ଆଜି ବାହୁଡା ଯାତ୍ରା
ଆସିକା (ୱାଇଏନ୍ଏସ୍): ସରିଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଆଡପ ମଣ୍ଡପ ଗୁଡିକରେ ଗୁରବାର ବ୍ରହ୍ମାଣ୍ଡନାଥଙ୍କ ସନ୍ଧ୍ୟା ଦର୍ଶନ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥିବା କୋଟି କୈବଲ୍ୟନାଥ ମହାପ୍ରଭୁ ଜଗତକର୍ତ୍ତା ଜଗନ୍ନାଥଙ୍କୁ ଆଡପ ମଣ୍ଡପରେ ଆଜି ଥିଲା ଶେଷ ଦର୍ଶନ । ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଆତ୍ମା ବ୍ୟାକୁଳ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଭାବର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ଭକ୍ତ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ସମୟରେ ଦିଅଁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ ଅଶେଷ ପୁଣ୍ୟ ମିଳିଥାଏ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶ୍ରଦ୍ଧାଳୁ ଭକ୍ତମାନେ ଚଳିତବର୍ଷର ଆଡପ ମଣ୍ଡପରେ ଶେଷ ଦିଅଁ ଦେଖା ଗୁରବାର ଶେଷ ହୋଇଛି । ଆଡପ ମଣ୍ଡପ ଗୁଡିକରେ ଜଗତସାଇଁଙ୍କୁ ଗୁରବାର ହରିହର ବେଶରେ ସଜ୍ଜିତ କରାଯାଇଥିଲା । ବର୍ଷକୁ ଥରେ ନିଜର ଭକ୍ତଗଣଙ୍କୁ ଦର୍ଶନ ଦେବା ଲାଗି ଜଗତକର୍ତ୍ତା ଶ୍ରୀ ଜଗନ୍ନାଥ, ଅଗ୍ରଜ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ନବଦିନ ବ୍ୟାପି ନିଜସ୍ୱ ମନ୍ଦିର ଛାଡି ଚାଲିଆସିଥିଲେ ଆଡପ ମଣ୍ଡପକୁ। ଏହି ୯ଦିନର ଲୀଳା ଖେଳା ଶେଷ କରି ଆସନ୍ତାକାଲି ଶୁକ୍ରବାର ଚତୁର୍ଦ୍ଧାମୁର୍ତ୍ତୀ ବାହୁଡା ଯାତ୍ରାରେ ପୁଣି ବାହୁଡିବେ ନିଜସ୍ୱ ମନ୍ଦିରକୁ ତେଣୁ ପବିତ୍ର ବାହୁଡାଯାତ୍ରାକୁ ବିଧିବିଧାନ ଓ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରିବା ଲାଗି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଗୁରବାର ଆଡପ ମଣ୍ଡପ ଗୁଡିକରେ ଶ୍ରୀ ବିଗ୍ରହ ମାନଙ୍କ ବହୁ ପ୍ରତୀକ୍ଷିତ ସନ୍ଧ୍ୟା ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା ବେଳେ ଜୟ ଜଗନ୍ନାଥ ଧ୍ୱନୀରେ ଗୁଣ୍ଡିଚା ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡିଥିଲା। ଗତ ୧୬ ତାରିଖ ପବିତ୍ର ଘୋଷଯାତ୍ରା ଠାରୁ ଆଡପ ମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ବିଭିନ୍ନ ଅବତାରରେ ଦର୍ଶନ ଦେଉଥିବା ଚତୁର୍ଦ୍ଧା ବିଗ୍ରହ ଆସନ୍ତାକାଲି ବାହୁଡା ରଥରେ ବସି ନିଜସ୍ୱ ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଲୀଳାଖେଳା ଗୁରବାର ଶେଷ ହୋଇଛି । ଆଜି ନବମୀ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି । ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଆଡପ ମଣ୍ଡପରେ ଆଜି ଥିଲା ଶେଷ ଦର୍ଶନ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ବେଳେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା


