୨ କରୋନା ଯୋଦ୍ଧାଙ୍କ ସହ କନ୍ଧମାଳରେ ୪୪ ସଂକ୍ରମିତ ଚିହ୍ନଟ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କରୋନା ସଂକ୍ରମଣ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ୨ ଜଣ କରୋନା ଯୋଦ୍ଧା ଆଜି ଏହି ରୋଗ ସଂକ୍ରମଣର ଶୀକାର ହୋଇଥିବାବେଳେ ଆଜି କନ୍ଧମାଳ ଜିଲ୍ଲାରେ ମୋଟ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୧୩ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୩୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ ରହିଛି, ଆଉ ୪୬୧ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୯ ଜଣ ଓ ଗ୍ରାମାଂଚଳରେ ୩ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ବାଲିଗୁଡା ବ୍ଳକ ଓ ବିଜ୍ଞାପିତ ଅଂଚଳରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଘୁ.ଉଦୟଗିରିର ୨ ଜଣ,କ.ନୁଆଗାଁର ୩ଜଣ,ଚକାପାଦରେ ୩, କୋଟଗଡରେ ୩ ଜଣ,ଖଜୁରିପଡାରେ ଜଣେ ,ଫିରିଙ୍ଗିଆ ୪,ରାଇକିଆ ୪,ଟିକାବାଲିର ୩, ତୁମୁଡିବନ୍ଧ ଅଂଚଳରୁ ୨ ଜଣ ଓ ଅନ୍ୟାନ୍ୟ ଅଂଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।


