ସର୍ବାଧିକ ନୀଳଗିରି ବ୍ଲକ ଏବଂ ଏନଏସି ଅଂଚଳରେ ଥିବା ରିପୋର୍ଟରେ ଦର୍ଶାଯାଇଛି । ବୈଠକରେ କୁଷ୍ଠ ରୋଗ ଚିହ୍ନଟ କାହିଁକି କରାଯାଉଛି ତାହା ଦର୍ଶାଇ ଏହାକୁ ଚିହ୍ନଟ କରିବା ସହିତ ଆଗୁଆ ଭାବେ ଚିକିତ୍ସା କରାଯାଇ ତାକୁ ନିର୍ମୂଳ କରିବା ଦିଗରେ ପଦକ୍ଷେପ ନେବା, ରୋଗୀଙ୍କୁ ବିକଳାଙ୍ଗ ହେବାରୁ ରକ୍ଷା କରିବା, ଲୋକେ ସ୍ୱତଃ ପ୍ରବୃତ ଭାବେ ଆସି ଚିକିତ୍ସା କରାଇବା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଏ ରୋଗ ପ୍ରତି ଥିବା ଅନ୍ଧ ବିଶ୍ୱାସ ଏବଂ ପାତର ଅନ୍ତରକୁ ହ୍ରାସ କରିବା ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା । ଏଥି ପାଇଁ ରୋଗ ଚିହ୍ନଟ ଅଭିଯାନ ଗ୍ରାମାଂଚଳ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରୁ ୨୩ ତାରିଖ ଯାଏଁ ଚାଲିବ । ଏହି ଅଭିଯାନ ବେଳେ ଘରକୁ ଘର ବୁଲି କୁଷ୍ଠ ରୋଗ ସନ୍ଦେହ ହେଉଥିବା କେସଗୁଡିକୁ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ମାଧ୍ୟମରେ ଚିହ୍ନଟ କରାଯାଇ ଚିକିତ୍ସାର ବ୍ୟବସ୍ଥା କରାଯିବ । ଅଭିଯାନ ସଂପର୍କରେ ଲୋକେ ଯେପରି ଅବଗତ ହୋଇପାରିବେ ସେଥି ନେଇ “ଶାମ୍ବ ରଥ” ନାମରେ ସଚେତନତା ରଥ ଜିଲ୍ଲା ସାରା ଭ୍ରମଣ କରିବା ପାଇଁ ଯୋଜନା କରାଯାଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ସରଳ ଭାଷାରେ ଲିଫଲେଟ୍ ଛପାଯାଇ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଏହାକୁ ବଂଟାଯିବ ଏବଂ ତା ସହିତ ପ୍ରାର୍ଥନା ସଭାରେ ଏହାକୁ ଛାତ୍ରଛାତ୍ରୀ ଏ ବିଷୟରେ ଜାଣିବା ନିମନ୍ତେ ପାଠ କରାଯିବ । ତା ଛଡା ବୈଦ୍ୟୁତିକ ଏବଂ ମୁଦ୍ରଣ ଗଣମାଧ୍ୟମ ଦ୍ୱାରା ପ୍ରଚାର ପ୍ରସାର କରାଯିବା ଉପରେ ଜିଲ୍ଲାପାଳ ଜୋର୍ ଦେଇଥିଲେ । ଅଭିଯାନକୁ ସଂଚାଳନ କରିବା ପାଇଁ ଜିଲ୍ଲାର ୨୩,୦୮,୯୩୦ ଜନସଂଖ୍ୟାକୁ ଆଖିରେ ରଖି ୨୧୭୬ଟି ଅନ୍ୱେଷଣ ଟିମ୍ ସୃଷ୍ଟି କରାଯାଇଛି । ଏଥିରେ ୬୦ଜଣ ସେକ୍ଟର ମେଡିକାଲ ଅଫିସର ଏବଂ ୬୦ଜଣ ସୁପରଭାଇଜର ସାମିଲ ହେବେ । ତା ଛଡା ୨୭୪ ସ୍ୱାସ୍ଥ୍ୟକର୍ମୀ ଏଥିରେ ରହିବେ । ଅଭିଯାନକୁ ଅଧିକ କାର୍ଯ୍ୟଶୀଳ କରିବା ପାଇଁ ପୃଥକ ଭାବେ ସିଡିପିଓମାନଙ୍କ ଏବଂ ବ୍ଲକ ସ୍ତରରେ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ଏବଂ ଅଭିଯାନରେ ସଂଗୃହୀତ ତଥ୍ୟ ୩୦ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ କାର୍ଯ୍ୟାଳୟରେ ଦାଖଲ କରାଯିବ ବୋଲି ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.କମଳାକାନ୍ତ ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ରାମଚନ୍ଦ୍ର ଜେନା, ଏଡିପିଏଚଓ ଡା. ଗିରୀଶ ଚନ୍ଦ୍ର ପତି, ଡା. ଶଶାଙ୍କ ଶେଖର ଚୌଧୁରୀ, ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁବାଷ ନିଆଲଙ୍କ ସମେତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ