ମାଛ ମାଫିଆଙ୍କ କବଜାରେ ଗାରୋଇ ସ୍ଳୁଇସ ଗେଟ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ କୋରୁଅ ପଂଚାୟତର ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗ ସ୍ଥଳରେ ଗାରୋଇ ଠାରେ ନିର୍ମାଣ କରାଯାଇଛି ସ୍ଲୁଇସି ଗେଟ । ଏହି ସ୍ଲୁଇସ ଗେଟର ମୁଖ୍ୟ ଲକ୍ଷ୍ୟ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ କରିବା ସହିତ ଗୋବରୀ ନଦୀରେ ଜଳ ସଂରକ୍ଷଣ କରି ଚାଷ ସମୟରେ ଚାଷ ଜମିକୁ ଜଳ ଯୋଗାଇବା । ଏହି ସ୍ଳୁଇସ ଗେଟର ରକ୍ଷାଣବେକ୍ଷଣ ଦାୟିତ୍ୱ ଜଳ ସଂପଦ ବିଭାଗ ହାତରେ ରହିଛି । ସ୍ଲୁଇସ ଗେଟ କେଉଁ ସମୟରେ ଖୋଲା ଯିବ କେଉଁ ସମୟରେ ବନ୍ଦ ରହିବ ବିଭାଗୀୟ କର୍ମଚାରୀଙ୍କୁ ସେହି ଦାୟିତ୍ୱ ଦିଆଯାଇଛି । ଗତ ବର୍ଷ ଜଳ ସଂପଦ ବିଭାଗ ପକ୍ଷରୁ ଏହି ସ୍ଲୁଇସି ଗେଟର ଥିବା ୫ଟି କବାଟକୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା । କିନ୍ତୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ଗେଟ ଟିକୁ ମରାମତି କରାଯାଇଥିଲେ ମଧ୍ୟ ବର୍ତମାନ ସ୍ଲୁଇସ ଗେଟର ଅବସ୍ଥା ପୂର୍ବାବସ୍ଥାକୁ ଫେରିଆସିଛି । ସ୍ଳୁଇସ ଗେଟର ଚାବି ବିଭାଗୀୟ କତୃପକ୍ଷଙ୍କ ପାଖରେ ଥିବା ବେଳେ ମାଛ ମାଫିଆମାନେ ଉକ୍ତ ଗେଟକୁ ଖୋଲି ଅନ୍ୟ ଉପାୟରେ ଖୋଲି ମାଛ ଧରୁଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ଯାହାଫଳରେ ସ୍ଲୂଇସ ଗେଟର ୫ଟି ଗେଟ ମଧ୍ୟରୁ ୩ ଟି ଗେଟ ଖରାପ ରହିଥିବା ବେଳେ ଜଳ ନିଷ୍କାସନ ହୋଇପାରୁ ନାହିଁ । କେବଳ ୨ ଟି ଗେଟରେ ଜଳ ନିଷ୍କାସନ ହେଉଛି । ଗତ କିଛି ଦିନ ହେବ ବୃଷ୍ଟିପାତ ହେବାରୁ ସ୍ଥାନୀୟ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚାଷ କାର୍ଯ୍ୟ ଆରମ୍ଭ ହେବା ବେଳକୁ ସ୍ଳୁଇସ ଗେଟରେ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଚାଷ ଜମି ଜଳମଗ୍ନ ହେବାକୁ ବସିଲାଣି । ସ୍ଲୁଇସି ଗେଟଟି ମାଛ ମାଫିଆଙ୍କ କବଜାରେ ଥିବାରୁ ଆବଶ୍ୟକ ସମୟରେ ଚାଷ ଜମିକୁ ଜଳ ଯୋଗାଇ ଦିଆଯାଇ ପାରୁ ନଥିବା ବେଳେ ଉଦବୃତ ଜଳ ମଧ୍ୟ ନିଷ୍କାସନ ହୋଇ ପାରୁନାହିଁ । ବର୍ତମାନ ଲଗାଣ ବର୍ଷା ଲାଗି ରହିଥିବାରୁ ତଳିଆ ଅଂଚଳ ଯଥା ତିରୁଣା, ଡାବର, କୋରୁଅ, ଡେରିକି, ନାଉଗାଁ, ଶିଖର,ଓଷକଣା ଆଦି ପଂଚାୟତରେ ଧାନ ରୁଆ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ସମୟରେ ନଦୀରେ ଉଦବୃତ ବର୍ଷା ଜଳ ଆସିଥିବାରୁ ବାଉଁଶ ଯୋରୀ ଓ ଗୋବରୀ ନଦୀ ଦେଇ ଉକ୍ତ ଜଳ ଚାଷ ଜମିକୁ ପ୍ରବେଶ କରୁଛି । ଚାଷି ଧାନ ରୋଇବା ପରେ ପରେ ଉକ୍ତ ଜଳ ଚାଷ ଜମିକୁ ବୁଡାଉ ଥିବା ବେଳେ ସ୍ଳୁଇସ ଗେଟ ଠିକ ଭାବେ କାର୍ଯ୍ୟ କରୁ ନଥିବାରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ । ଯାହାଫଳରେ ଚାଷି ଚିନ୍ତାରେ ପଡିଯାଇଛି । ମାଛ ମାଫିଆ ମାନେ ବିନା ଟେଣ୍ଡରରେ ସ୍ଳୁଇସ ଗେଟକୁ ବ୍ୟବହାର କରି କ୍ୱିଂଟାଲ କ୍ୱୁଂଟାଲ ମାଛ ଧରୁଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି ଚାଷି । ତେଣୁ ଉକ୍ତ ସ୍ଳୁଇସ ଗେଟକୁ ଠିକ ଭାବେ ପରିଚାଳନା କରିବା ପାଇଁ ସ୍ଥାନୀୟ ଚାଷି ମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଅନିଲ ରାଉତରାୟଙ୍କୁ ପଚାରିବାରୁ ୫ ଟି ଗେଟ ମଧ୍ୟରୁ ୨ ଟି ଗେଟରେ ଜଳ ନିଷ୍କାସନ ହେଉଛି । ଆଉ ୩ଟି ଗେଟରେ ତଳ ଭାଗରେ ତୃଟି ରହିଛି, ଉକ୍ତ ଭାଗଟି ପାଣିରେ ବୁଡି ରହିଥିବାରୁ କାର୍ଯ୍ୟ କରାଯାଇ ପାରୁନାହିଁ । ତଥାପି ଆମେ ଟେକନସିଆନକୁ ଡାକିଛୁ ଯଥା ଶୀଘ୍ର ଉକ୍ତ ୩ଟି ଗେଟ ଖୋଲାଯିବାର ବ୍ୟବସ୍ଥା କରାଯିବ କହିଥିଲେ ।