ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ତେଜସ ଉଡ଼ାଇଲେ ଶ୍ରୀ ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ହାଲୁକା ଯୁଦ୍ଧ ବିମାନ ତେଜସ ଉଡ଼ାଇ ଇତିହାସ ରଚିଛନ୍ତି ଶ୍ରୀ ରାଜନାଥ ସିଂ । ଆଜି ସକାଳେ ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ) ବିମାନ ବନ୍ଦର ଠାରେ ବାୟୁ ସେନା ଅଧିକାରୀ ଭାଇସ ମାର୍ଶାଲ ନର୍ମଦେଶ୍ୱର ତିୱାରିଙ୍କ ସହିତ ସ୍ୱଦେଶୀ ଭାବେ ନିର୍ମିତ ବହୁମୁଖୀ ତେଜସ ଯୁଦ୍ଧ ବିମାନକୁ ଶ୍ରୀ ସିଂ ୩୦ ମିନିଟ ପର‌୍ୟ୍ୟନ୍ତ ଉଡ଼ାଇଥିଲେ । ଏହି ଚତୁର୍ଥ ପିଢ଼ିର ଯୁଦ୍ଧ ବିମାନ ଉଡ଼ାଇବା ଅଭିଜ୍ଞତାକୁ ପ୍ରତିରକ୍ଷା ମନ୍ତ୍ରୀ ‘ରୋମାଂଚକର ଏବଂ ସ୍ୱତନ୍ତ୍ର’ ବୋଲି ବର୍ଣ୍ଣନା କରିଛନ୍ତି । ଏହି ବହୁମୁଖୀ ଯୁଦ୍ଧ ବିମାନ ନିର୍ମାଣ କରିବା ଲାଗି ହାଲ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ଏରୋନଟିକାଲ ଏଜେନ୍ସି (ଏଡିଏ)କୁ ଅଭିନନ୍ଦନ ଜଣାଇ ଶ୍ରୀ ରାଜନାଥ ସିଂ କହିଥିଲେ ଯେ ବିଭିନ୍ନ ଦେଶ ତେଜସ କ୍ରୟ ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି । ଭାରତ ସାରା ବିଶ୍ୱକୁ ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ରପ୍ତାନି କରିବା ସ୍ଥିତିରେ ପହଁଚିବା ଗର୍ବର ବିଷୟ ବୋଲି ସେ କହିଥିଲେ । ପେସାଦାର ମନୋଭାବ, ସାହସ ଓ ପରାକ୍ରମ ପାଇଁ ସେ ବାୟୁସେନା, ସ୍ଥଳସେନା ଓ ନୌସେନାର ପ୍ରଶଂସା କରିଥିଲେ । ଆମ ସେନାବାହିନୀର ଯବାନଙ୍କୁ ନେଇ ମୁଁ ଗର୍ବିତ ବୋଲି ସେ କହିଥିଲେ । ଏଆର ଭାଇସ ମାର୍ଶାଲ ନର୍ମଦେଶ୍ୱର ତିୱାରି କହିଥିଲେ, ଆକାଶରେ ପ୍ରତିରକ୍ଷା ମନ୍ତ୍ରୀ କିଛି ସମୟ ପାଇଁ ତେଜସଙ୍କୁ ନିୟନ୍ତ୍ରଣ କରିଥିଲେ । ତାଙ୍କୁ ଯୁଦ୍ଧବିମାନର ବିଭିନ୍ନ ଉଡ଼ାଣ କୌଶଳ ତଥା ସୂକ୍ଷ୍ମ ବ୍ୟବସ୍ଥା ପ୍ରଦର୍ଶନ କରାଯାଇଥିଲା । ଯୁଦ୍ଧ ବିମାନର ମାନ ଓ ସହଜ ଚାଳନା ବ୍ୟବସ୍ଥାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ସେ କହିଥିଲେ । ଏଥିପୂର୍ବରୁ ତେଜସ ଯୁଦ୍ଧ ବିମାନର ପରିଚାଳନା ସମ୍ପର୍କରେ ବାୟୁ ସେନାର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଶ୍ରୀ ରାଜନାଥ ସିଂଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଡ. ଜି ସତୀଶ ରେଡ୍ଡୀ, ଡିଆରଡିଓର ଅଧ୍ୟକ୍ଷ ଶ୍ରୀ ଆର ମାଧବନ, ହାଲ ସିଏମଡିଙ୍କ ସମେତ ହାଲ ଓ ଡିଆରଡିଓର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ବହୁମୁଖୀ ଯୁଦ୍ଧ ବିମାନ ତେଜସ ନିକଟରେ ଅନେକ ବିଶେଷତ୍ୱ ରହିଛି । ଭାରତର ବାୟୁ ପ୍ରତିରକ୍ଷା ସାମର୍ଥ୍ୟକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ