ବିଧାନସଭାରେ ଉଠିଲା ହାଟଡିହି ତହସିଲରୁ ୧୫୫ ବଣ୍ଡଲ ପଲିଥିନ ଚୋରି ପ୍ରସଙ୍ଗ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ତହସିଲ କାର୍ଯ୍ୟାଳୟରୁ ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ୧୫୫ ବଣ୍ଡଲ ପଲିଥିନ ଚୋରି ଘଟଣା ଏବେ ବିଧାନସଭାରେ ଉଠିଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ଏତେ ପରିମାଣର ପଲିଥିନ କିପରି ଚୋରି ହେଲା, ଏଥିରେ କେଉଁମାନେ ସମ୍ପୃକ୍ତ ଏବଂ ଏହାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ହାଟଡିହି ତହସିଲ କାର୍ଯ୍ୟାଳୟରୁ ପଲିଥିନ ଚୋରି ଘଟଣା ସରକାରଙ୍କ ନଜରକୁ ଆସିଛି। ଜିଲ୍ଲାପାଳଙ୍କ ସୂଚନା ଅନୁଯାଇ ଏହାର ତଦନ୍ତ ଚାଲୁ ରହିଛି। ଏନେଇ ହାଟଡିହି ତହସିଲ ପକ୍ଷରୁ ନନ୍ଦିପଦା ଥାନାରେ ଏତଲା ଦିଆଯାଇ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ବିଭାଗୀୟ କମିଟି ମଧ୍ୟ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୬ ତାରିଖରେ ହାଟଡିହି ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍ରୁ ୧୫୫ଟି ବଡ଼ ପଲିଥିନ ବଣ୍ଡଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାର ଦୁଇଦିନ ପରେ ଅର୍ଥାତ୍ ଅକ୍ଟୋବର ୨୮ ତାରିଖରେ ନନ୍ଦିପଦା ଥାନାରେ ଏତଲା ଦାୟର ହୋଇଥିଲା। ପୋଲିସ ଏନେଇ ମାମଲା ନଂ ୩୯୨/୨୦୨୬ ରୁଜୁ କରି ସାଇଣ୍ଟିଫିକ୍ ଟିମ୍ର ସହଯୋଗରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଷ୍ଟୋର ରୁମ୍ର ଚାବି କିମ୍ବା କବାଟ ଭଙ୍ଗା ନଯାଇ ଏତେ ପରିମାଣର ପଲିଥିନ କିପରି ଗାଏବ ହେଲା, ତାହାକୁ ନେଇ ଆରମ୍ଭରୁ ସନ୍ଦେହ ପ୍ରକାଶ ପାଇଥିଲା। ଏତେ ପରିମାଣର ପଲିଥିନ ନେବା ପାଇଁ ଟ୍ରାକ୍ଟର କିମ୍ବା ପିକ୍ଅପ୍ ଭ୍ୟାନ୍ ଭଳି ଯାନର ଆବଶ୍ୟକତା ଥିବାରୁ ଘଟଣାଟି ଅଧିକ ରହସ୍ୟ ଘେରକୁ ଚାଲିଯାଇଛି। ତେବେ ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ସମ୍ପର୍କରେ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ଘଟଣାର ପର୍ଦ୍ଦାଫାସ କେବେ ହେବ ଏବଂ ଚୋରି ପଛରେ ଥିବା ପ୍ରକୃତ ରହସ୍ୟ କେବେ ସାମ୍ନାକୁ ଆସିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ନଜର ରହିଛି।


