ଯାଜପୁର ଜିଲ୍ଲାରେ ୭ମ ଅର୍ଥନୈତିକ ଗଣନା ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ
ଯାଜପୁର : ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ୭ମ ଅର୍ଥନୈତିକ ଗଣନା ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଳାପାଳ ରଂଜନ କୁମାର ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାର ୩୧୧ଟି ଗ୍ରାମପଞ୍ଚାୟତ ଓ ୨ଟି ପୌରପାଳିକା ଅଧିନରେ ଥିବା ସମସ୍ତ ଗ୍ରାମ ଓ ୱାର୍ଡରେ ଘରକୁ ଘର ଯାଇ ପ୍ରାଥମିକ ଗଣନାକାରୀମାନେ ସମସ୍ତ ଘର, ପରିବାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ତଥ୍ୟ ସଂଗ୍ରହ କରିବେ । ଏହି ଗଣନା କାର୍ଯ୍ୟ ଜନସେବା କେନ୍ଦ୍ର ଦ୍ୱାରା ନିୟୋଜିତ ୧୪୨୫ ଜଣ ଗଣନାକାରୀଙ୍କ ଦ୍ୱାରା ସମ୍ପାଦିତ ହେବ । ଏହି ଗଣନା କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୭୩ ଜଣ ଜନସେବାକେନ୍ଦ୍ର ଦ୍ୱାରା ପ୍ରଥମ ସ୍ତରୀୟ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ଅଧିକାରୀ ଏବଂ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ , କଟକର ଅଧିକାରୀମାନଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ତତ୍ତ୍ୱାବଧାନ କରାଯିବ । ଏଥିପାଇଁ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ମୋବାଇଲ ଆପ୍ ଜରିଆରେ ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ନିମନ୍ତେ ଉପସ୍ଥିତ ସମସ୍ତ ଏନୁମେରେଟର ଓ ସୁପରଭାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଏକ କଷ୍ଠସାଧ୍ୟ କାର୍ଯ୍ୟ ହୋଇଥିଲେ ମଧ୍ୟ ଜିଲ୍ଲାରେ କିପରି ସୂଚାରୁ ରୂପେ ଏହି କାର୍ଯ୍ୟ ସମ୍ପାଦିତ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଗୋକୁଳଚନ୍ଦ୍ର ଜେନା, ପରିସଂଖ୍ୟାନ ଅଧିକାରୀ ବାଇଧର ଜେନା, ସହକାରୀ ପରିସଂଖ୍ୟାନ ଅଧିକାରୀ ପୁଷ୍ପାଞ୍ଜଳୀ ପଣ୍ଡା, ଇକୋନୋମିଷ୍ଟ ଲୋପାମୁଦ୍ରା ମହାନ୍ତି , ଫାଇନାନ୍ସ ଏକ୍ସପର୍ଟ ସର୍ମିଷ୍ଠା ରାଜନନ୍ଦିନୀ ନାୟକ ଯୋଗଦେଇଥିବା ବେଳେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ, କଟକର ବରିଷ୍ଠ ପରିସଂଖ୍ୟାନ ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ, ଆଞ୍ଚଳିକ ଶିଳ୍ପକେନ୍ଦ୍ର, କଳିଙ୍ଗନଗର ଆଇ.ପି.ଓ ରମାକାନ୍ତ ବେହେରା ଓ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଚିତ୍ତରଂଜନ ରାଉତ ପ୍ରମୁଖ ଯୋଗଦେଇଥିଲେ । ଯାଜପୁର ଜିଲ୍ଲା ଜନସେବା କେନ୍ଦ୍ର, ଇ-ଗଭର୍ନାସ ଅଫ୍ ଇଣ୍ଡିଆର ଜିଲ୍ଲା ପରିଚାଳକ ସୌମ୍ୟରଂଜନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯାଜପୁର ଭି.ଏଲ୍.ଇ ସୋସାଇଟି ର ସଭାପତି ଯୁବରାଜ ରଣା ଓ ଦଶରଥପୁର ଭି.ଏଲ.ଇ. କମିଟିର ସଭାପତି ସଂକର୍ଷଣ କୁଣ୍ଡୁ ପରିଚାଳନାରେ ସହଯୋଗ କରିଥିଲେ ।


