କେନ୍ଦ୍ରାପଡା ଜିଲ୍ଲା ହାଇୱାଟିପ୍ପର ମାଲିକସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ହାଇୱା ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ମଙ୍ଗଳବାର ଗୋଗୁଆଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାଇ ହାଇୱା ଗାଡି ଗୁଡିକ ଜିଲ୍ଲା ପ୍ରଶାସନର ସ୍ୱିକୃତିପ୍ରାପ୍ତ ବାଲିଖାଦାନ ଲିଜଧାରୀଙ୍କ ଠାରୁ ବାଲି ବୋଝେଇକରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି ନେଇ ଯାଉଥିବା ସମୟରେ ସେମାନଙ୍କ ଗାଡି ଗୁଡିକୁ ବେଆଇନ ଭାବେ ରାସ୍ତାରେ ଅଟକାଯାଇ ପୋଲିସ, ତହସିଲଦାର ଓ ଆଂଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଜୋରିମାନା ଆଦାୟ କରାଯାଉଛି । ଯେଉଁ କାରଣ ପାଇଁ ଜୋରିମାନା ଆଦାୟ କରାଯାଉଛି ସେଥି ପାଇଁ ଗାଡିମାଲିକମାନେ ଦାୟୀ ନୁହନ୍ତି ବୋଲି ଅଭିଯୋଗ କରାଯାଇଛି । ହାଇୱା ଗାଡି ଗୁଡିକ ବାଲିଖାଦାନରେ ବାଲି ବୋଝେଇ କରିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱିକୃତିପ୍ରାପ୍ତ ବାଲିଖାଦାନ ଲିଜଧାରୀ ସେହି ଗାଡି ଗୁଡିକୁ ନିର୍ଭୁଲ ୱାଇ ଫର୍ମ ପ୍ରଦାନ କରିବା ସହ ଗାଡିରେ ବୋଝେଇ ହୋଇଥିବା ବାଲିକୁ ଓଜନକରି ସେବାବଦରେ ପ୍ରମାଣପତ୍ର ଗାଡି ଚାଳକକୁ ଦେବା ଆବଶ୍ୟକ । କିନ୍ତୁ ସଂପୃକ୍ତ ବାଲିଖାଦାନ ଲିଜଧାରୀଙ୍କ ପକ୍ଷରୁ ଗାଡିକୁ ପ୍ରଦାନ କରୁଥିବା ୱାଇଫର୍ମ ତୃଟିଯୁକ୍ତ ରହୁଥିବାରୁ ଏବଂ ଗାଡିରେ ଥିବା ବାଲିର ଓଜନ ପ୍ରମାଣପତ୍ର ନଥିବାରୁ ରାସ୍ତାରେ ସେହି ଗାଡି ଗୁଡିକୁ ପୋଲିସ, ତହସିଲଦାର ଓ ଆଂଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଅଟକାଯାଇ ଅଯଥାରେ ଓ ଅନ୍ୟାୟ ଭାବରେ ଗାଡିରୁ ଜୋରିମାନା ଆଦାୟ କରାଯାଉଛି । ଯଦି ଜିଲ୍ଲା ପ୍ରଶାସନ ଠାରୁ ଲିଜ ନେଇଥିବା ବାଲିଖାଦାନଧାରୀ ସଠିକ ୱାଇଫର୍ମ ପ୍ରଦାନ ନକରେ ଏବଂ ବୋଝେଇ ବାଲିର ପ୍ରମାଣପତ୍ର ନଦିଏ ତେବେ ଏସବୁକୁ ତଦାରଖ କରିବା ଦାୟୀତ୍ୱ ହେଉଛି ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କର । ଏଥି ନିମନ୍ତେ ଗାଡି ମାଲିକମାନେ ଦାୟୀ ନୁହନ୍ତି ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଇ ବାଲି ବୋଝେଇ ହାଇୱା ଠାରୁ ରାସ୍ତାରେ ଅଟକାଇ ବେଆଇନ ଭାବେ ଜୋରିମାନା ଆଦାୟ କରିବା ଦ୍ୱାରା ଗାଡିମାଲିକଙ୍କ ଜୀବିକା ଉପରେ ଏହାର ଗୁରୁତ୍ତର ପ୍ରଭାବ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଆଜି କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଗୋଗୁଆଛକରେ ପଟ୍ଟାମୁଣ୍ଡାଇ ତହସିଲଦାର ବେଆଇନ ଭାବେ ପ୍ରାୟ ୩୦ଟି ବାଲି ବୋଝେଇ ହାଇୱା ଗାଡିକୁ ଅଟକାଇ ଜୋରିମାନା ଆଦାୟ କରିବା ଘଟଣାକୁ ନେଇ ଗାଡିମାଲିକମାନେ ସେଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପଟ୍ଟାମୁଣ୍ଡାଇ ତହସିଲଦାର ସେଠାରୁ ଫେରିଯାଇଥିଲେ । ଏହି ଘଟଣାକୁ ନେଇ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସଙ୍ଘର ସଭାପତି ନାରାୟଣ ସ୍ୱାଇଁ ଓ ସମ୍ପାଦକ ମହେନ୍ଦ୍ର କୁମାର ମିଶ୍ର ଏକ ଦାବୀପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ନଚେତ ସେମାନେ ବାଧ୍ୟ ହୋଇ ଜୀବିକା ଓ ପରିବାରର ସୁରକ୍ଷା ଦୃଷ୍ଟିରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ କରିବାକୁ ସଙ୍ଘର ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ନିରାକାର ସାହୁ, ପ୍ରମୋଦ କୁମାର ଦାସ, ସନ୍ଦୀପ ନାୟକ, ମହମ୍ମଦ ଫାୟାଜ, ଗୋଲେଖ ଚନ୍ଦ୍ର ବଳ, ସେକ ଅବଦୁଲ ରସିଦ, ମୀଲୁ ସେଠୀ, ରଞ୍ଜନ କୁମାର ଭଳ, ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ସାହୁ, ସେକ ମସକୁର ହୋସେନ, ଚନ୍ଦ୍ରଶେଖର ସ୍ୱାଇଁ, ମାନସରଞ୍ଜନ ପଟ୍ଟନାୟକ, ନିୟାଜୁଦ୍ଦିନ ସେକ, ମହମ୍ମଦ ଫରିଦ, ସେକ ଅଫତାବ, ଶ୍ରୀଧର ଦାସ, ଦେବଦାସ ନାୟକ, ପ୍ରିତିଶ କୁମାର ବିଶ୍ୱାଳ, ସେକ ଅରମାନ, ସେକ ଲିୟାଜତ ପ୍ରମୁଖ ସଙ୍ଘର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ