ଖୋଲିଲା ଆହାର କେନ୍ଦ୍ର ; ଆହାର ଖାଇ ଖୁସି ଜାହିର କଲେ ଲୋକେ
ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଦୀଘ୍ର ୮ ମାସ ଧରି ବନ୍ଦ ରହିଥିବା ଆହାର କେନ୍ଦ୍ର ପୁଣି ଆରମ୍ଭ ହୋଇଛି । ଏହି ଆହାର କେନ୍ଦ୍ର ଖାଦ୍ୟ ପରସିବା ନିମନ୍ତେ ଛତ୍ରପୁର ଏନଏସି ପକ୍ଷରୁ ଏସଏଚଜି ମହିଳା ମାନଙ୍କୁ ସାମିଲ୍ କରାଯାଇଛି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସକାଶେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ଆହାର କେନ୍ଦ୍ର ମାନଙ୍କରେ ସାମିଲ୍ କରିଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆହାର କେନ୍ଦ୍ର ରେ ମଧ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମା ମାନଙ୍କୁ ସ୍ୱାବଲମ୍ବୀ କରାଯାଇଛି । ଦୀର୍ଘ ୮ ମାସ ର ବ୍ୟବଧାନ ପରେ ଛତ୍ରପୁର ରେ ଆରମ୍ଭ ହୋଇଥିବାରୁ ଗରୀବ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଆଜି ଆହାର ଖାଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଛତ୍ରପୁର ଆହାର କେନ୍ଦ୍ର ରେ ପରସିବା ନିମନ୍ତେ ଛତ୍ରପୁର ଏନଏସି ଅଧିନସ୍ଥ ୧୧ୱାର୍ଡ ର ରାଧାକୃଷ୍ଣ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ମା ମାନଙ୍କୁ ସାମିଲ୍ କରାଯାଇଥିବାରୁ ସଂଘ ର ସଭାନେତ୍ରୀ ପୁର୍ଣ୍ଣବାସୀ ପ୍ରଧାନ,ସଂପାଦିକା ଅପୁର୍ବ ଗୌଡ, ରଶ୍ମିତା ବିଷୋୟୀ, ସୁନିତା ପ୍ରଧାନ ଓ ଭୋବନୀ ନାୟକ ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସିକୁ ଧନ୍ୟବାଦ ଜଣାଇବା ସହ ଆହାର କେନ୍ଦ୍ର କୁ କିପରି ସଠିକ୍ ଭାବେ ପରିଚାଳନା କରିବେ ସେଥି ନିମନ୍ତେ ସଂକଳ୍ପବଦ୍ଧ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ଆଜି ପ୍ରଥମ ଦିନରେ ୧୫୦ ଜଣଙ୍କ ନିମନ୍ତେ ଆହାରର ବ୍ୟବସ୍ଥା କରାଯାଇଛି ବୋଲି ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧୀକାରୀ ଏନ୍ ଗଣେଷ ବାବୁ ସୂଚନା ଦେଇଛନ୍ତି । ଖୋଲାଯାଇଥିବା ଏହି ଆହାର କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ଅଧୀକାରୀ ଶ୍ରୀ ବାବୁ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ଲୋକମାନେ କିପରି ସଠିକ୍ ଭାବେ ଆହାର ପାଇ ପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ଆଜି ଆହାର କେନ୍ଦ୍ର ରେ ଆହାର ଖାଇ ଲୋକେ ମଧ୍ୟ ବେଶ୍ ଖୁସି ଜାହିର କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିିରେ ରଖି ଆହାର କେନ୍ଦ୍ର କୁ ପ୍ରବେଶ କରିବା ପୂର୍ବରୁ ଲୋକମାନଙ୍କୁ ସାନିଟାଇଜିଂ,ଥର୍ମାଲ ସ୍କିନିଂ ଓ ଅକ୍ସିମିଟର ମଧ୍ୟ ଯାଂଚ କରୁଛନ୍ତି ଫର୍ମାସିଷ୍ଟ ସୂରୀୟା ରେଡ୍ଡୀ । ଅନ୍ୟମାନଙ୍କ ମଧ୍ୟରେ ସିଏମଏମୟୁ ମ୍ୟାନେଜର ଶ୍ରୀମନ୍ତ କୁମାର ପାତ୍ର,କୃଷ୍ଣ ପ୍ରସାଦ ମହାପାତ୍ର,ଯୁଗଳ କିଶୋର ଦାଶ,ପ୍ରଭାକର ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଯେ ଗଂଜାମ ଜିଲ୍ଲାରେ ଓ ସ୍ଥାନୀୟ ଅଂଚଳରେ କରୋନା ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ କୋଭିଡ କଟକଣା ରହିଥିଲେ ମଧ୍ୟ ଗରୀବ , ଦିନ ମଜୁରିଆ ଶ୍ରେଣୀର ଲୋକଙ୍କ ସୁବିଧା ଦୃଷ୍ଟିରୁ ଆହାର କେନ୍ଦ୍ର ଗୁଡିକ ଖୋଲିଛନ୍ତି । ଫଳରେ ଗରୀବ ଶ୍ରେଣୀର ଲୋକେ ଖୁସି ଜାହିର କରିବା ସହ ଆହାର କେନ୍ଦ୍ରରେ ପହଞ୍ଚି ୫ଟଙ୍କା ରେ ଡାଲମା , ଭାତ ଆଚାର ଖାଉଥିବା ଦେଖିବାକୁ ମିଳିଛି । ଛତ୍ରପୁର ସହରର ଜିଲ୍ଲାର ସଦରମହକୁମା ହୋଇଥିବା ରୁ ବିଭିନ୍ନ ପ୍ରକାର ଅଫିସ ଏବଂ ବିଭିନ୍ନ କାମଧନ୍ଦା ନିମନ୍ତେ ପ୍ରତ୍ୟହ ବାହାରୁ ଅନେକ ଗରୀବ , ଶ୍ରମଜିବୀ , ଅସହାୟକ ଲୋକ ଏବଂ କ୍ଷୁନ୍ଦ୍ର ପନିପରିବା ବ୍ୟବସାୟୀ ମାନେ ଆସୁଥିବାବେଳେ ସେମାନେ ସ୍ୱଳ୍ପ ରୋଜଗାରିଆ ହୋଇଥିବାରୁ ବିଭିନ୍ନ ହୋଟେଲରେ ଖାଇପାରୁନଥିଲେ । ଭୋକ ଉପାସରେ ରହୁଥିବାରୁ ଆଜି ଆହାର କେନ୍ଦ୍ର ଖୋଲାଯିବା ପରେ ଏସମସ୍ତ ବର୍ଗ ଲୋକମାନେ ଆହାର ଖାଇ ଖୁସି ଅନୁଭବ କରୁଛନ୍ତି ।


