କରୋନା ସତ୍ତ୍ୱେ ଚଳିତବର୍ଷ ଖରିଫ ଚାଷ ଗତବର୍ଷଠାରୁ ଅଧିକ ଜମିରେ ହୋଇଛି
ନୂଆ ଦିଲ୍ଲୀ :କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଆଦୌ ପ୍ରଭାବିତ ହୋଇନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସକ୍ରିୟତା ଫଳରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ଓ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି । ଚାଷୀମାନେ ସମର୍ପିତ ଓ ଉତ୍ସାହିତଭାବେ ଏହି ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଗତବର୍ଷ ଅପେକ୍ଷା ଅଧିକ ଜମିରେ ଫସଲ ଲାଗିଛି । ସମନ୍ୱିତ ଉଦ୍ୟମ ଫଳରେ ଖରିଫ ଚାଷ ଉପରେ କରୋନାର କୌଣସି ପ୍ରଭାବ ପଡିନାହିଁ । ଉପଯୁକ୍ତ ସମୟରେ ଭାରତ ସରକାର ଚାଷୀଙ୍କୁ ବିହନ, କୀଟନାଶକ, ସାର, ଯନ୍ତ୍ରପାତି ଏବଂ କୃଷିଋଣ ଆଦି ଯୋଗାଇ ଦେବାରୁ ଚାଷୀମାନେ ଲକ୍ଡାଉନ ସମୟରେ ତାହାକୁ କାର୍ଯ୍ୟରେ ଲଗାଇ ଚାଷବାସରେ ଅଧିକ ମନୋନିବେଶ କରିଥିଲେ । ସରକାରୀ କାର୍ଯ୍ୟକ୍ରମ ସହିତ ଟେକ୍ନୋଲଜିର ବ୍ୟବହାର ମଧ୍ୟ ଖରିଫ ଚାଷକୁ ଅଧିକ ପ୍ରୋତ୍ସାହିତ କରିଥିଲା । କୃଷି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସବିଶେଷ ତଥ୍ୟ ଅନୁସାରେ, ଚଳିତବର୍ଷ ଖରିଫ ଋତୁରେ ୧୧୧୬.୮୮ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ କରାଯାଇଛି । ଗତବର୍ଷ ଏହି ସମୟରେ ସ୍ୱାଭାବିକ ପରିସ୍ଥିତିରେ ୧୦୬୬.୦୬ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିଲା । ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ଖରିଫ ଚାଷର ବୁଣାବୁଣି କାର୍ଯ୍ୟ ଆନୁଷ୍ଠାନିକଭାବେ ଶେଷ ହେବ । ଏ ପର୍ଯ୍ୟନ୍ତ ବିଭିନ୍ନ ଖରିଫ ଫସଲର ସ୍ଥିତି ସଂପର୍କରେ ନିମ୍ନରେ ତଥ୍ୟ ପ୍ରଦାନ କରାଯାଇଛି ।
ଧାନ: ଚଳିତବର୍ଷ ଖରିଫ ଋତୁରେ ୪୦୭.୧୪ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ଗତବର୍ଷ ଏହି ପରିମାଣ ଥିଲା ୩୮୫.୭୧ ଲକ୍ଷ ହେକ୍ଟର । ଚଳିତବର୍ଷ ଗତବର୍ଷଠାରୁ ୫.୫୬ ଶତାଂଶ ଅଧିକ ଜମିରେ ଧାନଚାଷ ହୋଇଛି ।
ଡାଲି: ଚଳିତ ଖରିଫ ଋତୁରେ ୧୩୯.୩୬ ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷ କରାଯାଇଛି । ଗତବର୍ଷ ଏହି ସମୟ ମଧ୍ୟରେ ୧୩୩.୯୪ ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ କରାଯାଇଥିଲା । ଏଥର ଖରିଫରେ ଡାଲିଜାତୀୟ ଫସଲ ଚାଷ ପରିମାଣ ୪.୦୫ ଶତାଂଶ ବଢିଛି ।
ମୋଟା ଶସ୍ୟ: ଚଳିତବର୍ଷ ଖରିଫରେ ୧୮୩.୦୧ ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ କରାଯାଇଛି । ଗତବର୍ଷ ଏହି ପରିମାଣ ଥିଲା ୧୮୦.୩୫ ଲକ୍ଷ ହେକ୍ଟର । ଏଥର ଖରିଫରେ ଏହି ଚାଷ ୧.୪୭ ଶତାଂଶ ବଢିଛି ।
ତୈଳବୀଜ: ଏଥର ଖରିଫରେ ଦେଶର ୧୯୭.୧୮ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି । ଯାହା ପୂର୍ବବର୍ଷଠାରୁ ୯.୭୭ ଶତାଂଶ ଅଧିକ । ଗତବର୍ଷ ୧୭୯.୬୩ ହେକ୍ଟର ଜମିରେ ଏହି ତୈଳବୀଜ ଚାଷ କରାଯାଇଥିଲା ।
ଆଖୁ: ଚଳିତବଷ ଖରିଫ ଋତୁରେ ୧୯୭.୧୮ ଲକ୍ଷ ହେକ୍ଟର ଜମିରେ ଆଖୁଚାଷ କରାଯାଇଛି । ଗତବର୍ଷଠାରୁ ଏହା ୧.୮୩ ଶତାଂଶ ଅଧିକ । ଗତବର୍ଷ ଖରିଫ ଋତୁରେ ୫୧.୮୯ ଲକ୍ଷ ହେକ୍ଟର ଜମିରେ ଆଖୁଚାଷ କରାଯାଇଥିଲା ।
କପା: ଚଳିତବର୍ଷ ଖରିଫ ଋତୁରେ ଦେଶରେ ୧୩୦.୩୭ ଲକ୍ଷ ହେକ୍ଟର ଜମିରେ କପା ଚାଷ କରାଯାଇଛି । ଗତବର୍ଷ ତୁଳନାରେ ଏହା ମାତ୍ର ୨.୧୧ ଶତାଂଶ ଅଧିକ । ଗତବର୍ଷ ଖରିଫ ଋତୁରେ ଦେଶରେ ୧୨୭.୬୭ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଇଥିଲା ।
ନଳିତ ଓ ମେସ୍ତା: ଚଳିତବର୍ଷ ଖରିଫରେ ୬.୯୮ ଲକ୍ଷ ହେକ୍ଟର ଜମିରେ ନଳିତା ଓ ମେସ୍ତା ଚାଷ କରାଯାଇଛି । ଗତବର୍ଷ ଖରିଫ ଋତୁ ତୁଳନାରେ ଏହା ୧.୭୮ ଶତାଂଶ ଅଧିକ । ଗତବର୍ଷ ମୋଟ ୬.୮୬ ଲକ୍ଷ ହେକ୍ଟର ଜମିରେ ଏହି ଚାଷ କରାଯାଇଥିଲା ।
୨୫.୦୯.୨୦୨୦ ସୁଦ୍ଧା ବିଭିନ୍ନ ଖରିଫ ଫସଲର ଅମଳ ସ୍ଥିତି


