ସାଧାରଣ ବଂଟନ କରୋସିନୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): କିରୋସିନୀ କଳା ବଜାରୀରେ ଗଞ୍ଜାମ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କଳା ବଜାରୀ କରାଯାଇ ପ୍ରବଳ ମାତ୍ରାରେ ଦୁର୍ନୀତି କରାଯାଉଥିବା ଖବର ବହୁ ବାର ସାମ୍ନାକୁ ଆସିଛି । ତେବେ ବର୍ତମାନ ସମୟରେ କରୋନାକୁ ନେଇ ଲୋକେ ଭୟବିତ ହେବା ସହ ଜିଲ୍ଲା ପ୍ରଶାସନର କଡା କଟକଣା ଭିତରେ ରହୁଥିବା ବେଳେ ଏହାର ସୁଯୋଗ ନେଇ ପୁଣି ଏକ ଦୁର୍ନୀତି ସାମ୍ନାକୁ ଆସିଛି । ଗତ ମାର୍ଚ୍ଚ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନସାଧାରଣ କରୋନାର ଭୟାବହତା ରେ ଅତିଷ୍ଠ ହୋଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ ଏହାର ସୁଯୋଗ ନେଇ ଜିଲ୍ଲା ଯୋଗାଣ ବିଭାଗ ର ପ୍ରୋତ୍ସନ ହାତ ଥାଇ ସାଧାରଣ କିରୋସିନୀ ବଂଟନରେ ବ୍ୟାପକ ଅନୀୟମିତତା ହୋଇଥିବା ନଜରକୁ ଆସିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ହିତାଧିକାରୀଙ୍କୁ କିରୋସିନୀ ଦେବା ବଦଳରେ କେବଳ କାଗଜ ପତ୍ରରେ ହିଁ ଦେଲା ଭଳି ଏହା ଦର୍ଶାଯାଇଛି । କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗଞ୍ଜାମ ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କାହ୍ନୁ ଚରଣ ପତି । ଦିଗପହଣ୍ଡି ଠାରେ ଦିନ ଦିପହରେ ଦିଗପହଣ୍ଡି ଡିପରୁ ସାଧାରଣ କିରସିନୀ ବଂଟନ ଗାଡିରୁ ପମ୍ପ ଯୋଗେ ବ୍ୟାରେଲ ବ୍ୟାରେଲ କିରୋସିନୀ ବାହାର କରାଯାଇ ଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ ହୋଇଥିଲା । ଏହି ଭାଇରଲ ଘଟଣାକୁ ଶ୍ରୀ ପତି ନିଜେ ଟ୍ୱିଟ ଯୋଗେ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ବିଭାଗକୁ ୨୯/୦୭/୨୦୨୦ ରେ ଜଣାଇଥିଲେ ମଧ୍ୟ ସେଥିପ୍ରତି କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଯାହାକି ଜିଲ୍ଲା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଦେଇଛି ବୋଲି ଶ୍ରୀ ପତି ମତ ରଖିଛନ୍ତି । ପ୍ରକାଶ ଥାଉକି ଦିଗପହଣ୍ଡି ଡିପରୁ ଚିକିଟି ନିର୍ବାଚନ ମଣ୍ଡଳୀ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ହିତାଧିକାରୀଙ୍କୁ କିରୋସିନୀ ଯୋଗା ଯାଇଥାଏ । ସେହିଭଳି ଖୋଲ୍ଲିକଟରେ ମଧ୍ୟ ହିତାଧିକାରୀଙ୍କ କାର୍ଡରେ ଜବରଦସ୍ତୀ କିରୋସିନୀ ନେଲା ଭଳି ଲେଖାଇବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକୃତରେ ସମ୍ପୁର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଗତ ୬ ମାସର କିରୋସିନୀକୁ ସିଧାସଳଖ ହିତାଧିକାରୀଙ୍କୁ ନଦେଇ ବାଟମାରଣା କରାଯାଇଛି ବୋଲି ବିଜେପି ନେତା କାହ୍ନୁ ପତି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ, ୫ଟି-ସଚିବ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଞ୍ଜାମ ଜିଲ୍ଲାରେ କିରୋସିନୀ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ କଲେ ବହୁ ଅସାଧୁ ଡିଲର ଓ ଯୋଗାଣ ବିଭାଗର ଅଧିକାରୀଙ୍କ ମଧୂଚନ୍ଦ୍ରିକାର ପ୍ରକୃତ ସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି । ନଚେତ ବିଜେଡି ସରକାରକୁ ଗଞ୍ଜାମ ଜିଲ୍ଲା ବାସୀ କେବେ ହେଲେ କ୍ଷମା ଦେବେ ନାହିଁ ଶ୍ରୀ ପତି କହିଛନ୍ତି । ଏଥିସହ ଘଟଣାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ଏଥିରେ ସମ୍ପୃକ୍ତ ଯୋଗାଣ ବିଭାଗ ଅଧିକାରୀ ଏବଂ ଅସାଧୂ ଡିଲର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଏହି ବିଷୟକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାର ସମସ୍ତ ବ୍ଳକରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ବିଜେପିର ବରିଷ୍ଠ ନେତା କାହ୍ନୁ ପତି ଚେତାବନୀ ଦେଇଛନ୍ତି ।