ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇଛି ସ୍ୱଛସାଥୀ
ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ଶିକ୍ଷୀତା ଗୃହିଣୀ , ପୂର୍ବରୁ ସ୍ୱେଛାସେବୀ ଅନୁଷ୍ଠାନରେ କାର୍ଯ୍ୟକରୁଥିବା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ଯୋଡା ପୌରପାଳିକା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ପୌରପାଳିକାର ୧୪ ଟି ଓାର୍ଡରେ ଥିବା ଏହି ମହିଳାମାନଙ୍କୁ ପୌରପାଳିକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇଛି । ମହିଳା ତରନୁମ୍ ପରଭିନ୍, ସୁମିତ୍ରା ପ୍ରଧାନ, ଅପର୍ଣ୍ଣା ମହାନ୍ତି, ତେଜସ୍ୱନୀ ପ୍ରଧାନ, ସୀମା ପୁର୍ତି ପ୍ରମୁଖ କାର୍ଯ୍ୟରତ ସୁପରଭାଇସରମାନେ କହିଛନ୍ତି ଯେ, ୨୦୧୯ ମସିହା ଜୁଲାଇ ୧୯ ତାରିଖରେ ୧୪ ଟି ଓାର୍ଡର ୧୯ ଜଣ ସ୍ୱଛସାଥୀ ଓ ୫ ଜଣ ସୁପରଭାଇସର ପୌରପାଳିକାର ସ୍ୱଛତା କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥିଲେ । ସୁପରଭାଇସର ଭାବେ ନିଯୁକ୍ତି ପାଇଥିବା ୫ଜଣ ମହିଳା ସ୍ନାତକ ଡିଗ୍ରୀ ହାସଲ ପରେ ବେକାର ହୋଇ ବସିଥିବା ବେଳେ ପୌରପାଳିକା ପକ୍ଷରୁ ସେମାନଙ୍କୁ ନିଯୁକ୍ତି ଦିଆଗଲା । ନିଯୁକ୍ତି ପରେ ଉକ୍ତ ମହିଳାମାନଙ୍କୁ ସ୍ୱଛତା ପ୍ରଶିକ୍ଷଣ ପୌରପାଳିକା ପକ୍ଷରୁ ପ୍ରଦାନ କରାଗଲା । ଏହି ସ୍ୱଛସାଥୀ ଓାର୍ଡର ପ୍ରତ୍ୟେକ ଘରକୁ ଘର ଯାଇ ଲୋକଙ୍କୁ ପୃଥକ ପୃଥକ ଭାବେ ଓଦା ଓ ଶୁଖିଲା ବର୍ଜ୍ୟ ବସ୍ତୁକୁ ରଖିବା ପାଇଁ ସଚେତନ କରାଇବା ସହିତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପ୍ରତିଦିନ ସଂଗ୍ରହ କରାଉଛନ୍ତି । ଏତଦବ୍ୟତିତ କୋଭିଡ୍ -୧୯ ଓ ଡେଙ୍ଗୁ ପାଇଁ ସଚେତନତା କରିବା ସହିତ ଏହାର ସବିଶେଷ ସୂଚନା ପ୍ରତିଦିନ ପୌରପାଳିକାକୁ ଦେଉଛନ୍ତି । ସହରରେ ଥିବା ୧୪ ଟି ଓାର୍ଡର ସମ୍ପୂର୍ଣ୍ଣ ସଫେଇ ଉପରେ ମଧ୍ୟ ଏମାନଙ୍କର ଧ୍ୟାନ ରହୁଛି ସୁପରଭାଇସରମାନେ ସ୍ୱଛତା କାର୍ଯ୍ୟ ସମେତ ଆବଶ୍ୟକ ସ୍ଥଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ କରିଥାନ୍ତି । ଅତୀତରେ ଓାର୍ଡର ଲୋକମାନେ ପରିମଳ ସମ୍ପର୍କିତ ଅଭିଯୋଗ ପୌରପାଳିକା କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରୁଥିଲେ । ମାତ୍ର ଏହି ସୁପରଭାଇସର ଓ ସ୍ୱଛସାଥୀମାନଙ୍କର ନିଯୁକ୍ତି ପରେ ଓାର୍ଡବାସୀଙ୍କର ଏହି ସମସ୍ୟା ସମାଧାନ ମଧ୍ୟ ସୁରୁଖୁରୁରେ ହୋଇପାରୁଛି । ସ୍ୱଛସାଥୀମାନଙ୍କର ନିଯୁକ୍ତିରେ ପ୍ରାୟ ୧୯ ଜଣ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦଶମ କିମ୍ବା ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ପରେ ଏହି କାର୍ଯ୍ୟରେ ସେମାନେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱଛସାଥୀ ସଗୁନ ଥାପା, କିରନ କେରେକେରାଇ, ସାଇବୁ ନିଶା, ତାରାମଣୀ କାରୁଆ, ବିମଳା ମହାକୁଡ, ପୁଷ୍ପଲତା ପାତ୍ର ପ୍ରମୁଖ ଏ ସମ୍ପର୍କରେ କହିଛନ୍ତି ଯେ, ପୌରପାଳିକା ପକ୍ଷରୁ ନିଯୁକ୍ତି ପାଇବା ପରେ ସେମାନଙ୍କୁ ପାରିଶ୍ରମିକ ଅର୍ଥ ମିଳୁଛି ଏବଂ ଏହି ଅର୍ଥ ପରିବାର ପ୍ରତିପୋଷଣରେ ସହାୟକ ହୋଇପାରିଛି । ମହିଳାମାନଙ୍କର ଏହି ସଶକ୍ତୀକରଣକୁ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଭୃୟସୀ ପ୍ରଶଂସା କରିବା ସହିତ ଅଧିକରୁ ଅଧିକ ଶିକ୍ଷିତା ମହିଳାଙ୍କୁ କିପରି ଅଂଚଳରେ ଶିଳ୍ପ , କାରଖାନା ଓ ଖଣିରେ ନିଯୁକ୍ତି ଦିଆଯିବ ଏହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।


