ମୋଟାବାଡିରେ ଅର୍ଦ୍ଧ ନିର୍ମିତ ଶ୍ମଶାନ ଗୃହକୁ ତୁରନ୍ତ ନିର୍ମାଣ ଦାବୀ
ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଲକର ମୋଟାବାଡ଼ି ଏକ ବୃହତ୍ତ ଗ୍ରାମ ହେବା ସହ ୧୯୫୭ ମସିହାରୁ ମୋଟାବାଡି ପଞ୍ଚାୟତ ହେଡ୍ କ୍ୱାର୍ଟର ହୋଇଥିବା ବେଳେ ଶ୍ମଶାନ ଓ ଶବ ଦାହଗୃହ ନଥିବା ଯୋଗୁଁ ଖୋଲା ଆକାଶ ତଳେ ନାନା ସମସ୍ୟାର ସମ୍ମୁଖିନ ହୋଇ ଏଣେ ତେଣେ ଶବ ସତ୍କାର ହେଉଅଛି। ଏହି ବିଷୟ ନେଇ ଖବର କାଗଜରେ ଖବର ପ୍ରକାଶ ପରେ ସାମାଜିକ ଅଧିକାର କର୍ମୀ ତଥା ହାଇ କୋର୍ଟ ଆଡଭୋକେଟ୍ ରଞ୍ଜିତ କୁମାର ପାତ୍ରଙ୍କ ଅଭିଯୋଗ ପରେ ୦୪/୦୯/୨୦୨୫ ତାରିଖରେ କେସ ନଂ ୩୧୨୫/୨୦୨୫ ପ୍ରକାରେ ମାନ୍ୟବର ଓଡିଶା ମାନବାଧିକାର କମିଶନର, ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ନିର୍ଦ୍ଦେଶ ପତ୍ର ପ୍ରେରଣ କରି ମୋଟାବାଡି ଘଟଣା ଅନୁସନ୍ଧାନ କରି ୨୮/୧୧/୨୦୨୫ ସୁଦ୍ଧା ଜଣାଇବାକୁ ଲେଖିଥିଲେ। ପରବର୍ତ୍ତୀ ସମୟରେ ମୋଟାବାଡି ଗ୍ରାମରେ ଜାଗା ଚିହ୍ନଟ ହୋଇ ଶ୍ମଶାନ ଗୃହ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ମୋଟାବାଡି ଗ୍ରାମରେ ଦୁଇ ଦୁଇ ଥର ଅନୁଷ୍ଟିତ ହୋଇଥିବା ପଞ୍ଚାଯତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଏନେଇ ଆମ ଖବର କାଗଜର ବୁଗୁଡ଼ା ପ୍ରତିନିଧି ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ମହୋଦୟଙ୍କ ସହ ଆଲୋଚନା କରିବା ପରେ ବିଡିଓ ଶ୍ରୀ ପାତ୍ର ଅତିଶୀଘ୍ର ମୋଟାବାଡ଼ି ଶ୍ମଶାନ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି।


