ପାଣି ଘେରରେ ସହସ୍ରାଧିକ ଏକର ଚାଷ ଜମି; ପରିଦର୍ଶନ କରି ଅନୁଧ୍ୟାନ କଲେ ବିଭାଗୀୟ ଯନ୍ତ୍ରୀ
ଛତ୍ରପୁର,(ଦେବଦତ୍ତ ମହାରଣା) :ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବରଙ୍ଗ ଆଖପାଖ ଗାଁ ର ସହସ୍ରାଧିକ ଏକର ଚାଷ ଜମି ଜଳାର୍ଣ୍ଣବ ପାଲଟିଛି । ଫଳରେ ଚାଷୀ ମୁଣ୍ଡରେ ଏବେ ଭାଳେଣି ପଡିଛି । ଲଗାଣ ବର୍ଷା ଯୋଗୁଁ ସବୁଆଡର ଅତ୍ୟାଧିକ ପାଣି ଜୟ ମଙ୍ଗଳ କେନାଲରେ ଆସିବା ଦ୍ୱାରା ଜଳ ନିଷ୍କାସନ ହୋଇ ନପାରି ବର୍ତ୍ତମାନ ଚାଷ ଜମିରେ ପଶିଯାଇଛି । ଯାହାଫଳରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଖବର ପାଇଁ ପୋଟ୍ଟଲାମପୁର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ରାଉତରାୟ ଜଳମଗ୍ନ ଅଂଚଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ଯଦି ଚାଷ ଜମି ପାଣି ଦିନେ ଦୁଇ ଦିନ ନିଷ୍କାସନ ନହୋଇ ଜମି ରହେ ତେବେ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ବରଙ୍ଗ ଗ୍ରାମର ଯୁବନେତା ସପନ ନାହାକ, ଚାଷୀନେତା ସିମାଞ୍ଚଳ ନାହାକ, ରାମକୃଷ୍ଣ ମହାପାତ୍ର, ବୃନ୍ଦାବନ ଗୈାଡ, ବାପିନୀ ନାହାକ କହିଛନ୍ତି । ତେଣୁ ଜିଲ୍ଲାପ୍ରଶାସନ ଏହାର ସୁବ୍ୟବସ୍ଥା କରିବାକୁ ସେମାନେ ଦାବୀ କରିଛନ୍ତି ।ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ଜୟମଙ୍ଗଳ କେନାଲ କୁ ଜଳ ସେଚନ ବିଭାଗ ପକ୍ଷରୁ ସଫା କରାଯାଇଥିଲ।। ଚଳିତ ବର୍ଷ ବର୍ଷାର ପରିମାଣ ଅଧିକ ହେବା ଯୋଗୁଁ ଚାରିଆଡର ବର୍ଷା ପାଣି ଏହି କେନାଲ ଦେଇ ଆସୁଛି । ତେଣୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଜୟ ମଙ୍ଗଳ କେନାଲ କୁ ଆହୁରୀ ଓସାର କରିବା ଦରକାର । ଏନେଇ ବିଭାଗ ପକ୍ଷରୁ ପ୍ଲାନ ତିଆରି କରାଯାଇଛି । ମାତ୍ର ସେମାନଙ୍କୁ ଜାଗା ଦରକାର । ଚାଷୀ ମାନେ ୧୦ମିଟର ଲେଖାଏଁ ଜାଗା ପ୍ରଦାନ କେନାଲ ଓସାର ହୋଇପାରିବା । ଯାହାଫଳରେ କେନାଲରେ ପାଣି ନିଷ୍କାସନ ହେବାରେ ସୁବିଧା ହୋଇପାରିବ ବୋଲି ଜୈନକ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।


