ସରିନାହିଁ ରାଜନୀତି ହାରିଗଲେ ମହାରଥି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ସମ୍ ହସ୍ପିଟାଲରୁ ଏକ ସ୍ଵତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ସେ ଦିଲ୍ଲୀ ଏମ୍ସକୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମ୍ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରମାନେ ତାଙ୍କ ଉପରେ ୪୮ ଘଣ୍ଟିଆ ନଜର ରଖିଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ନେବା ପାଇଁ ଯୋଜନା ହୋଇଥିଲା । ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି । ତେବେ ମହାରଥୀଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା । ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୫ ମସିହାରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ ରେ ବିଧାୟକ ହୋଇଥିଲେ । ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତାପରଠୁ ଲଗାତାର ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ଦାୟିତ୍ବ ତୁଲାଇଛନ୍ତି । ପ୍ରାଥମିକ ଭାବେ ବିଜେଡିର ବିଧାନସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ ।ଏଠାରେ କହିରଖୁଛୁ, ବହୁ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ପାଲଲହାଡ଼ା ବିଧାୟକ ମୁକେଶ ପାଲ୍, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଦି ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି ।ସେହିପରି କରୋନା ସଂକ୍ରମିତ ମନ୍ତ୍ରୀମାନେ ହେଲେ- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରଦାପ ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନ, କୃଷି, ପଶୁ ସମ୍ପଦ, ମସ୍ୟଚାଷ ଓ ଉଚ୍ଛଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।ଦିନକୁ ଦିନ ମହାମାରୀ କରୋନାର ପ୍ରକୋପ ବଢିବାରେ ଲାଗିଛି । ରାଜ୍ୟରେ ହଜାର ହଜାର ଲୋକେ କରୋନା ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ନେଉଛି ଏହି ମହାମାରୀ ।