ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ୍
ନୂଆଦିଲ୍ଲୀ: ବଢ଼ିଲା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତ ଅବଧି । ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ବରମଙ୍କ ହାଜତ ମିଆଦ ଅକ୍ଟୋବର ୩ ତାରିଖ ଯାଏ ବଢ଼ାଇ ଦେଇଛନ୍ତି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦ରେ ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇ ରିମାଣ୍ଡରେ ନେବା ପରେ ସେପ୍ଟେମ୍ବ ୫ ତାରିଖରୁ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି ଚିଦାମ୍ବରମ । ଆଜି ପ୍ରଥମ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୨୩ ସେପ୍ଟେମ୍ବରରେ ଚିଦାମ୍ବରମଙ୍କ ଜାମିନ୍ ବାବଦରେ ଶୁଣାଣି ରହିଛି । ସିବିଆଇ ଚିଦାମ୍ବରମଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ହାଜତ ଅବିଧି ବଢ଼ାଇବା ପାଇଁ ଅନୁରୋଧ କରିଥିଲା । ଚିଦାମ୍ବରମଙ୍କ ଓକିଲ ଅଭିମନ୍ୟୁ କିନ୍ତୁ ହାଜତ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଥିଲେ । ସିବିଆଇ ଯେଉଁ ଆଧାରରେ ହାଜତ ଅବଧି ବୃଦ୍ଧି ପାଇଁ ଆବେଦନ କରୁଛି ତାହା ଠିକ୍ ନୁହେଁ ବୋଲି ଆଇନଜୀବୀ ଅଭିମନ୍ୟୁ କହିଥିଲେ । ଏହାପରେ ଉଭୟ ପକ୍ଷଙ୍କୁ ଶୁଣି ଚିଦାମ୍ବରମଙ୍କୁ ପୁଣି ଥରେ ତିହାର ଜେଲକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ । ଶୁଣାଣି ବେଳେ ଚିଦାମ୍ବରମଙ୍କ ଆଉ ଜଣେ ଓକିଲ କପିଲ ସିବଲ କହିଛନ୍ତି ୭୩ ବର୍ଷୀୟ ଚିଦାମ୍ବରମ ଅନେକ ରୋଗରେ ପୀଡ଼ିତ । ଜେଲରେ ରହିବା ପରେ ତାଙ୍କ ଓଜନ କମିବାରେ ଲାଗିଛି । ଚିଦାମ୍ବରମଙ୍କ ପେଟରେ ଯନ୍ତ୍ରଣା ରହିବା ସାଙ୍ଗକୁ ପିଠିରେ ଯନ୍ତ୍ରଣା ରହିଛି ବୋଲି ସିବଲ ବିଚାରପତିଙ୍କୁ କହିଛନ୍ତି । ଏମିତିକି ତାଙ୍କ ଜେଲ କୋଠରୀରେ ଥିବା ବିଛଣାରେ ତକିଆ କାଢ଼ି ନିଆଯାଇଥିବା ସେ କହିଛନ୍ତି । ବସିବା ପାଇଁ ଚେୟାର ମଧ୍ୟ ନାହିଁ ବୋଲି ସିବଲ କହିଥିଲେ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ତଦନ୍ତ କରୁଛନ୍ତି । ଆଇଏନଏକ୍ସ ମିଡିଆରେ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ଜରିଆରେ ୩୦୭ କୋଟି ଟଙ୍କା ଚିଦାମ୍ବରମ ୨୦୦୭ରେ ଅର୍ଥମନ୍ତ୍ରୀ ଥିବା ବେଳେ ଲାଭ ପାଇଥିବା ଜଣାପଡ଼ିଛି । ଯାହାକି ଚିଦାମ୍ବରମ୍ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ।


