ଡାକ୍ତରଙ୍କ ୧୦ଦଫା ଦାବିକୁ ନେଇ ଆନ୍ଦୋଳନ: ରୋଗୀ ସେବା ପ୍ରଭାବିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ମାନଙ୍କ ଦ୍ୱାରା ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓଏମଏସଏ) ପକ୍ଷରୁ ୧୦ଦଫା ଦାବିକୁ ନେଇ ଆନ୍ଦୋଳନ କରୁଥିବା ଦେଖାଯାଇଛି। ଯାହା ଫଳରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ଅମ୍ବାଦୋଲା, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁମୁଡ଼ାବାଲି, ଜଗଦଲପୁରରେ କାର୍ଯ୍ୟରତ ସମସ୍ତ ଡାକ୍ତର ମାନେ କାର୍ଯ୍ୟ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ଏହି ସବୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ମାନେ ବିଶେଷ କରି ଗର୍ଭବତୀ ମହିଳା,ଶିଶୁ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ନିୟମିତ ଡାକ୍ତର ଉପସ୍ଥିତ ନଥିବା ବେଳେ ଆୟୁଷ ଡାକ୍ତର ସନ୍ତୋଷ ସାହୁଙ୍କ ସହିତ ରୀନା ପରିଡା,ଡ଼ା.ସୁଚିଶ୍ମିତା ସାହୁ,ଲିପ୍ସା ପଣ୍ଡା,ଡା.ସୁଚିଶ୍ମିତା ପଣ୍ଡା, ପ୍ରମୁଖ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଯେଉଁସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଅଛନ୍ତି ଏବେ ସେହି ଡାକ୍ତର ମାନେ ହିଁ ରୋଗୀ ମାନଙ୍କ ପାଇଁ ଏକ ମାତ୍ର ଭରସା ବୋଲି କୁହାଯାଉଛି। ସରକାର ଦୀର୍ଘ ଦିନ ଧରି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏଣୁ ଓମସା ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିସହ କେନ୍ଦ୍ରୀୟ ଡିଏସିପି ଲାଗୁ, ପଦୋନ୍ନତି,ସ୍ଵାସ୍ଥ୍ୟ ବୀମା କାର୍ଯ୍ୟକାରୀ କରିବା, ଡାକ୍ତର ମାନଙ୍କ ସୁରକ୍ଷା,କେବିକେ ଅଂଚଳରୁ ବଦଳି ନିୟମ ସଂଶୋଧନ ପ୍ରମୁଖ ୧୦ ଦଫା ଦାବି ଉପରେ ଆଲୋକପାତ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମସ୍ତ ଡାକ୍ତର କଳା ବ୍ୟାଚ ପିନ୍ଧିବା ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସଂଘ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଆସିଛି ଏବଂ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସଂଘ ପକ୍ଷରୁ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରାଯାଇଥିବା ନେଇ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଆଶିଷ କୁମାର ପଣ୍ଡା କହିଛନ୍ତି।


