ଜାତୀୟ ରାଜପଥର ଦୁରବସ୍ଥା ନେଇ ଯଶିପୁର ବିଜେଡିର ଚେତାବନୀ
ଯଶିପୁର,(ଜିତେନ୍ଦ୍ର ରାଜ): ଦୀର୍ଘଦିନ ଧରି ଯଶିପୁର ବଜାର ଦେଇ ଯାଇଥିବା ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ଦୀର୍ଘ ନୀରବତା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଯଶିପୁର ବିଜେଡି। ରାସ୍ତାର ତୁରନ୍ତ ମରାମତି ଓ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ଦାବିରେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।
ଆଗାମୀ ୭ ଦିନ ମଧ୍ୟରେ ରାସ୍ତା ମରାମତି ନହେଲେ ରାସ୍ତାରୋକ ର ଚେତାବନୀ ଦିଆଯାଇଛି ଯଶିପୁର ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କ ନେତୃତ୍ୱରେ ଯଶିପୁର ଏନଏସି ବିଜେଡି ସଭାପତି ଶମ୍ବୁନାଥ ମହାକୁଡ଼, ଯଶିପୁର ବ୍ଲକ ସଭାପତି ଦର୍ପନାରାୟଣ ମହାନ୍ତ, ଜିଲ୍ଲାପରିଷଦ ସଦସ୍ୟା ମିନତୀ ନାଏକ, ବରିଷ୍ଠ ନେତା ବିଶ୍ଵନାଥ ସାହୁ ଙ୍କ ସମେତ ବିଜେଡି ନେତା ଓ କର୍ମୀ ଆଜି ଏକତ୍ରିତ ହୋଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଯଶିପୁର ଥାନା ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଥିବା ଯଶିପୁର ବଜାର ରାସ୍ତାର ଅବସ୍ଥା ଦିନକୁ ଦିନ ଦୟନୀୟ ହେଉଛି। ଖରା ସମୟରେ ପ୍ରବଳ ଧୂଳି ଉଡ଼ିବାରୁ ଯାତାୟାତ ପ୍ରଭାବିତ ହେଉଥିବାବେଳେ ବର୍ଷା ହେଲେ ରାସ୍ତାର ଖାଲଖମାରେ ପାଣି ଜମି ରହୁଛି। ଫଳରେ ଯାତ୍ରୀ ଓ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ଉପୁଜିବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ଦେଖିବାକୁ ମିଳିଛି। ଏକ ପ୍ରକାର ଏହି ଜାତୀୟ ରାଜପଥ ଏବେ ମରଣ ଯନ୍ତା ପାଲଟିବା ସହିତ ଯଶିପୁର ବାସୀ ବ୍ୟବସାୟୀ ଓ ବାସିନ୍ଦା ଙ୍କ ନିମନ୍ତେ ଅଭିଶାପ ପାଲଟିଛି ଯଶିପୁର ବଜାର ଅଞ୍ଚଳର ପ୍ରାୟ ୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ବେଳେ ଗାଡି ଚାଳନା ରେ ସାମାନ୍ୟ ଭୁଲ ଦୁର୍ଘଟଣା ର କାରଣ ପାଲଟୁଛି । ସେହିପରି ଟଙ୍ଗାବିଲାଠାରୁ ସିଙ୍ଗଡ଼ା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ମଧ୍ୟ ଦୀର୍ଘଦିନ ଧରି ସମାନ ରହିଥିବା ଦେଖିବାକୁ ମିଳିଛି । ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଶେଷ ହେଉନଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ଦାବିପତ୍ରରେ ରାସ୍ତାର ତୁରନ୍ତ ମରାମତି, ନିର୍ମାଣାଧୀନ ଅଂଶର କାମ ଶୀଘ୍ର ସମାପ୍ତ, ନିୟମିତ ଧୂଳି ନିୟନ୍ତ୍ରଣ ପାଇଁ ପାଣି ସିଞ୍ଚନ, ଟ୍ରାଫିକ୍ ସମସ୍ୟାର ସମାଧାନ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ଦାବିଗୁଡ଼ିକ ପ୍ରତି ତୁରନ୍ତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଯଶିପୁର ବନ୍ଦ ସହ ବଡ଼ଧରଣର ଜନଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାକୁ ନେଇ ଯଶିପୁରରେ ରାଜପଥ ସମସ୍ୟା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


