ନିର୍ବାଚନରେ ମୁତୟନ ପୋଲିସଙ୍କୁ ତାଲିମ

ବାଲେଶ୍ୱର : ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆଗାମୀ ସାଧାରଣ ନିର୍ବାଚନ-୨୦୧୯ କାର୍ଯ୍ୟରେ ମୁତୟନ ହେବାକୁ ଥିବା ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉତ ନିର୍ବାଚନର ସମସ୍ତ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରି ଗତ ମାର୍ଚ୍ଚ ୧୦ ତାରିଖ ଠାରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିକୁ ଜିଲ୍ଲାରେ କିପରି କଡାକଡି ଭାବେ ପାଳନ କରାଯିବ ସେ ସମ୍ପର୍କରେ ବୈଠକରେ ଉପସ୍ଥିତ ଏଆରଓ, ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି.ଯୁଗଳ କିଶୋର ଆର.ପି. ଆକ୍ଟର ବିଭିନ୍ନ ଧାରା ସମ୍ପର୍କରେ ଅବତାରଣ କରି ପୋଲିସ ନିଜର ଦାୟିତ୍ୱ ପରିପାଳନ କଲା ବେଳେ ନିରପେକ୍ଷ ଭାବେ ତାକୁ ବିଧି ମୁତାବକ କରିବାକୁ ସେ କହିଥିଲେ । ବିଶେଷ ଭାବେ ନିର୍ବାଚନ ଜନିତ କୌଣସି ଅନିୟମିତତା ଦୃଷ୍ଟିକୁ ଆସିଲେ ତୁରନ୍ତ ତାହାକୁ ଫ୍ଲାଇଂ ସ୍କ୍ୱାଡକୁ ହସ୍ତାନ୍ତର କରିବା ନତୁବା ତାଙ୍କ ଦୃଷ୍ଟିକୁ ଆଣିବାକୁ ସେ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ନାୟକ ସମସ୍ତ ପୋଲିସ ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ସବୁବେଳେ ପୋଲିସ ନିଜର କର୍ତବ୍ୟ ସଂପାଦନ ବେଳେ ନିରପେକ୍ଷତା ଅବଲମ୍ବନ କରିବା ଏବଂ ଆଦର୍ଶ ଆଚରଣ ବିଧି ଉପରେ ସତର୍କ ଦୃଷ୍ଟି ରଖିଲେ ଆଶଙ୍କା କରାଯାଉଥିବା ଅଭିଯୋଗ ସଂଖ୍ୟା ହ୍ରାସ ପାଇବ । ପିଡି ଶ୍ରୀ ତ୍ରିଲୋଚନ ପ୍ରଧାନ ପୁଲିସ ମୁତୟନରେ ସନ୍ତୁଳନ ରକ୍ଷା କରି ପାରିଲେ ନିର୍ବାଚନ ପରିଚାଳନା ଅଧିକ ଶୃଙ୍ଖଳିତ ହୋଇପାରିବ ବୋଲି ସେ ଏସପିଙ୍କୁ ଅନୁରୋଧ କରିଥିଲେ । ପୋଲିସ ତରଫରୁ ବିଶେଷ ଭାବେ ଆଇନ ଶୃଙ୍ଖଳା ରକ୍ଷା, ଏନବିଡବ୍ଲ୍ୟୁ ଜାରି, ବେଆଇନ ଅସ୍ତ୍ରଶସ୍ତ୍ର ଜବତ, ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ସମର୍ପଣ, ଅବକାରୀ ଆଇନର କଡାକଡି ଅନୁପାଳନ, ଚୋରା ମଦ କାରବାର, ଯାନବାହାନ ବ୍ୟବହାରରେ ପ୍ରତିବନ୍ଧକ, ପ୍ରଚାର ଅଭିଯାନ ପାଇଁ ବ୍ୟବହୃତ ଯାନର ଆଗୁଆ ଅନୁମତି, ଭୋଟ ଗ୍ରହଣ ଦିନ ଭୋଟରଙ୍କୁ ନିଆ-ଅଣା କରୁଥିବା ଯାନକୁ ନିଷିଦ୍ଧ କରିବା ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ବିଶେଷ ସମ୍ବେଦନଶୀଳ ବୁଥ୍, ଅପରାଧପ୍ରବଣ ବୁଥ୍ଗୁଡିକୁ ଚିହ୍ନଟ କରି ଆଗୁଆ ଭାବେ ସେ ସବୁ ସ୍ଥାନରେ ପୋଲିସ ମୁତୟନ ଏବଂ ଅପରାଧପ୍ରବଣ ସ୍ଥାନର ମ୍ୟାପ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କୌଣସି ଦଳ କିମ୍ବା ପ୍ରାର୍ଥୀ ଯେପରି ନିର୍ଦ୍ଧାରିତ ସୀମାଠାରୁ ଅଧିକ ଅର୍ଥ ବ୍ୟୟ କରିବା, ଭୋଟରଙ୍କୁ ପ୍ରଭାବିତ କଲା ଭଳି ଲାଂଚ ଯାଚିବା, ବିବାହ ଭୋଜିରେ ଯୋଗ ଦେବା, ଖାଦ୍ୟ ପୁଡିଆ ବାଂଟିବା, ଜନ୍ମଦିନ ନାମରେ ପାର୍ଟି ଆୟୋଜନ କରିବା, କୌଣସି ପ୍ରକାର ଉପହାର ବଂଟନ କରିବା ଭଳି ଜିନିଷ ଉପରେ ପୋଲିସ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏଥି ସହିତ ମଦର ଚୋରା କାରବାର ବିଶେଷ ଭାବେ ଆନ୍ତଃରାଜ୍ୟ ସୀମାରେ ମଦ କାରବାର, ଅନାବଶ୍ୟକୀୟ ଭାବେ ମଦ ମହଜୁଦ୍ ରଖିବା, ଲୋକଙ୍କୁ ବାଂଟିବା ଆଦି ଉପରେ କଡା ନଜର ଦିଆଯିବାକୁ କୁହାଯାଇଥିଲା । ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ କୌଣସି ପାର୍ଟି କିମ୍ବା ପ୍ରାର୍ଥୀ ସରକାରୀ ସମ୍ପତିର ବିକୃତିକରଣ କିମ୍ବା ନଷ୍ଟ କରିପାରିବେ ନାହିଁ । ମନୋନୟନ ପତ୍ର ଦାଖଲ ବେଳେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦପ୍ତରକୁ ପଟୁଆର ସହ ଧସେଇ ପଶିପାରିବେ ନାହିଁ । ବେଳେ ବେଳେ ମିଡିଆ ପ୍ରତିନିଧିମାନଙ୍କୁ ନେଇ କିଛି ପ୍ରାର୍ଥୀ ରୁମ୍ ମଧ୍ୟକୁ ପ୍ରବେଶ କରିବାକୁ ଉସୁକାଇଥାନ୍ତି, ସେସବୁକୁ ନିଷେଧ କରିବାକୁ କୁହାଯାଇଛି । ଏଥିରେ ପ୍ରାର୍ଥୀଙ୍କ ସହ କେବଳ ଚାରି ଜଣ ବ୍ୟକ୍ତି ଯାଇପାରିବେ । ପୋଲିସ ନିର୍ବାଚନ ସମୟରେ ଦଳ ଦଳ ମଧ୍ୟରେ, ଜାତି-ଜାତି ଏବଂ ସମ୍ପ୍ରଦାୟଗୁଡିକ ମଧ୍ୟରେ ଅଯଥା ଉତେଜନା ସୃଷ୍ଟି କରୁଥିବା ତତ୍ୱ ଉପରେ ତୀକ୍ଷଣ ନଜର ରଖିବେ । ତା ଛଡା ପୋଲିସ ଅନ୍ୟଦିନ ଯଥା ଷ୍ଟ୍ରଙ୍ଗରୁମ, ଭୋଟଗଣତି କେନ୍ଦ୍ରର ସୁରକ୍ଷା, ଇଭିଏମ ପରିବହନ ପ୍ରଭୃତି କାର୍ଯ୍ୟରେ ସକ୍ରିୟ ସହଯୋଗ ପ୍ରଦାନ କରିବେ । ନିର୍ବାଚନ ସମୟରେ ଜିଲ୍ଲାସ୍ତରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ ଅତ୍ୟନ୍ତ ଜରୁରୀ ଅଟେ, ତେଣୁ ଏଥିରେ ବିଚ୍ୟୁତ ନ ହେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରୀ କରିଥିବା ବୈଠକରେ କୁହାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ଶ୍ରୀ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଲୋକଚିତ୍ର ମାଧ୍ୟମରେ ଆଦର୍ଶ ଆଚରଣ ବିଧି ସଂପର୍କରେ ବିଶଦଭାବେ ଆଲୋଚନା କରାଯାଇ ସମସ୍ତଙ୍କ ସନ୍ଦେହ ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ