ବାର୍ଦ୍ଧକ୍ୟ ଭତ୍ତା ହାତେଇବା ପାଇଁ ଅଭିନବ ଉପାୟ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ବ୍ଲକ୍ର ପୁଡୁ ପଞ୍ଚାୟତର ଇଞ୍ଚୁଡିହା ଗ୍ରାମରେ ଭୋଟର ଲିଷ୍ଟ ସଂଶୋଧନ କଲାବେଳେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ଦଳର ନେତାମାନେ ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି ବୟସ ହୋଇ ନଥିବା ବ୍ୟକ୍ତି ବିଶେଷଙ୍କ ବୟସ ବୃଦ୍ଧି କରି ଭୋଟର ଲିଷ୍ଟରେ ସଂଶୋଧିତ କରିବା ପାଇଁ ବିଏଲ୍ଓମାନଙ୍ୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି । ୨୦୧୮ ମସିହାରେ ସର୍ବଶ୍ରୀ ହାଡିବନ୍ଧୁ ଜେନାଙ୍କ ବୟସ ୫୫ ଥିବାବେଳେ ୨୦୧୯ ମସିହା ଭୋଟର ଲିଷ୍ଟରେ ତାଙ୍କ ବୟସ ୭୯ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ ହାଡିବନ୍ଧୁଙ୍କର ମାଆଙ୍କ ବୟସ ୨୯୧୯ ମସିହାରେ ୭୩ ଥିବାବେଳେ ତାଙ୍କର ପୁଅ ହାଡିବନ୍ଧୁଙ୍କ ବୟସ ୭୯ ଅର୍ଥାତ୍ ୫ବର୍ଷ ଅଧିକ ହୋଇଯାଇଛି ।ସେହିଭଳି ସେହିଗ୍ରାମର ଭୋଟର ତାଲିକରେ ୨୦୧୮ ମସିହାରେ ରାମଚନ୍ଦ୍ର ଜେନାଙ୍କ ବୟସ ୫୬ ଥିବାବେଳେ ୨୦୧୯ରେ ୬୫,କାର୍ତ୍ତିକ ଚନ୍ଦ୍ର ଦଳେଇଙ୍କର ୫୫ ରୁ ୬୯,ଯୁଳିକ ପାତ୍ରର ବୟସ ୫୬ରୁ ୬୯ ବାସନ୍ତି ପାତ୍ରର ୫୧ ରୁ ୬୦ ଓ ଗୀତାଞ୍ଜଳି ଦାଶଙ୍କ ର୍ବସ ୫୮ ରୁ ୬୩କୁ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିଜ ବୟସକୁ ଜାଲିଆତି କରି ବୃଦ୍ଧି କରି ଭତ୍ତା ପାଇବାକୁ ସଦର ବ୍ଲକ୍ ବିଡିଓଙ୍କଠାରେ ଆବେଦନ କରିସାରିଛନ୍ତି । ପ୍ରଚଳିତ ନିୟମାନୁଯାୟୀ ଅଧିକ ବୟସର ବୃଦ୍ଧ ଓ ବୃଦ୍ଧାଙ୍କୁ ସର୍ବପ୍ରଥମେ ଭତ୍ତା ଦେବାର ବ୍ୟବସ୍ଥା ଥିବାରୁ ଏମାନେ ଆଗ ଭତ୍ତା ପାଇଯିବେ କିନ୍ତୁ ପ୍ରକୃତ ହିତାଧିକାରୀ ତତ୍କାଳ ଭତ୍ତା ପାଇବାରୁ ବଞ୍ଚିତ ହୋଇଯିବେ । କେବଳ ଇଞ୍ଚୁଡିହା ନୁହେଁ ସମଗ୍ର ଜିଲ୍ଲାରେ ବୟସ ବୃଦ୍ଧି କରିବା ପାଇଁ ଏକ ରାକେଟ ସୃଷ୍ଟି ହୋଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓ ଏଭଳି ଜାଲିଆତିକୁ ରୋକିବା ସହ ଆଗାମୀ ଦିନରେ ପ୍ରକୃତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରୁ ବଞ୍ଚିତ ନକରିବାକୁ ଚେତାବନୀ ଦିଆଯାଇଛି । ଏଥିସହ ଏପରି ଜାଲିଆତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।


