ପୌର କାର୍ଯ୍ୟାଳୟ ସମ୍ମୁଖରେ ଓ.ଟି. ରୋଡ଼୍ ପଥବିକ୍ରେତାଙ୍କ ବିକ୍ଷୋଭ

ବାଲେଶ୍ୱର : ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିରଠାରୁ ବାଲେଶ୍ୱର ଫ୍ଲାଇ ଓଭରବ୍ରିଜ୍ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତା ସଂପ୍ରସାରଣ ଆଳରେ ବେଆଇନଭାବେ ପଥ ବିକ୍ରେତା ଉଚ୍ଛେଦକୁ ପ୍ରତିବାଦ କରି ଓଟି ରୋଡ଼୍ ପଥବିକ୍ରେତା ସଂଘ ବାଲେଶ୍ୱର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁରୁଡ଼ା ଛକରୁ ବାଲେଶ୍ୱର ଫ୍ଲାଇଓଭର ବ୍ରିଜ୍ ପର୍ଯ୍ୟନ୍ତ ୪ ଲେନ୍ ରାସ୍ତା ପାଇଁ ରାସ୍ତା ଡିଭାଇଡର, ଦୁଇପାଖ ନାଳ ମିଶାଇ ମୋଟ ୮୦ଫୁଟ ଆବଶ୍ୟକ ଥିବାବେଳେ ଏହି ରାସ୍ତା ନିର୍ମାଣକୁ ପଥବିକ୍ରେତା ସଂଘ ଅଭିନନ୍ଦନ ଜଣାଇଛି । କିନ୍ତୁ ଏହି ଓଟି ରୋଡ଼୍ରେ କେତେକ ସ୍ଥାନରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବେଆଇନ ଅଟ୍ଟାଳିକା ସୁରକ୍ଷା ପାଇଁ ୮୦ଫୁଟରେ ସୀମିତ ରଖିଥିବା ବେଳେ ସେହି ରାସ୍ତାରେ ୮୦ଫୁଟ ବାହାରେ ବସିଥିôବା ଉଠାଦୋକାନୀଙ୍କ ଦୋକାନକୁ ଟିଭିସିର ବିନା ନିଷ୍ପତ୍ତିରେ ଧ୍ୱଂସ କରାଯାଇଛି । ଏପରିକି ୮୦ଫୁଟ ବାହାରେ ଥିବା ଉଠାଦୋକାନୀଙ୍କ ଠେଲା ଗଡ଼ାଇ ଦେଇ ନିଆଁ ଲଗାଇ ଦିଆଯାଉଛି । ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ୍-୨୦୧୪ ରାଷ୍ଟ୍ରପତିଙ୍କ ଦ୍ୱାରା କେନ୍ଦ୍ରୀୟ ଆଇନରେ ପରିଣତ ହେବାପରେ ପଥବିକ୍ରେତା ଆଉ ଜବରଦଖଲକାରୀ ନୁହନ୍ତି । ସମ୍ବିଧାନର ମୌଳିକ ଅଧିକାର ଧାରା -୧୯ (ଘ)ରେ ପଥଚାରୀ ନିର୍ବିଘ୍ନରେ ଯାତାୟତ କରିବା ଏବଂ ଧାରା-୧୯ (ଛ)ରେ ଭାରତର କୌଣସି ନାଗରିକ ଜୀବିକା ଅର୍ଜନ ପାଇଁ ରାସ୍ତାର ଏକ ଅଂଶ ବ୍ୟବହାର କରିବା ମଧ୍ୟ ମୌଳିକ ଅଧିକାର ଅଟେ । ୨୦୧୦ ମସିହା ଅକ୍ଟୋବର ୮ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନ୍ୟାୟମୂର୍ତ୍ତି ଜି.ଏସ୍.ସିଙ୍ଗ୍ଭି ଏବଂ ନ୍ୟାୟମୂର୍ତ୍ତି ଅଶୋକ ଗାଙ୍ଗୁଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁଇ ମୌଳିକ ଅଧିକାରର ସୁରକ୍ଷା ପାଇଁ ଆଇନ ପ୍ରଣୟନ ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ଏହି ନିର୍ଦ୍ଦେଶ ପରେ ୨୦୧୩ ମସିହା ସେପ୍ଟେମ୍ବର ୬ ତାରିଖରେ “ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ-ବିଲ୍” ଲୋକସଭାଦ୍ୱାରା ସର୍ବସମ୍ମତିକ୍ରମେ ଅନୁମୋଦିତ ହେଲା ଓ ୨୦୧୪ ଫେବୃୟାରୀ ୨୦ରେ ରାଜ୍ୟସଭାଦ୍ୱାରା ସର୍ବସମ୍ମତିକ୍ରମେ ଅନୁମୋଦିତ ହୋଇ ମାର୍ଚ୍ଚ ୫ରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀପାଇ କେନ୍ଦ୍ରୀୟ ଆଇନ ପ୍ରଣିତ ହେଲା । ଏହି ଆଇନ ପଥବିକ୍ରେତାଙ୍କ ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ନିମନ୍ତେ ୨୦୧୪ ମଇ ପହିଲାରୁ କାର୍ଯ୍ୟକାରୀ ହେବାବେଳେ ଏହାର ରେଗୁଲେଟର ଭାବେ ଟିଭିସି ଗଠନ ବ୍ୟବସ୍ଥା ହୋଇଅଛି । ଟିଭିସି ନାଚୁରାଲ୍ ମାର୍କେଟିଂ, ଭେଣ୍ଡିଙ୍ଗ୍ ଜୋନ୍, ରେଷ୍ଟ୍ରିକ୍ଟେଡ୍ ଜୋନ୍ ଓ ନୋ ଭେଣ୍ଡିଙ୍ଗ୍ ଜୋନ୍ ଗଠନର ଅନୁଷ୍ଠାନ ଅଟେ । ଏହା ପୂର୍ବରୁ ଉଠାଦୋକାନୀ ସମ୍ପର୍କୀୟ ମୁନିସିପାଲ ଆଇନ୍, ରାଜସ୍ୱ ଆଇନ ଓ ପୋଲିସ୍ ଆଇନରେ ଯାହାଥିଲା, ତାହା ଉପରେ ଏହି ଆଇନର ଓଭରରାଇଡ଼୍ କ୍ଷମତା ରହିଛି । ଏହି କେନ୍ଦ୍ରୀୟ ଆଇନକୁ ପ୍ରଶାସନ, ପୌର ଓ ପୋଲିସ୍ କର୍ତ୍ତୃପକ୍ଷ ଅବମାନନା କରି ଅପରାଧ କରିଚାଲିଛନ୍ତି । ତେଣୁ ଟିଭିସି ତା’ର ଦାୟିତ୍ୱ ତୁଲାଇବା ପାଇଁ ପ୍ରତିମାସ ବୈଠକ କରାଇଲେ ହିଁ ଏହି ସମସ୍ୟାର ସମାଧାନ ହେବ ଓ ତୁରନ୍ତ ଟିଭିସି ବୈଠକ ଡକାଇ କାର୍ଯ୍ୟସୂଚୀ ନିର୍ଣ୍ଣୟ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ବାଲେଶ୍ୱର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମ୍ରିତ ସରକାର, ନାଶନାଲ ହକର ଫେଡେରେଶନ୍ର ସର୍ବଭାରତୀୟ ଅତିରିକ୍ତ ସାଧାରଣ ସଂପାଦକ ଜୟନ୍ତ ଦାସ, ଓଡ଼ିଶା ପଥ ବିକ୍ରେତା ସଂଘ ବାଲେଶ୍ୱର ପୌରାଞ୍ଚଳ କମିଟି ଉପସଭାପତି ଆବିଦ ଖାନ୍, ସଂପାଦକ ମୋହିନୀ ମୋହନ ପରିଡ଼ା, ଟିପିରି ସିଂ, ଅଭିରାମ ବାରିକ୍, ରାଜେଶ କୁମାର ପଣ୍ଡା, ମୁକ୍ତିକାନ୍ତ ଜେନା, ସାବିତ୍ରୀ ବେହେରା, ଦେବଜିତ୍ ବାରିକ୍, ପ୍ରଶାନ୍ତ ଜେନା, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅମ୍ରିତ୍ କୁମାର ସରକାର ଓ.ଟି. ରୋଡ଼୍ର ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ବାଲେଶ୍ୱର ପ୍ରଥମ ଫ୍ଲାଇ ଓଭର ବ୍ରିଜ୍ ପର୍ଯ୍ୟନ୍ତ ସରଜମିନ୍ ତଦନ୍ତ କରି ରାସ୍ତା ପ୍ରଶସ୍ତିକରଣପାଇଁ ଆବଶ୍ୟକୀୟ ୮୦ଫୁଟ୍ ଅର୍ଥାତ୍ ରାସ୍ତାର ମଝିରୁ ଉଭୟ ପାଶ୍ୱର୍କୁ ୪୦-୪୦ଫୁଟ୍ ବ୍ୟବଧାନ ବାହାରେ କାର୍ଯ୍ୟରତ ଉଠାଦୋକାନୀମାନଙ୍କୁ ଥଇଥାନର ବ୍ୟବସ୍ଥା କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ