ଆମେ ଭାରତବାସୀ ପକ୍ଷରୁ ଜିଲ୍ଲାପାଳଙ୍କ ଅପିଂସ ସମ୍ମୁଖରେ ପ୍ରତିବାଦ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଆମେ ଭାରତବାସୀ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଭୀଷଣ ବର୍ଷା ସତ୍ୱେ ଅନୁଷ୍ଠିତ ହୋଇ ଯାଇଛି । ଦେଶ ସ୍ୱାଧିନତାର ୭୩ତମ ବାର୍ଷିକୀ ପାଳନ କରୁଥିବା ସମୟରେ ଏହାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାନ୍ତ ଭୂଷଣଙ୍କ ପରି ଜଣେ ଦାୟିତ୍ୱବାନ ନାଗରିକଙ୍କ ୨ଟି ଟୁଇଟ୍ କୁ ଅପମାନ ଜନକ ବୋଲି ବୋଧ କରିଛନ୍ତି । ଜଣେ ଦାୟିତ୍ୱବାନ ଓକିଲ ଏବଂ ସମ୍ବିଧାନ ପ୍ରଦତ ନାଗରିକର ମୈାଳିକ ଅଧିକାର ଗୁଡିକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣେ ବ୍ୟକ୍ତି ହିସାବରେ ପ୍ରଶାନ୍ତ ଭୂଷଣଙ୍କ ପରିଚୟ ରହିଛି । ଯେଉଁ କାର୍ଯ୍ୟପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସାମ୍ବିଧାନିକ ଭାବେ ପକ୍ଷ ଭୁକ୍ତ ଅଟନ୍ତି ସେହି କାର୍ଯ୍ୟକୁ ନିରନ୍ତର ଭାବେ ଗତ ୩୦ ବର୍ଷ ଧରି ଅନୁସରଣ କରି ନ୍ୟାୟ ବ୍ୟବସ୍ଥାର ଜଣେ ଅଜ୍ଞାତ ବିବେକ ରକ୍ଷକ ଭାବେ ଯେଉଁ ପ୍ରଶାନ୍ତ ଭୂଷଣ କାର୍ଯ୍ୟ କରି ଅସିଛନ୍ତି ତାଙ୍କର ଟୁଇଟ୍ ହେତୁ ସମ୍ବିଧାନର ମୂଳ ଖୁଣ୍ଟ ଦୋହଲି ଯାଇଥିବା ଅନୁଭବ କରି ଏହାଦ୍ୱାରା ଅଦାଲତଙ୍କର ଅବମାନନା ହୋଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ବର୍ତମାନ ଅନୁଭବ କରିଛନ୍ତି । ଏହି ନିକଟରେ ପ୍ରଶାନ୍ତ ଭୂଷଣ ଜାମ୍ମୁ କାଶ୍ମୀରରେ ବାଧ୍ୟତାମୂଳକ ତାଲା ବନ୍ଦ ଏବଂ କୋଭିଡ -୧୯ର ପରିଚାଳନା ଗତ ସମସ୍ୟା ଗୁଡିକୁ ଜନସ୍ୱାର୍ଥ ଆଧାରରେ ମାନ୍ୟବର ନ୍ୟାୟାଳୟଙ୍କ ଦୃଷ୍ଟିକୁ ଆଣିଛନ୍ତି । ନାଗରିକର ମୈାଳିକ ଅଧିକାର ପ୍ରସଙ୍ଗରେ ନ୍ୟାୟ ଖୋଜୁଥିବା ଆମ ଦେଶର ଲୋକେ ମାନବୀୟ ଓ ସମ୍ବେଦନଶୀଳ କାର୍ଯ୍ୟ ପାଇଁ ପ୍ରଶାନ୍ତ ଭୂଷଣଙ୍କୁ ସବୁବେଳେ ମନେ ପକାନ୍ତି । ମତ ଓ ଭିନ୍ନ ମତ ସର୍ବଦା ଆମ ଗଣତନ୍ତ୍ରକୁ ଦୃଢ କରିଥାଏ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏତାଦୃଶ ବିଚାର ଅଭିବ୍ୟକ୍ତି ସପକ୍ଷରେ ନାଗରିକର ମୈାଳିକ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ କ୍ଷମତା ଓ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ଅଧିକାରକୁ ସଂକୁଚିତ କରିବ ଓ ଏହା ଅସହିସ୍ନୁତାର ପ୍ରତୀକ । ସର୍ବୋଚ୍ଚ ନ୍ୟାୟାଳୟ ମୁକ୍ତ ଆଲୋଚନାକୁ ଉତ୍ସାହିତ କରିବା ପାଇଁ ଗତ ୭୦ ବର୍ଷ ଧରି ଅତ୍ୟନ୍ତ ସକାରାତ୍ମକ ଭୂମିକା ଗ୍ରହଣ କରି ଆସିଛନ୍ତି । ଏହାକୁ ଶକ୍ତିଶାଳୀ କରିବା ବଦଳରେ ସାମ୍ବିଧାନିକ ଇତିହାସରେ ସଂକୁଚିତ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହା ସମ୍ବିଧାନର ସୁରକ୍ଷା ପାଇଁ ନ୍ୟାୟାଳୟ ବାହାରେ କାର୍ଯ୍ୟ କରୁଥିବା କୋଟି କୋଟି ସାଧାରଣ ନାଗରିକଙ୍କୁ ଅତ୍ୟନ୍ତ ଉଦ୍‌ବେଗ ଜନିତ ସ୍ଥିତିରେ ପହଁଚାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏତାଦୃଶ୍ୟ ନିଷ୍ପତି ଘୋର ନୈରାଶ୍ୟ ଜନକ ସହ ପ୍ରଶାନ୍ତ ଭୂଷଣ ଓ ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ଦୃଢମତ ପୋଷଣ କରୁଥିବା ଓ ନାଗରିକ ଅଧିକାର ଏବଂ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ବିଚାରକୁ ସଂକୁଚିତ କରିବା ପାଇଁ ଉଦ୍ଦିଷ୍ଟ । ନ୍ୟାୟମୂର୍ତୀ କୃଷ୍ଣ ଆୟାରଙ୍କ ଉକ୍ତି “ମୁକ୍ତ-ବ୍ୟକ୍ତି ହିଁ ନ୍ୟାୟର ନିର୍ଭିକ ସୁରକ୍ଷା ଦାତା” । ଏଣୁ ସର୍ବୋଚ୍ଚ ଅଦାଲତ ନିଜର ଐତିହାସିକ ଗାରିମାକୁ ରକ୍ଷା କରି ନିଷ୍ପତିର ପୁନଃବିଚାର ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଆମେ ଭାରତବାସୀ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ଏକ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ଆବାହକ ଗୟାଧର ଧଳ, ଆଦିକନ୍ଦ ରାଉଳ ନେତୃତ୍ୱ ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସିପିଆଇ (ଏମ )ର ଜିଲ୍ଲା ନେତା ଜଗତ ଜୀବନ ଦାଶ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ଅକମଲ ଅଲ୍ଲୀ, ଆମେ ଭାରତବାସୀର ସଭାପତି ଅଜୟ ସାମଲ, ଜନଶକ୍ତି ପାର୍ଟିର ସଭାପତି ପ୍ରଦିପ ଦାଶ, ଜନ ଅଧିକାର ସାମ୍ମୁଖ୍ୟର ସଭାପତି ରଣଧିର ଜେନା , ବାର ଆସୋସିଏସନର ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ସିଂହ , ଏ ଆଇ ଟିୟୁସି ର ଜିଲ୍ଲା ସଭାପତି ବାବାଜୀ ଧଳ, ଆଇ ଏନ ଟିୟୁସିର ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିଆଇ ଟିୟୁର ଜିଲ୍ଲା ନେତା ମାଧବ ଦାସ, ଓଡିଶା କନଷ୍ଟ୍ରକସନ ୱାର୍କସର ୟୁନିୟନର ଜିଲ୍ଲା ସଂପାଦକ ଅଜିତ ପରିଡା, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଇଏନଟିୟୁସି ନେତା ଫକୀର ଚରଣ ଖଟୁଆ, ଅଜୟ ଦାସ, ଅମୀୟ କୁମାର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ