ନବମୀ ତିଥୀରେ ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ରାମ ଅବତାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥ ଅଗ୍ରଜ ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କୁ ନେଇ ରଥଯାତ୍ରା ଅବସରରେ ମନ୍ଦିରରୁ ଆସି ଆଡପ ମଣ୍ଡପରେ ବିଜେ କରିଛନ୍ତି । ରଥଯାତ୍ରାର ନବମ ଦିବସ ଗୁରୁବାର ଦିନ ପାବନ ଶ୍ରୀକ୍ଷେତ୍ରାଧିପତି ରାମ ଅବତାରରେ ସଜ୍ଜିତ ହୋଇଛନ୍ତି । ସ୍ଥାନୀୟ ପୌରାଞ୍ଚଳ ଇନଡୋର ଷ୍ଟାଡିୟମ ପରିସରରେ ଅସ୍ଥାୟୀ ଆଡପ ମଣ୍ଡପରେ ବିଜେ ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ରାମ ଅବତାର ଦର୍ଶନ ପାଇଁ ବିପୁଳ ଜନସମାଗମ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ବଡରଙ୍ଗଣି ସାହି, ପାଟଣା ସାହି ସମେତ ସ୍ଥାନୀୟ ବ୍ଳକର ବୁରୁପଡା , ଶାସନଆମ୍ବଗାଁ, ସାରୁ, ମକରଝୋଳ , ଦୁର୍ବନ୍ଧ, କଞ୍ଚୁରୁ ସମେତ ବିଭିନ୍ନ ଜଗନ୍ନାଥ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ରଘୁନାଥ ବେଶରେ ସୁଜ୍ଜିତ କରାଯାଇଥିଲା । ଶୁକ୍ରବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।


