ମାଆ ର ମୃତ୍ୟୁ : ବେସାହାରା ହୋଇ ଗଲେ ୪ ଝିଅ

ଖଲ୍ଲିକୋଟ,(ସିଲୁ ବିଶ୍ୱାଳ): ଦୁର୍ଘଟଣା ରେ ମାଆ ର ମୃତ୍ୟୁ ପରେ ବେସାହାରା ହୋଇ ଯାଇଛନ୍ତି ୪ ଝିଅ ।ଏବେ କେମିତି ବଞ୍ଚିବେ ସେ ଚିନ୍ତାରେ ଚାରି ଭଉଣୀ ।ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ସରଣପୁର ଗ୍ରାମରେ ।ଶ୍ରୀକୃଷ୍ଣ ସରଣପୁର ଗ୍ରାମର ଉମା ଦାସ ପୋଲସରା ଢୁଙ୍କାପଡା ଗ୍ରାମର ଅମର ଦାସ ଙ୍କୁ ବିବାହ କରିଥିଲେ ।ତେବେ ଅମର ଦାସଙ୍କ ଗତ ୧୧ ବର୍ଷ ତଳେ ମୃତ୍ୟୁ ଘଟିବା ପରେ ସେ ୪ ଝିଅ ଙ୍କୁଧରି ଶାଶୁ ଘର ଛାଡ଼ି ବାପା ଘର କୁ ଚାଲି ଆସିଥିଲେ ।ଶ୍ରୀକୃଷ୍ଣ ସରଣପୁର ଗ୍ରାମରେ ଏକ ଭଡାଘରେ ରହି ଦିନ ମଜୁରିଆ ଭାବେ କାମ କରି ଯାହା କିଛି ମିଳେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଦୁଃଖେ ସୁଖେ ଚଳିଯାଉ ଥିଲେ ।ଏମିତି କି ଆବଶ୍ୟକ ପଡିଲେ ସେ ଚେନ୍ନାଇ ଭଳି ବାହାର ରାଜ୍ୟ କୁ ମଧ୍ୟ କାମଧନ୍ଦା କରିବା ପାଇଁ ଯାଉଥିଲେ ।ତେବେ ଗତ ରବିବାର ଦିନ ସେ ଭୁବନେଶ୍ୱର ରୁ କାମଧନ୍ଦା ସାରି କୌଣସି ମତେ ବାଲୁଗାଁ ଠାରେ ପହଞ୍ଚି ଥିଲେ ।ସେଠାରୁ ତାଙ୍କ ପୁତୁରା ସହ ଏକ ସାଇକେଲ ରେ ବସି ନିଜ ଗାଁକୁ ଫେରୁଥିବା ବେଳେ ନାଭାଲ ଛକ ନିକଟରେ ଏକ କାର ସାଇକେଲ କୁ ଧକ୍କା ଦେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ ।ଉଭୟ ଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।ତେବେ ଉମାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗି ଅଚେତ ଅବସ୍ଥାରେ ରହିଥିବା ରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଶବ ବ୍ୟବଚ୍ଛେଦ ପରେ ଗତକାଲି ଗାଁ କୁ ମୃତଦେହ ଅଣାଯାଇ ଅଂତିମ ସତ୍କାର କରାଯାଇଥିଲା ।ତେବେ ଉମାଙ୍କ ମୃତ୍ୟୁ ପରେ ତାଙ୍କ ୪ ଝିଅ ଏବେ ବେସାହାରା ହୋଇଯାଇଛନ୍ତି ।ବଡ଼ ଝିଅ ମମତା ଦାସ ମ୍ୟାଟ୍ରିକ ପରେ ପାଠରେ ଡୋରୀ ବାନ୍ଧି ଥିବା ବେଳେ ଦ୍ୱିତୀୟ ଝିଅ ସସ୍ମିତା ଦଶମ ଶ୍ରେଣୀରେ ପଢୁଛି ।ତୃତୀୟ ଝିଅ ସୁଜାତା ଅଷ୍ଟମ ଓ ସାନ ଝିଅ ରିତା ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି ।ମାଆ ରୋଜଗାର କରି ଆଣିଲେ ଏମାନେ ଚଳୁଥିଲେ ।ଏବେ ମାଆ ର ମୃତ୍ୟୁ ପରେ ଚାରି ଭଉଣୀ ଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟ କୁ ଠେଲି ହୋଇଯାଇଛି ।ଏବେ ସେମାନେ ନିଜ ର ଅର୍ଦ୍ଧ ନିର୍ମିତ ଘରେ ରହୁଛନ୍ତି ।ପାଖରେ ଥିବା ଆଈ ମଝିରେ ମଝିରେ ଆସି ଭଲମନ୍ଦ ବୁଝି ଯାଉଛନ୍ତି ।ଆଗକୁ କିପରି ଚଳିବେ ଚିନ୍ତାରେ ପଡିଯାଇ ଛନ୍ତି ଚାରି ଭଉଣୀ ।ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ସେଠୀ ଙ୍କୁ ପଚାରିବାରୁ ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାହା ସରକାରୀ ସହାୟତା ମିଳି ପାରିବ ସେ ବିଷୟରେ ବିଡ଼ିଓଙ୍କ ସହ ଆଲୋଚନା କରି ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଦୁର୍ଘଟଣା ଘଟାଇଥିବା କାର କୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଆମକୁ ସୂଚନା ଦେଇଛନ୍ତି ।ଏ ସମ୍ପର୍କରେ ନାଭାଲ ଫାଣ୍ଡି କେସ ନମ୍ବର ୧୪୫/୨୦୨୦ ରେ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ