ଗଛ ଉପରେ ମଞ୍ଚା କରି ନିଜ କ୍ଷେତକୁ ଜଗିଛି ଚାଷୀ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମଞ୍ଚା ଉପରେ କଟୁଛି ଚାଷୀଙ୍କ ଦିନ, ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନ ଖଣ୍ଡ ଅଧିନ ମୁଜାଗଡ,ତାରାସିଂଗ ଓ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନରେ ଲାଗି ରହିଛି ହାତୀ ପଲ୍ଲ ଓ ବାରହାଙ୍କ ଉତ୍ପାତ । ଜଙ୍ଗଲ ନିକଟ ବର୍ତୀ ଚାଷ ଜମି ଗୁଡିକ ରହିଥିବାରୁ ନୀତି ସନ୍ଧ୍ୟା ହେଲେ ହାତିପଲ୍ଲ ଜମିରେ ପଶି ଧାନ ଗଛ କୁ ଖାଇବା ସହିତ ଅଧିକା ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗ ହାତୀ ଘଉଡାଇବା ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ଲକ୍ ଡାଉନ ଯୋଗୁଁ ଅନେକ ଚାଷୀ ରାଜ୍ୟ ବାହାରକୁ ଦାଦନ ପାଇଁ ନ ଯାଇ ନିଜ କ୍ଷେତରେ ପରିଶ୍ରମ କରି ଧାନ ଚାଷ କରିଛନ୍ତି । ବର୍ତମାନ ଧାନ ପାଚିବା ସମୟ । କିନ୍ତୁ ବନ୍ୟ ଜନ୍ତୁ ମାନେ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବାରୁ ଗଛ ଉପରେ ମଞ୍ଚା ତିଆରି କରିଛନ୍ତି । ନିଆ ଜାଳି ଟର୍ଚ୍ଚ ଲାଇଟ ଖଣ୍ଡେ ଧରି ରାତି ଉଜାଗର ରହି ଫସଲକୁ ସୁରକ୍ଷା ଦେଉଛନ୍ତି ଚାଷୀ । ବନ୍ୟ ଜନ୍ତୁ ଦେଖିବା କ୍ଷଣି ପାଟିକରିବା, ବାଣଫୁଟାଇବା ଓ ପାଖରେ ରଖିଥିବା ବାଦ୍ୟ ଯନ୍ତ୍ର କୁ ବଜାଇ ବାରହା,ହାତୀ,ମାଙ୍କଡ଼କୁ ଘଉଡ଼ାଇ ଥାନ୍ତି । ଜଗି ରହିବା ସତ୍ତ୍ୱେ ମଧ୍ୟ କିଆରୀ କିଆରୀ ଧାନ ଫସଲ ନଷ୍ଟ କରି ଚାଲି ଯାଉଛନ୍ତି ହାତୀ ପଲ୍ଲ । ପ୍ରତି ବର୍ଷ ମୁଜାଗଡ, ଦଦରଲୁଣ୍ଡା,ବ୍ରାହ୍ମଣପଦର , ତାରାସିଂଗ, ଗେରେଡା , କ୍ଷେତମୁଣ୍ଡଳୀ ଭଳି ଅନେକ ପଞ୍ଚାୟତର ଚାଷୀଙ୍କୁ ଏବେ ମଞ୍ଚା ଭରଷା । ବନ୍ୟଜନ୍ତୁ ମାନଙ୍କ ଦ୍ଵାରା ନଷ୍ଟ ହୋଇଥିବା ଫସଲକୁ ବନ ବିଭାଗ ଆକଳନ କରି ଚାଷୀଙ୍କୁ କ୍ଷତି ପୁରଣ ଯୋଗାଇ ଦେବାର ନିୟମ ରହିଛି । ଚାଷୀମାନେ ଅଭିଯୋଗ କରିବା ପରେ ବନ କର୍ମଚାରୀ ମାନେ ଆସି କ୍ଷୟକ୍ଷତି ଆକଳନ କରି ସମସ୍ତ କାଗଜପତ୍ର ନେଇ କ୍ଷତିପୂରଣ ଦିଆଯିବ କହି ଚାଲି ଯାଉଛନ୍ତି । କିନ୍ତୁ ଦୀର୍ଘ ବର୍ଷ ହେଲା ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁନଥିବାରୁ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ କ୍ଷେତକୁ ଜଗି ରହୁଛନ୍ତି ଚାଷୀ । ରାତିରେ ପୁରୁଷ ମାନେ ଉଜାଗର ରହି ନିଆଁ ହୁଳା ଧରି ବାରହା ଓ ହାତୀ ଘଉଡାଉଥିବା ବେଳେ । ଦିନରେ ଘରର ମହିଳା ଓ ପିଲାମାନେ କୁଢିରେ ରହି ମାଙ୍କଡ଼ ଘଉଡ଼ାଇ ଥାଆନ୍ତି । ଏହିଭଳି ପରିସ୍ଥିତିରେ ଏବେ ଜୀବନ ବିତାଉଛନ୍ତି ଚାଷୀ । ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।


