କାର୍ଯ୍ୟକାରୀ ହେଲାନି ସରକାରଙ୍କ ନିର୍ଦ୍ଦେଶାନାମା ଠିକ ସମୟରେ ଦରମା ପାଇଲେନି ଶିକ୍ଷକ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁ୍ଜ) : ରାଜ୍ୟ ସରକାର ସେପ୍ଟେମ୍ବର ମାସରେ ତିନିଦିନ ଛୁଟିକୁ ଲକ୍ଷ ରଖି ଗଣେଷପୂଜା ଓ ନୁଆଖାଇ ଭଳି ପୂଜା ପୁର୍ବରୁ ସରକାରୀ କର୍ମଚାରୀ ମାନଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇପାରିଲାନି । ଜିଲ୍ଲାରେ ଥିବା ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ମାନେ ଗତ ଦୁଇମାସ ହେଲା ଦରମା ପାଇ ନଥିବାବେଳେ ହାଟଡିହି ବ୍ଲକର ଶହେରୁ ଉର୍ଦ୍ଧ ଶିକ୍ଷକ ଅଗଷ୍ଟ ମାସର ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେପ୍ଟେମ୍ବର ୧ତାରିଖ ରବିବାର, ଦୁଇରେ ଗଣେଷ ପୂଜା ଓ ତିନି ତାରିଖରେ ନୁଆଖାଇ ପଡୁଥିବାରୁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ଅଗଷ୍ଟ ୩୧ତାରିଖ ସୁଧା ଆଗୁଆ ଦରମା ପ୍ରଦାନ କରିବାକୁ ବିଭାଗୀୟ ପତ୍ରସଂଖ୍ୟା ୨୯୪୨୯/ ଅଗଷ୍ଟ ୨୮/୨୦୧୯ରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ କେନ୍ଦୁଝର ଜିଲ୍ଲାର ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲ, ଏମ.ଇ ସ୍କୁଲ ଶିକ୍ଷକ ଓ କର୍ମଚାରୀ ମାନଙ୍କ ପାଇଁ ଏହି ନିୟମ ଯେପରି ଲାଗୁ ନୁହେଁ । ସେମାନେ ଦୁଇମାସ ହେଲା ଦରମା ନପାଇ ଦୁଃଖ କଷ୍ଟରେ କାଳାତିପାତ କରୁଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଲେନି । ସେହିପରି ହାଟଡିହି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଶହେରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଅଗଷ୍ଟ ମାସର ଦରମା ପାଇପାରିଲେନି । ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦରମା ଦିଆଯାଇଥିବାବେଳେ ୨୦୧୨ ବ୍ୟାଚର ନିୟମିତ ଶିକ୍ଷକ ମାନ୍ୟତା ପାଇଥିବା ୮୯ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ୨୦୧୧ବ୍ୟାଚର ୧୧ଜଣ ଶିକ୍ଷକ ଶିକ୍ଷୟତ୍ରୀ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କମ୍ପ୍ୟୁଟର ତ୍ରୁଟି ଯୋଗୁଁ ସେମାନଙ୍କ ବିଲ କରିବାରେ ଅସୁବିଧା ହୋଇଥିବା ଓ ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କୁ ଦରମା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ