ରାଜ୍ୟରେ ଜୋର ଧରିଲା ଟିକା ରାଜନୀତି

ଭୁବନେଶ୍ୱର,(ୱାଇଏନ୍ଏସ୍): ଟିକା ନେଇ ଓଡ଼ିଶା ରାଜନୀତିରେ ଶାସକ ବିଜେଡି- ବିଜେପି ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ଆଜି ନୂଆ ମୋଡ ନେଇଛି। ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ଼ ବୟାନ ରଖିଛନ୍ତି। କହିଛନ୍ତି ଯେ କେବଳ ବିହାର ନୁହେଁ, ସାରା ଦେଶରେ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କେବଳ ଏ ପ୍ରସଙ୍ଗରେ ଘୋଷଣା କରିଛନ୍ତି ତା ନୁହେଁ, ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଥିଲେ ଯେ ବିହାରରେ ମାଗଣା ଟିକା ପ୍ରଦାନ ସଂପର୍କରେ ଏଥିପାଇଁ ଘୋଷଣା କରାଗଲା, କାରଣ ସେଠାରେ ନିର୍ବାଚନ ଚାଲିଛି ଓ ଇସ୍ତାହାର ପ୍ରକାଶ ପାଇଛି। କେନ୍ଦ୍ର ସରକାର ଟିକା କରଣ କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ନେଇଛନ୍ତି। ଏଠାରେ ପଶୁମାନଙ୍କୁ ମଧ୍ୟ ମାଗଣା ଟିକା ସରକାର ଦେଉଛନ୍ତି। ମଣିଷଙ୍କୁ ଟିକା ଦେବା କ୍ଷେତ୍ରରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଏବେ କରୋନା ପାଇଁ ଜୋରଦାର ରାଜନୀତି ଚାଲିଛି। କରୋନାରେ ଭାରତ ପୃଥିବୀରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ କେବଳ ସରକାର ହିଁ ଦାୟୀ। ଏବେ ବିହାରରେ ନିର୍ବାଚନ ହେଉଛି। ସେଠାରେ ପ୍ରଚାର କରିଦେଲେ, ଟିକା ମାଗଣାରେ ଦିଆଯିବ। ଏଭଳି ମହାମାରୀ ଆଦିର ଟିକା ସରକାର ସବୁବେଳେ ମାଗଣାରେ ହିଁ ଦିଅନ୍ତି। ଏଥିରେ ନୂଆ କଥା କ’ଣ ? ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଓଡ଼ିଶାରେ ନିର୍ବାଚନ ହେଉଛି ବୋଲି ମନ୍ତ୍ରୀ କହିଲେ ଓଡ଼ିଶାରେ ବି ମାଗଣାରେ ଦିଆଯିବ। ଆଗ ଟିକା ତ ବାହାରୁ? ସରକାର ଗତ ୬ବର୍ଷ ହେଲା ଅନେକ ପ୍ରତିଶ୍ରୁତି ଦେଇଛନ୍ତି। କେଉଁଗୋଟାକ ସରକାର ରକ୍ଷା କରିଛନ୍ତି। ନାରୀକୁ ସୁରକ୍ଷା ମିଳିଲା ନା ଚାଷୀର ଆୟ ଦୁଇଗୁଣ ହେଲା? ବେକାରୀ କମିଲେ ନା ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଆସିଲା? ଏହା ହେଉଛି ଗୋଟିଏ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର। ଏଣୁ ଲୋକେ ପ୍ରତାରକଙ୍କୁ ଭୋଟ ନ ଦେଇ ଭବିଷ୍ୟତରେ କିଭଳି ଭଲ ସରକାର ହେବ, ତାର ମୂଳଦୁଆ ପକାଇବାକୁ ଶ୍ରୀ ପଟ୍ଟନାୟକ ବାଲେଶ୍ବର ଓ ତିର୍ତ୍ତୋଲ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ, କୋଭିଡ୍ ଟିକା ପ୍ରଦାନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ବିଟ୍ ଜରିଆରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହିତ ଓ଼ଡ଼ିଶାରେ ମାଗଣା ଟିକା ପ୍ରଦାନ ସଂପର୍କରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ ଉଠାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ