ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ନିକଟ ନୂଆପଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଜଜ କୋର୍ଟ କୁ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପୀଡ଼ିତା ନାବାଳିକାଙ୍କ ଗାଁର ସନ୍ତୋଷ ରଣା। ଥାନା ମାମଲା ନଂ.୧୭୧/୨୦ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଅଗଷ୍ଟ ୧୦ ତାରିଖରେ ଅଭିଯୁକ୍ତ ସନ୍ତୋଷ ନାବାଳିକାଙ୍କୁ ବଳପୂର୍ବକ ଅପହରଣ କରି କେଉଁ ଆଡେ ନେଇ ଯାଇଥିଲେ। ଏନେଇ ନାବାଳିକାଙ୍କ ବାପା କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ନାବାଳିକାଙ୍କୁ ଜରଡ଼ା ଥାନା ପାତ୍ରପୁର ନିକଟ କେଲୁଆ ଗାଁ କୁ ନେଇ ସେଠାରେ ଏକ ଭଡାଘରେ ରଖିଥିଲେ।ପୋଲିସ ଟିମ ସେଠାରୁ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଇବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ମାଧବାନନ୍ଦ ନାୟକ ଜଣାଇଛନ୍ତି।