କନ୍ଧମାଳରେ ଜୀବିକା ପାଇଁ ଜୀବନ ସହିତ ଲଢ଼େଇ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ବିକାଶ ପାଇଁ ବିିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ସଠିକ୍ କାର୍ଯ୍ୟକାରୀ କରାଯାଉ ନାହିଁ, ଯାହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଜିଲ୍ଲାରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ପାଦଚଲା ରାସ୍ତାଟିଏ ମଧ୍ୟ ନାହିଁ।ଅନେକ ସ୍ଥଳରେ ମଧ୍ୟ ମିଳିଛି ପ୍ରତିଶ୍ରୁତି, କିନ୍ତୁ ତାହା ମଧ୍ୟ କେବଳ ପ୍ରତିଶ୍ରୁତି ହୋଇ ରହିଯାଇଛି।ଅନ୍ୟପକ୍ଷରେ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜିଲ୍ଲାର ଅନେକ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବାବେଳେ ଅନେକ ନଦୀଘେରରେ ରହିଛି।ସେଥି ମଧ୍ୟରୁ ଅଧିକାଂଶ ଗ୍ରାମରେ ଥିବା ନଦୀ ଉପରେ ପୋଲ ନିର୍ମାଣ ହୋଇନାହିଁ।ଫଳରେ ନଦୀରେ ଜଳସ୍ତରରେ ବୃଦ୍ଧି ପାଇଲେ କେଉଁ ଅଞ୍ଚଳରେ ଗଛକାଟି ନଦୀ ପାର ହେଉଥିବା ବେଳେ ଆଉ କିଏ ଛୋଟ ଛୋଟ ନାଳମାନଙ୍କରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଯାତାୟାତ କରିଥାନ୍ତି।ସେହଭଳି କେତେକ ଅଞ୍ଚଳରେ ବିନା ନାବିକରେ ଦେଶୀଡଙ୍ଗାରେ ଲୋକ ଯାତାୟାତ କରିଥା’ନ୍ତି।ତେବେ ଏହାଠାରୁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ନଦୀ ପାର୍ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର କ.ନୂଆଗାଁ ବ୍ଲକ୍ ମହାସିଙ୍ଗ୍ ପଞ୍ଚାୟତରେ।ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ଥିବା କୁବେରମୁଣ୍ଡା, ଲଦା ଓ ସାଇନପଡ଼ା ପଞ୍ଚାୟତର ଜାରଙ୍ଗା ଗ୍ରାମରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ବସବାସ କରିଥାନ୍ତି।ବାର୍ଦ୍ଧକ୍ୟ ଭତ୍ତା ହେଉ କି ରାସନ ସାମଗ୍ରୀ, କିରୋସିନି ପାଇଁ ଏମାନଙ୍କୁ ଖଡ଼ଗ ନଦୀ ପାର୍ ହୋଇ ମହାସିଙ୍ଗ୍ ପଞ୍ଚାୟତ କାର୍ଯ୍ୟାଳକୁ ଆସିବାକୁ ପଡ଼ିଥାଏ।ଏଭଳି ସ୍ଥଳେ ବର୍ଷାଋତୁ ଆସିଗଲେ ଏଠାକାର ଲୋକଙ୍କ ଦୁଃଖ ବଢିଯାଏ।ନଦୀରେ ପୋଲ ନିର୍ମାଣ ହୋଇନଥିବା ଏବଂ ନଦୀ ପାର ନିମନ୍ତେ ଡଙ୍ଗା ନଥିବାରୁ ଗ୍ରାମବାସୀ ବାଧ୍ୟହୋଇ ଟ୍ରାକ୍ଟର ଟ୍ୟୁବ୍ ମାଧ୍ୟମରେ ନଦୀପାର ହୋଇଥାନ୍ତି । ଗୋଟିଏ ଥରରେ ଏହି ଟ୍ୟୁବ୍ ମାଧ୍ୟମରେ ୪ ଜଣ ଲୋକ ନଦୀପାର ହୋଇଥାନ୍ତି । ଏହା ସହ ଏହି ଟ୍ୟୁବ୍ ମାଧ୍ୟମରେ ଚାଉଳ ଓ ଆବଶ୍ୟକ ସାମଗ୍ରୀ ମଧ୍ୟ ନେବାଆଣିବା କରନ୍ତି । କେବଳ ସେତିକି ନୁହେଁ, ଏହି ଟ୍ୟୁବ୍ ମାଧ୍ୟମରେ ଉକ୍ତ ଗ୍ରାମଗୁଡ଼ିକର କୋମଳମତି ଶିଶୁମାନେ ପରୁଣା ମହାସିଙ୍ଗ୍‌ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ମଧ୍ୟ ଯାଇଥାନ୍ତି । ଗତ ୨୦ ବର୍ଷ ତଳେ ଏହିସବୁ ଗ୍ରାମଗୁଡ଼ିକ ପାଇଁ ଗୋଟିଏ ନଳକୂପ ଖୋଲାଯାଇଥିଲା । ସେଥିରେ କଳିଙ୍କି ମିଶା ପାଣି ବାହାରୁଛି । ବାଧ୍ୟହୋଇ ଲୋକେ ନଦୀ ଓ ଚୁଆ ପାଣି ବ୍ୟବହାର କରି ବିଭିନ୍ନ ସମମୟରେ ରୋଗର ଶୀକାର ହେଉଛନ୍ତି । ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ସମୟରେ ଦାବି ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ କର୍ଣ୍ଣପାତ କରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି ସରପଞ୍ଚ ନୀଳିମା ମଲିକ । ଏପରିକି ଅନେକଥର ସମିତି ବୈଠକରେ ମଧ୍ୟ ସେ ଏ ନେଇ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ଫଳ ଶୂନ । ଲୋକ ସଂଖ୍ୟା କମ୍ ଥିବା ଦର୍ଶାଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ଲୋକପ୍ରତିନିଧି ଦୁଃଖ ଶୁଣିବାକୁ ଆସିନାହାନ୍ତି ବୋଲି କହିଛନ୍ତି ଗ୍ରମାବସୀ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ଦୂର କରିବା ପାଇଁ ନଦୀ ଉପରେ ଝୁଲାପୋଲ ନିର୍ମାଣ କରିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ