ସ୍ମିଥଙ୍କୁ ପଞ୍ଚମ ଷ୍ଟମ୍ପ୍‌ ଲାଇନ୍‌ରେ ଟାର୍ଗେଟ୍ ପାଇଁ କହିଲେ ସଚିନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଷ୍ଟିଭେନ୍ ସ୍ମିଥ୍‌ ନିଶ୍ଚିତ ଭାବେ ବଡ଼ ପ୍ରତିବଂଧକ ରହିବେ। ୨ ବର୍ଷ ତଳେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଳେ ସେ ଖେଳିପାରିନଥିବାରୁ ଭାରତ ବିଜୟୀ ହୋଇଥିଲା। ବଲ୍‌ ବିକୃତ ଅଭିଯୋଗରେ ନିଲମ୍ବିତ ଥିବାରୁ ସେ ବଞ୍ଚିତ ରହିଥିଲେ। ଭରତ ବିପକ୍ଷରେ ସ୍ମିଥ୍‌ ସର୍ବଦା ଭଲ ଖେଳୁଥିବାରୁ ଏଥର ଭ୍ରମଣକାରୀ ଦଳ ତାଙ୍କ ପାଇଁ କିଛି ସ୍ବତନ୍ତ୍ର ଯୋଜନା କରିବାର ଆବଶ୍ୟକତା ରହିଛି। ଏହାକୁ ନଜରରେ ରଖି ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର କହିଛନ୍ତି ସ୍ମିଥଙ୍କୁ ଭାରତୀୟ ବୋଲରମାନେ ପଞ୍ଚମ ଷ୍ଟମ୍ପ୍‌ରେ ବୋଲିଂ କରିପାରିଲେ ଭଲ। ‘ସ୍ମିଥ୍‌ଙ୍କ ଟେକ୍‌ନିକ୍ ଅଣପାରମ୍ପରିକ, ଟେଷ୍ଟ୍‌ ମ୍ୟାଚ୍‌ରେ ଆମେ ସାଧାରଣତଃ ବୋଲରଙ୍କୁ କହିଥାଉ ଅଫଷ୍ଟମ୍ପ୍‌ କିମ୍ବା ଏହାର ପାଖାପାଖି ବଲ୍‌ ପକାଇବାକୁ। ଯାହାକି କାଳ୍ପନିକ ଚତୁର୍ଥ ଷ୍ଟମ୍ପ୍‌ ଲାଇନ୍ କୁହାଯାଇପାରିବ। କିନ୍ତୁ ସ୍ମିଥ୍‌ ସଫଲ୍ (ଆଗ ପଛ) କରି ଖେଳୁ୍‌ଥିବାରୁ ଏହି ଲାଇନ୍‌ ବି ଅଧିକ ୪/୫ ଇଞ୍ଚ୍‌ ବଢ଼ିପାରିବ। ତେଣୁକରି କାଳ୍ପନିକ ଚତୁର୍ଥ କି ପଞ୍ଚମ ଷ୍ଟମ୍ପ୍‌ ଲାଇନରେ ବୋଲିଂ କଲେ ସେ ଅସୁବିଧାରେ ପଡ଼ିପାରନ୍ତି। ଏହା କେବଳ ଏକ ମାନସିକ ସ୍ତରର ପରିବର୍ତନ ହେବ, ଅଧିକ କିଛି ନୁହେଁ’ ବୋଲି ସଚିନ କହିଛନ୍ତି। ସର୍ଟ ପିଚ୍‌ ବଲ୍‌କୁ ଖେଳିବାକୁ ସେ ପ୍ରସ୍ତୁତ ଥାଆନ୍ତି। ଅଫଷ୍ଟମ୍ପ୍‌ ଲାଇନରେ ବୋଲିଂ କଲେ ସେ ପ୍ରାରମ୍ଭିକ ତ୍ରୁଟି କରିପାରନ୍ତି ବୋଲି ସଚିନ ବିଶ୍ବାସ ରଖିଛନ୍ତି। ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବଙ୍କୁ ନେଇ ଭାରତୀୟ ବୋଲିଂ ବାହିନୀ ସନ୍ତୁଳିତ ରହିଛି। ଭାରତୀୟ ମ୍ୟାନେଜମେଣ୍ଟ୍ କିନ୍ତୁ ଜଣେ ରକ୍ଷଣାତ୍ମକ ବୋଲରଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସଚିନ କହିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ ଜିତିବାକୁ ୨୦ ୱିକେଟ୍ ନେବା ଉଚିତ୍, କିନ୍ତୁ ଏହି ୨୦ ୱିକେଟ୍ ପାଇଁ ବୋଲର ବ୍ୟୟବହୁଳ ମଧ୍ୟ ହେବା ଉଚିତ୍ ନୁହେଁ। ଆକ୍ରମଣାତ୍ମକ ସହିତ ରକ୍ଷଣାତ୍ମକ ବୋଲିଂ ମଧ୍ୟ ଆବଶ୍ୟକ। ଲଗାତାର ମେଡେନ୍ ବୋଲିଂ କଲେ ଏହା ଚାପ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି। ଆଡିଲେଡ୍‌ରେ ଖେଳାଯିବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍‌ ସମ୍ପର୍କରେ ସଚିନ କହିଥିଲେ, ପ୍ରଥମ ଅଧିବେଶନ (ଯେଉଁଟା ଅପରାହ୍ନ)ରେ ଦ୍ରୁତ ରନ୍‌ ସଂଗ୍ରହ କରିବା ଆବଶ୍ୟକ, କାରଣ ସଂଧ୍ୟା ହୋଇଯିବା ପରେ ଟ୍ବିଲାଇଟ୍‌ରେ ବଲ୍‌ ସିମିଂ କରିବା ଆରମ୍ଭ ହୋଇଯିବ। ଅଷ୍ଟ୍ରେଲିଆ ପାଇଁ ଷ୍ଟିଭେନ୍ ସ୍ମିଥ୍‌, ଡେଭିଡ୍‌ ୱାର୍ନର ଏବଂ ମାର୍ନସ ଲବୁସାନ୍‌ ନିର୍ଣ୍ଣାୟକ‌‌ ‌ହେ‌ବେ ବୋଲି ସଚିନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ