ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ପୁରୀ ସହରରେ ବନୀକରଣ ପ୍ରୟାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ସମ୍ପ୍ରତି ସହର ତଥା ସହରାଞ୍ଚଳରେ ବିଶ୍ୱ ତାପାୟନ, ମୃର୍ତ୍ତିକା କ୍ଷୟ, ବାୟୁ ପ୍ରଦୂଷଣ ଏବଂ ଜୈବ ବିବିଧତା, ପରିବେଶ ଅସନ୍ତୁଳନ ରୋକିବାରେ ବନୀକରଣ ହେଉଛିଏକ ପ୍ରମୁଖ କାରକ । ଏହି ପରିପ୍ରେକ୍ଷୀରେ ବନୀକରଣ ତଥା ଚାରାରୋପଣକୁ ଅଧିକ ବ୍ୟାପକ କରିବା ନିମନ୍ତେ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଇଣ୍ଡିଆନ ଅଏଲ୍, ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଶୁଭଜିତ୍ ଘୋଷ । ଚଳିତ ବର୍ଷ ମେ ମାସରେ ହୋଇଥିବା ସାମୁଦ୍ରିକ ବାତ୍ୟା ‘ଫନି’ରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ପୁରାତନ ବୃକ୍ଷ ଉପୁଡ଼ିଯିବା ସହ ବ୍ୟାପକ ଜଙ୍ଗଲ ମଧ୍ୟ କ୍ଷୟ ଘଟିଛି । ଏହି ଅଞ୍ଚଳରେ ଖୁବ କମ୍ ବୃକ୍ଷ ତିଷ୍ଠି ରହିଛି ଯେଉଁଥି ପାଇଁ ଏକ ବିଶାଳ ସବୁଜ ବଳୟ ସୃଷ୍ଟି କରିବା ନିମନ୍ତେ ସ୍ୱତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି । ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ବାୟୁମଣ୍ଡଳରେ କାର୍ବନ ଅନୁକ୍ରମଣ ମାଧ୍ୟମରେ ସ୍ୱଚ୍ଛ ବାତାବରଣ ପ୍ରଦାନ କରିବା, ତାପମାତ୍ରାକୁ ହ୍ରାସ କରିବା, ମୃତ୍ତିକା କ୍ଷୟକୁ ରୋକିବା ନିମନ୍ତେ ବନୀକରଣ ଏବଂ ଚାରାରୋପଣର ଆବଶ୍ୟକତା ରହିଛି । ସ୍ୱଚ୍ଛତା ପଖୱାଡ଼ା, ଭାରତ ସରକାରଙ୍କ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଏକ ପ୍ରୟାସ ଭାବେ ସମଗ୍ର ଦେଶରେ ଜାରି କରାଯାଇଛି । ଇଣ୍ଡିଆନ ଅଏଲ ନିଜର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ହାତ ବଢାଇଛି । ପରିବେଶ ନିରନ୍ତରତା ପ୍ରୟାସ ସ୍ୱରୂପ, ଇଣ୍ଡିଆନ ଅଏଲ୍, ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ‘ବନୀକରଣ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଛି । ଶ୍ରୀ ଘୋଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ୩ ଏକର ଜମିରେ ୭୦୦ ଚାରା ରୋପଣ କରି ପରିବେଶ ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ସ୍ୱଚ୍ଛତା ପଖୱାଡ଼ାର ଏହି ଅଭିନବ ପଦକ୍ଷେପ ଆଗାମୀ ଦିନମାନଙ୍କରେ ଏହି ପ୍ରକାର କାର୍ଯ୍ୟକଳାପ ଏକ ପ୍ରକାର ପ୍ରଗତି ଅଭିମୁଖେ ଅଗ୍ରଗତି ନିମନ୍ତେ ସୁଯୋଗ ସୃଷ୍ଟି କରିଛି । ଇଣ୍ଡିଆନ୍ ଅଏଲ୍ର ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇଟି ଜଳଉତ୍ସ ସ୍ଥାପନ, ଜୈବ-ଶୌଚାଳୟ (ବାୟୋ ଟଏଲେଟ୍) ବ୍ୟବସ୍ଥା, ଅଧିକରୁ ଅଧିକ ବୃକ୍ଷରୋପଣ, ସୌର ଲାଇଟ୍ର ବ୍ୟବସ୍ଥା, ଯୋଗ କେନ୍ଦ୍ର ସ୍ଥାପନ, ଆର୍ଓ ପାନୀୟ ଜଳର ସୁବିଧା, ଦକ୍ଷିଣ କାଳୀ ମନ୍ଦିର ଏବଂ ଏହାର ପରିସରରେ ବେଞ୍ଚ ଏବଂ ଡଷ୍ଟବିନ୍ ସ୍ଥାପନାର ବ୍ୟବସ୍ଥା କରିବା ଭଳି ଯୋଜନା ରହିଛି । ଏହି କାର୍ଯ୍ୟକ୍ରମକୁ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ଭୂୟସୀ ପ୍ରଂଶସା କରିବା ସହ ତାଙ୍କର ଉତ୍ସାହ ଦର୍ଶାଇଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବା ନିମନ୍ତେ ଶ୍ରୀ ଷଢଙ୍ଗୀ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ