ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍ଜୁଆନ୍ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି । ପିଲାଦିନୁ ସେ ଖୁବ୍ ପଢ଼ାପ୍ରିୟ । ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲର ଛାତ୍ର ମଧ୍ୟ । କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଖେଳକୁଦ କରିବା ବୟସରେ ସେ ନିଜ ଉଦ୍ୟମରେ ଝୁମ୍ପୁଡି ବସ୍ତିରେ ଏକ ମାଗଣା ବେସରକାରୀ ସ୍କୁଲ୍ ଖୋଲି ସେଠାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ତେବେ ଏ ପ୍ରୟାସ ଆରମ୍ଭ କରିବା ପୂର୍ବରୁ ସେ କିଛି ବ୍ୟତିକ୍ରମ ଦେଖିଥିଲେ, ଯାହା ତାଙ୍କ ଚପଳ ମନକୁ ଦୋହଲାଇ ଦେଇଥିଲା ଏବଂ ମାଗଣା ସ୍କୁଲଟିଏ ତିଆରି କରିବାକୁ ପଥ ପରିଷ୍କାର କରିଥିଲା । ପ୍ରକୃତରେ ଯେଉଁ ସ୍କୁଲରେ ସେ ପଢ଼ନ୍ତି, ସେଠାରେ ଅନେକ ପିଲା ପଢ଼ିବାକୁ ଇଚ୍ଛା କରି ମଧ୍ୟ ଅର୍ଥାଭାବ ଯୋଗୁଁ ପଛଘୁଞ୍ଚା ଦେଉଥିଲେ । ଆହୁରି ଅନେକ ପିଲା ପଢ଼ା ଛାଡ଼ି ଖେଳକୁଦରେ ସମୟ ନଷ୍ଟ କରୁଥିଲେ । ଶିକ୍ଷାର ଉପଯୋଗିତା ମଣିଷ ଜୀବନରେ କେତେ ଦରକାରୀ, ତାହାକୁ ସେ ଏ ପିଲାଙ୍କ ମନରେ ଭରିବାକୁ ଚାହୁଁଥିଲେ । ଏଣୁ ନିଜ ଜେଜେମା’ଙ୍କ ସହାୟତାରେ ଘରଟିଏ ନେଇ ତାକୁ ସ୍କୁଲ୍ ଆକାର ଦେଲେ । ପିଲାମାନଙ୍କୁ ଏକାଠି କରି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏ ଦୈନନ୍ଦିନ ପଢ଼ାଇଲେ । ଖରା, ବର୍ଷାକୁ ଖାତିର ନ କରି ସେ ନିଜ ଭବିଷ୍ୟତ ସାଙ୍ଗକୁ ଏହି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି । ଏବେ ତାଙ୍କ ସ୍କୁଲରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ପାଠ ପଢ଼ୁଥିବା ପିଲାଙ୍କ ମଧ୍ୟରେ ପ୍ରାୟ ୩୦ଜଣ ଲିଓନାର୍ଡୋଙ୍କଠୁ ବୟସରେ ବଡ଼ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ