୨୦୨୦-୨୧ ଋତୁ ପାଇଁ ଆଖୁ ଉପରେ ମୂଲ୍ୟ ଧାର୍ଯ୍ୟ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ୟ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ । ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ । ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ
୧. ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ୟ୍ୟ କରାଯାଇଛି । ଏଥିରେ ବେସିକ୍ ରିକଭରି ରେଟ୍ ୧୦ ଶତାଂଶ ଧାର୍ୟ୍ୟ ହୋଇଛି । ବେସିକ୍ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ ।
୨. ୧୦ ଶତାଂଶ ରିକଭରି ଉପରେ ପ୍ରତି ୦.୧ ଶତାଂଶ ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ୨.୮୫ ଟଙ୍କା ପ୍ରିମିୟମ ଆକାରରେ ମିଳିବ ।
୩. ରିକଭରି ୦.୧ ପ୍ରତିଶତ ହ୍ରାସ ପାଇଲେ ଏଫ୍ଆରପି କ୍ୱିଣ୍ଟାଲ ପିଛା ୨ ଟଙ୍କା ୮୫ ପଇସା କମିବ । ଯେଉଁ କଂପାନୀଗୁଡିକର ରିକଭରି ହାର ଅର୍ଥାତ୍ ଆଖୁରୁ ଚିନି ଉତ୍ପାଦନ କରିବାର କ୍ଷମତା ୧୦ ଶତାଂଶରୁ କମ୍ କିନ୍ତୁ ୯.୫ ଶତାଂଶରୁ ଅଧିକ ସେମାନଙ୍କ ପାଇଁ ଏହା ଲାଗୁହେବ । ତେବେ ଯେଉଁ କମ୍ପାନୀଗୁଡିକର ରିକଭରି ହାର ୯.୫ ଶତାଂଶରୁ କମ୍ ସେମାନଙ୍କୁ କ୍ୱିଣ୍ଟାଲ ପିଛା ଏଫଆରପି ବାବଦରେ ୨୭୦ ଟଙ୍କା ୭୫ ପଇସା ଦେବାକୁ ପଡିବ ।ଆଖୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଲାଭଦାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହାଫଳରେ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ପାଇପାରିବେ । ୧୯୬୬ ଆଖୁ ନିୟନ୍ତ୍ରଣ ଆଇନ ବଳରେ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ସମଗ୍ର ଦେଶପାଇଁ ଏହି ଏଫ୍ଆରପି ସମାନଭାବେ ଲାଗୁ ହେବ ।


