ଚିନ୍ତାରେ ଚାଷୀକୁଳ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଞ୍ଚଳରେ ଏବେ କରୋନା ଭଳି ଏ ଗାଁରୁ ସେ ଗାଁକୁ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ କହୁଥିଲେବି କାମ ଦେଉନି କୌଣସି ଔଷଧ । ଫଳରେ ଧାନଫସଲ ସବୁ ନଷ୍ଟ ହୋଇଯାଉଛି । ଯାହାକୁ ନେଇ ଚାଷୀକୁଳ ଚିନ୍ତାରେ ପଡି ଯାଇଛନ୍ତି । ଚଳିତବର୍ଷ ଉପଯୁକ୍ତ ପାଣିପାଗ ଯୋଗୁଁ ଭଲ ଫସଲ ହୋଇଥିବାବେଳେ ଚାଷୀମାନେ ଅଗୁଆ ବିଲକାମ ସାରି ଦେଇଥିଲେ । ଭଲ ଅମଳ ହେବାନେଇ ମଧ୍ୟ ଆଶା ରଖିଥିଲେ । କିନ୍ତୁ ଗତ ଲଘୁଚାପ ବର୍ଷା ପରେପରେ ଏବେ ରୋଗପୋକ ଯୋଗୁଁ ଧାନଫସଲ ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଛି । ଏହି ଅଜଣା ରୋଗଯୋଗୁଁ ଧାନଗଛ ଗୁଡିକ ହଳଦିଆ ପଡିଯାଇ ଗଛ ଗୁଡିକ ଶୁଖି ପାଚିଲା ପଡି ଯାଉଛି । ଦୁରରୁ ଦେଖିଲେ ଯେପରି ଧାନ ସବୁ ପାଚି ଗଲାଣି । ପ୍ରଥମେ ପ୍ରଥମେ କେବଳ ବୁଣା ଜମି ଗୁଡିକୁ ଏହି ରୋଗ ଲାଗୁଥିବାବେଳେ ଏବେ ରୁଆ ଜମି ଗୁଡିକୁ ଧରିଲାଣି ଯେ ଏକର ଏକର ଜମି ସବୁ ପାଚିଲା ପଡି ଯାଇଛି । ଯେତେ ପ୍ରକାର କୀଟନାଶକ ବ୍ୟବହାର କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି । ପ୍ରଥମେ ପ୍ରଥମେ ଏହା ଓରାଳି, ମରୈଗାଁ, କଳିଗାଁ ଆଦି ଚାଷଜମିରେ ଲାଗିଥିବାବେଳେ ଏବେ ଏହା ଶାସଙ୍ଗ, ହାଟହିହି, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ସମଣା, ସୁଲଣ, ଅକରୁଆ, ପନ୍ଦାଡୋ, ସଢ଼ା, ସୋସୋ. ପଢ଼ିଆରିପଲ୍ଲୀ, ଶାଳଣିଆଁ, ଡଅଁର, ଢ଼େଙ୍କା, ଜମ୍ଭୀରା ଆଦି ପଞ୍ଚାୟତରେ ଏପରି ରୋଗପୋକ ଲାଗିଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏନେଇ ଓରାଳି ପଞ୍ଚାୟତର କିଛି ଚାଷୀ କୃଷି ବିଭାଗକୁ ଅବଗତ କରାଇବାପରେ କୃଷି ବିଭାଗର ଅଧିକାରୀ ଓ କିଛି କର୍ମଚାରୀ ଓରାଳି ଚାଷଜମି ଗୁଡିକ ପରିଦର୍ଶନ କରି ଆବଶ୍ୟକ କୀଟନାଶକ ବ୍ୟବହାର ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବାପରେ ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚକରି ବାୟୋମେସିନି, କପର, ପ୍ଲାଣ୍ଟୋମାଇସିନି, ଭରଡାମାଇସିନି, ଭିଟାମିନି, ସୋଫିଆ, ପ୍ରଭୃତି ସିଞ୍ଚନ କରିଥିଲେବି କୌଣସି ସଫଳତା ମିଳୁନାହିଁ । ଏହାକୁ ନେଇ ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଥିବାବେଳେ କୃଷି ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟାଧରପୁରରୁ ଏକ ବିଶେଷଜ୍ଞ ଦଳ ଅଣାଯାଇ ରୋଗନିରାକରଣ ପାଇଁ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ରାମଚନ୍ଦ୍ର ଦାଶଙ୍କୁ ପଚାରିବାରେ ସେ ଏହାକୁ ପତ୍ରପୋଡା ରୋଗ ବୋଲି କହିବା ସହ ଚାଷୀମାନେ ଆମ ପରାମର୍ଶ ମାନୁ ନଥିବାବେଳେ ଦୋକାନୀ ମାନଙ୍କ କଥାରେ ଔଷଧ ସିଞ୍ଚନ କରୁଛନ୍ତି । ବିଶେଷକରି ଉପଯୁକ୍ତ ପରିମାଣର କୀଟନାଶକ ସିଞ୍ଚନ କରୁନଥିବାରୁ ଏପରି ପରିସ୍ଥିତି ଦେଖା ଦେଇଛି ବୋଲି କହିବାସହ ବିଶେଷଜ୍ଞ ଦଳଙ୍କୁ ଡକାଯାଇଛି ସେମାନେ ଆସି ପରୀକ୍ଷା ନିରୀକ୍ଷା କରିବାପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।


