ଗାଇଚରାଳିଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ଗାଇଚରାଳିଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରାଯାଇଥିଲା। ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଟୁରିଗୁଡ଼ା ପଞ୍ଚାୟତର ଟିଣପଦର ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ହେଲେ ଗ୍ରାମର ମାଧବ ପିଡ଼ିକାକା (୪୨)। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ମାଧବ ଗାଈଗୋଠ ନେଇ ଗ୍ରାମକୁ ଫେରୁଥିବା ସମୟରେ ଜଙ୍ଗଲ ଅଞ୍ଚଳରେ ଛିଣ୍ଡା ହୋଇ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଗ୍ରାମବାସୀ ମୃତଦେହ ନେଇ ମୁନିଗୁଡ଼ା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୁନିଗୁଡ଼ା-କନ୍ଧମାଳ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଶବଦାହ ପାଇଁ ତୁରନ୍ତ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଉଦ୍ୟମ କରାଯିବ ବୋଲି ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀ ରାସ୍ତାରୋକ ହଟାଇଥିଲେ। ତେବେ ଜଙ୍ଗଲ ମଧ୍ୟରେ ଦୀର୍ଘଦିନ ଧରି ଛିଣ୍ଡା ବିଦ୍ୟୁତ୍ ତାର ପଡ଼ି ରହିଥିବା ନେଇ ବିଭାଗକୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ତାହାର ପ୍ରତିକାର କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦାୟୀଙ୍କ ବିରୋଧରେ ପଦକ୍ଷେପ ନେବା ସହ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଅଧିକାରୀମାନେ ଟିଣପଦର ଗ୍ରାମକୁ ଯାଇ ଘଟଣାର କାରଣ ଓ ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।


