ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ, ଯୋଗାଯୋଗ ବିଛିନ୍ନ ଆଶଙ୍କା

ଯୋଡ଼ା, (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି । ଜରିବାହାଲ ଡିଆଇଏଲ ଛକ ନିକଟସ୍ଥ ପୋଲ, ଜୁରୁଡି ହାଟପଦା ନିକଟସ୍ଥ ପୋଲ, ଜୁରୁଡି ଦଲକି ନାଳ ପୋଲ ଗୁଡିକ ଦିର୍ଘ ବର୍ଷ ହେଲା ଭାଙ୍ଗି ପଡିଛି । ଯୋଡା ଖଣିମଣ୍ଡଳ ଦେଇ ଯାଇଥିବା ବ୍ୟସ୍ତବହୁଳ ୨ନଂ ରାଜ୍ୟ ରାଜପଥ ବାମେବାରୀ ବାଂଶପାଣି ରାସ୍ତା ଦେଇ ଦୈନିକ ହଜାର ହଜାର ଖଣିଜ ବୋଝେଇ ଟ୍ରକ, ଡମ୍ପର ଯାତାୟତ କରୁଛନ୍ତି । ଜୁରୁଡି ହାଟପଦା ନିକଟରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି । ପୋଲଟି ଅତି ସଙ୍କୁଚିତ ଥିବାରୁ ପୋଲର ଦୁଇ ପାଶ୍ୱର୍ରେ ଥିବା ବାଡା ମଧ୍ୟ ଭାଙ୍ଗି ପଡିଛି । ସ୍କୁଲ୍ ବସ୍ , ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ, କମାଣ୍ଡର, ଅଟୋ ପ୍ରଭୃତି ଗାଡି ସବୁ ଏହି ପୋଲ ଦେଇ ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି । ଏହି ପୋଲର ସ୍ଥାନେ ସ୍ଥାନେ ତଳ ପାଶ୍ୱର୍ରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ମୁହୂର୍ତରେ ଏହା ସମ୍ପୂର୍ଣ୍ଣ ଭୂଷୁଡି ପଡିଯିବାର ଆଶଙ୍କା ରହିଛି । ରାଜ୍ୟ ରାଜପଥ ନଂ ୨ ର ଏହି ରାସ୍ତା ମରଣଯନ୍ତା ପାଲଟି ଯାଇଥିବାରୁ ସାଧାରଣ ପଥଚାରୀଠାରୁ ଆରମ୍ଭ କରି ବାଇକ୍ ଆରୋହୀ, ଛୋଟ ଯାନବାହାନ ମଧ୍ୟ ଯାତାୟତ କରିବା କଷ୍ଟକର ହୋଇପଡିଛି । ଉକ୍ତ ପୋଲର ଉପର ପାଶ୍ୱର୍ରେ ଗଭୀର ଖାଲ ସୃଷ୍ଟି ହୋଇଥିବାରୁ ବର୍ଷାପାଣି ଜମି ଏକ ପ୍ରକାର ଛୋଟ ଛୋଟ ଜଳକୁଣ୍ଡରେ ପରିଣତ ହୋଇଛି । ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ୧୩ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲା ଖଣିଜ ପାଣ୍ଠି (ଡିଏମଏଫ) ରୁ ୪୭ କୋଟି ଟଙ୍କା ମଂଜୁର କରାଯାଇ ଟେଣ୍ଡର ଜରିଆରେ ଏକ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ଠିକାସଂସ୍ଥା ପକ୍ଷରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ହେଉଥିବାରୁ ଏହି ରାସ୍ତାର ସମ୍ପୂର୍ଣ୍ଣତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖୁବ୍ ଶୀଘ୍ର ଏହି ପୋଲର ମରାମତି କାର୍ଯ୍ୟ କରିନଗଲେ ବର୍ଷାଦିନ ଥିବାରୁ ଏହି ପୋଲ ଭୁଷୁଡି ପଡି ଯୋଗାଯୋଗ ବିଛିନ୍ନ ହୋଇଯିବାର ଆଶଙ୍କା ରହିଛି ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହିତ ଠିକାସଂସ୍ଥା ପକ୍ଷରୁ ପୋଲ ଗୁଡିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର କରାଯାଉଥିବା ନେଇ ସ୍ଥାନୀୟ ଜୁରୁଡିର ବରିଷ୍ଠ ନାଗରିକ ସୁରେନ୍ଦ୍ରନାଥ ମହାନ୍ତି, ଦାସ ପେଣ୍ଠେଇ, ବୀର ପେଣ୍ଠେଇ ପ୍ରମୁଖ ଅଭିଯୋଗରେ କହିଛନ୍ତି । ଏହି ପୋଲ ନିର୍ମାଣ ବେଳେ ୨୦ ରୁ ୨୫ ଏମଏମ ରଡ ବ୍ୟବହାର କରାନଯାଇ ଗୃହ ନିର୍ମାଣରେ ଲଗାଯାଉଥିବା ୧୦ ରୁ ୧୨ ଏମଏମ ସାଇଜ୍ ର ରଡ୍ରେ ପୋଲ ନିର୍ମାଣ କରାଯାଉଥିବାରୁ ଏହି ପୋଲର ସ୍ଥାୟିତ୍ୱକୁ ନେଇ ସନ୍ଦେହ କରିଛନ୍ତି । ସେମାନେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଜୁରୁଡି ଦଲକିନାଳ ପୋଲ ଦେଇ ସ୍ଥାନୀୟ ଏକ ଖଣି କମ୍ପାନୀର ହଜାର ହଜାର ଟ୍ରକ, ଡ୍ରମ୍ପର ବୋଝେଇ କରି ପରିବହନ କରୁଛନ୍ତି । ଫଳରେ ଏହି ପୋଲର ଦୁଇ ପାଶ୍ୱର୍ ଭାଙ୍ଗି ପଡି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଦୀର୍ଘ ବର୍ଷ ହେଲା ଏହି ପୋଲଟି ଭାଙ୍ଗି ପଡିଥିଲେ ହେଁ ଏହାର ମରାମତି ପାଇଁ ସ୍ଥାନୀୟ ଖଣି କମ୍ପାନୀମାନେ ଆଦୌ ଦୃଷ୍ଟି ଦେଉନାହାନ୍ତି । ସ୍ଥାନୀୟ ଅଂଚଳବାସୀ ରାସ୍ତା ଓ ପୋଲର ମରାମତି ପାଇଁ ଅଭିଯୋଗ ଆଣିଲେ ଦୁଇ ଚାରି ଗାଡି ମୋରମ ପକାଇ ସେମାନଙ୍କର ଦାୟିତ୍ୱ ଶେଷ କରିଥାନ୍ତି ବୋଲି ବରିଷ୍ଠ ନାଗରିକ ସୁରେନ୍ଦ୍ର ନାଥ ମହାନ୍ତି ତାଙ୍କ ଅଭିଯୋଗରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ରାସ୍ତା ଓ ପୋଲ ଗୁଡିକର ମରାମତି ପାଇଁ କେନ୍ଦୁଝର ଜିଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏହି ରାସ୍ତାର ମରାମତି କାର୍ଯ୍ୟପାଇଁ ପ୍ରଶାସନ ପକ୍ଷରୁ ଦୃଷ୍ଠି ଦିଆଯାଉନଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ