ସେପ୍ଟେମ୍ବର ପହିଲାରୁ ତମାଖୁ ପ୍ୟାକେଟରେ ନୂଆ ଚେତାବନୀ
ଏଣିକି ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ । ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି । ଏହି ସଂଶୋଧନ ବଳରେ ନୂଆ ସେଟକୁ ମଞ୍ଜୁରି ମିଳିଛି । ଜିଏସଆର ୩୩୧ (ଇ) ତା.୩ ଏପ୍ରିଲ ୨୦୧୮ ରିଖରେ ଜାରି ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମର ଦ୍ୱିତୀୟ ସଂଶୋଧନ ନିୟମ, ୨୦୧୮ରେ ସଂଶୋଧନ ଅଣାଯାଇ ଏହି ବିଜ୍ଞପ୍ତି ଜାରି କରାଯାଇଛି । ସଂଶୋଧିତ ନିୟମ ୧ ସେପ୍ଟେମ୍ବର, ୨୦୧୮ ଠାରୁ ଲାଗୁ କରାଯାଇସାରିଛି । ଉପରୋକ୍ତ ବିଜ୍ଞପ୍ତି ମାଧ୍ୟମରେ ଦୁଇଟି ଚିତ୍ରକୁ ବିଜ୍ଞପିତ କରାଯାଇଥିଲା । ସଂଶୋଧନରେ ଏହି ଧାରା ସଂଯୋଗ କରାଯାଇଥିଲା ଯେ ପ୍ରଥମ ଚିତ୍ର ଲାଗୁ ହେବା ତାରିଖ ଠାରୁ ୧୨ ମାସ ପରେ ଦ୍ୱିତୀୟ ଚିତ୍ର ଲାଗୁ ହେବ । ଉପରୋକ୍ତ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ଚିତ୍ର ସେପ୍ଟେମ୍ବର ୧ ତାରିଖ ୨୦୧୮ରେ ଲାଗୁ ହୋଇଥିଲା । ତେଣୁ ଏହାର ୧୨ ମାସ ପରେ ଅର୍ଥାତ ୧ ସେପ୍ଟେମ୍ବର, ୨୦୧୯ କିମ୍ବା ଏହା ପରେ ନିର୍ମିତ, ପ୍ୟାକେଜ ହୋଇଥିବା ଏବଂ ଆମଦାନୀ ହୋଇଥିବା ସମସ୍ତ ତମାଖୁ ଉତ୍ପାଦ ଉପରେ ଦ୍ୱିତୀୟ ଚିତ୍ର ପ୍ରଦର୍ଶିତ ହେବ । “ଛଟଓଞ ଞଙଊଇଣ ଉଇଖଖ ୧୮୦୦-୧୧-୨୩୫୬” ହେଲ୍ପ ମଧ୍ୟ ଏହି ସ୍ୱାସ୍ଥ୍ୟ ଚେତାବନୀର ଏକ ଅଂଶବିଶେଷ । ଏହା ତମାଖୁ ଉପଯୋଗକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ସେମାନଙ୍କୁ ଅଭ୍ୟାସ ପରିବର୍ତନ ଲାଗି ପରାମର୍ଶ ସେବା ଯୋଗାଇ ଦେବ । ଧୂମପାନ ଏବଂ ଧୂମପାନ ମୁକ୍ତ ଉଭୟ ତମାଖୁ ଉତ୍ପାଦ ଲାଗି ଏକ ସାଧାରଣ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀ ରହିବ । ନିଃଶୁଳ୍କ ଟୋବାକୋ କ୍ୱିଟ ଲାଇନ ସର୍ଭିସେସ (୧୮୦୦-୧୧-୨୩୫୬)ତମାଖୁ ସେବନ ଛାଡ଼ିବା ଲାଗି ପରାମର୍ଶ ଏବଂ ରଣନୀତି ପ୍ରଦାନ କରିଥାଏ । ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେ (ଜିଟିଏସ-୨, ୨୦୧୬-୧୭) ପକ୍ଷରୁ ନିକଟରେ ଜାରି ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୧୫ ବର୍ଷ କିମ୍ବା ତତୋଧିକ ବୟସର ଲୋକମାନଙ୍କ ମଧ୍ୟରେ ସିଗାରେଟ ଧୂମପାନ କରୁଥିବା ଲୋକଙ୍କ ମଧ୍ୟରୁ ୬୧.୯ ପ୍ରତିଶତ, ବିଡ଼ି ଧୂମପାନ କରୁଥିବା ମଧ୍ୟରୁ ୫୩.୮ ପ୍ରତିଶତ ଏବଂ ଧୂଆଁମୁକ୍ତ ତମାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୪୬.୨ ପ୍ରତିଶତ ତମାଖୁର ପ୍ୟାକେଟରେ ଚେତାବନୀ ଲେବଲ ଦେଖି ନିଶା ଛାଡ଼ିବା ବିଷୟରେ ଚିନ୍ତା କରିଛନ୍ତି ।