ଆଜି ରିଲିଜ୍ ହେଉଛି ‘ତୁ କହିଦେ ଆଇ ଲଭ ୟୁ‘
୨୦୦୪ରେ ରିଲିଜ୍ ହୋଇଥିଲା ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ୍ ହେଲା ‘ଆଇ ଲଭ ୟୁ ‘ । ଏହି ଫିଲ୍ମରୁ ଅନୁଭବ ଓଲିଉଡରେ ଏଣ୍ଟ୍ରି ନେଇଥିଲେ । ତା ‘ପରେ ‘ଆଇ ଲଭ ୟୁ ‘କୁ ଯୋଡ଼ାଯାଇ ବେଶ୍ କେତୋଟି ଓଡ଼ିଆ ସିନେମା ନିର୍ମିତ ହୋଇଛି । ଏଥି ମଧ୍ୟରେ ରହିଛି ‘ବାବୁ ଆଇ ଲଭ ୟୁ ‘, ‘ନନ୍ଦିନୀ ଆଇ ଲଭ ୟୁ ‘, ‘୧୪୩ ଆଇ ଲଭ ୟୁ’ ଆଦି ସିନେମା । ଆଜି ପୁଣି ସେହି ଧରଣର ଟାଇଟଲ ଥିବା ଆଉ ଏକ ଓଡ଼ିଆ ସିନେମା ପରଦାକୁ ଆସୁଛି । ଏହି ଫିଲ୍ମଟି ହେଲା ‘ତୁ କହିଦେ ଆଇ ଲଭ ୟୁ ‘ । ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ରାକେଶ ଓ ନାୟିକା ଭୂମିକାରେ ଅଛନ୍ତି ଦିବ୍ୟାଦିଶା । ଅର୍ଥାତ୍ ରାକେଶ ଏଥିରେ ଦିବ୍ୟାଙ୍କୁ କହିବେ, ‘ତୁ କହିଦେ ଆଇ ଲଭ୍ ୟୁ ‘ । ରାକେଶଙ୍କର ଏହା ଦ୍ୱିତୀୟ ସିନେମା ହୋଇଥିବାବେଳେ ଦିବ୍ୟାଙ୍କର ଏହା ତୃତୀୟ ସିନେମା । ରାକେଶଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘ଲଭ ପ୍ରମିଜ୍ ‘ । ଅପରପକ୍ଷରେ ଦିବ୍ୟାଦିଶ୍ୟାଙ୍କୁ ଦର୍ଶକ ଗୋଟିଏ ସିନେମା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍ ‘ରେ ଦେଖିସାରିଥିବା ବେଳେ ତାଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ପ୍ରେମ ଏଟିଏମ୍ ‘ ଏବଂ ମିଷ୍ଟର ମଜନୁ ଏବେ ରିଲିଜ୍ ପାଇଁ ପ୍ରସ୍ତୁତ । ଦର୍ଶକ ପ୍ରଥମ ଥର ଲାଗି ରାକେଶ-ଦିବ୍ୟାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ । ରାକେଶଙ୍କ ପ୍ରଥମ ଫିଲ୍ମର ନାୟିକା ଥିଲେ ଜୟା ବିଶ୍ୱାସ । ଦିବ୍ୟାଙ୍କୁ ପ୍ରଥମ ସିନେମା ‘ସୁନ୍ଦରଗଡର ସଲମାନ୍ ଖାନ୍ ‘ରେ ବାବୁସାନଙ୍କ ବିପକ୍ଷରେ କାମ କରିବାର ସୁଯୋଗ ମିଳିଛି । ରାକେଶ -ଦିବ୍ୟାଙ୍କ ଯୋଡିକୁ ଦର୍ଶକ କିଭଳି ଭାବେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ‘ତୁ କହିଦେ ଆଇ ଲଭ ୟୁ ‘ର ପ୍ରଯୋଜନା କରୁଛନ୍ତି ବିକ୍ରମ ମହାପାତ୍ର । ଏସ୍. ଜିତେନ୍ଦ୍ର କୁମାର ଏହାର ନିର୍ଦ୍ଦେଶକ । ଏହି ସିନେମାରେ ପ୍ରୀତିରାଜ, ମିହିର ଦାସ, ପ୍ରଜ୍ଞା ଓ ଜୀବନ ପଣ୍ଡା ପ୍ରମୁଖ ବି ଅଛନ୍ତି ।


