ସ୍ଥାନୀୟ ନିଯୁକ୍ତିକୁ ନେଇ ହୋଇଥିବା ଆଲୋଚନା ବିଫଳ;ଅନିଶ୍ଚିତତା ମଧ୍ୟରେ ରହିଛି ପଞ୍ଚାୟତବାସୀଙ୍କ ଭବିଷ୍ୟତ
ଯୋଡା, ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳର ଜଜାଙ୍ଗ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଜଜାଙ୍ଗ ଲୌହଖଣିରେ ବିଭିନ୍ନ ଦାବି କରି ୪ ପଞ୍ଚାୟତବାସୀଙ୍କ ସହ ଆଲୋଚନା ବିଫଳ ହୋଇଥିବା ଖବର ହସ୍ତଗତ ହୋଇଛି । ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାଏକ ଖବରଦାତାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ ସୋମବାର ଠାରୁ ୪ଟି ପଞ୍ଚାୟତ ଯଥା ଜଜାଙ୍ଗ, ଜଲହରୀ, ଜୁରୁଡି, ପଳସାର ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଜଜାଙ୍ଗ ଲୌହଖଣିରେ ସ୍ଥାନୀୟ ନିଯୁକ୍ତି,ବେକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି, ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି, ସ୍କୁଲ ବସ ଚଳାଚଳ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ପ୍ରଭୃତି ଦାବି କରି ଖଣି କମ୍ପାନୀକୁ ଅବଗତ କରିଥିଲେ । ମାତ୍ର ଖଣି କର୍ତ୍ତୃପକ୍ଷ ଅଞ୍ଚଲବାସୀଙ୍କ ଦାବିକୁ ହେଜ୍ଞାନ କରି କୌଣସି ଦାବି ପୂରଣ ନେଇ ଆଲୋଚନା କରିନଥିଲା । ଫଳରେ ଅସନ୍ତୋଷ ପଞ୍ଚାୟତବାସୀ ଏକତ୍ରିତ ହୋଇ ଖଣିର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ବଡବିଲ ଏସଡିପିଓ,ଯୋଡା ଥାନା ଆଇଆଇସି,ବାମେବାରୀ ଥାନା ଆଇଆଇସି ଘଟଣାସ୍ଥଳରେ ପହଂଚି ଧାରଣାର ନେତୃତ୍ୱ ନେଉଥିବା ୪ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ବୁଝାସୁଝା କରିଥିଲେ ଏବଂ ଏହାର ସମାଧାନ ପାଇଁ ବୁଧବାର ଆଲୋଚନା ବୈଠକ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ବୁଧବାର ଯୋଡା ଥାନାରେ ହୋଇଥିବା ଆଲୋଚନା ବୈଠକରେ ବଡବିଲ ଏସଡିପିଓ ହିଂମାଶୁ ବେହେରା, ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ, ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର ସ୍ୱାଇଁ, କମ୍ପାନୀର ୩ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଯୋଡା ବ୍ଲକ ଅଧ୍ୟକ୍ଷା ସୁକୁମାରୀ ଦେହୁରୀ, ସରପଞ୍ଚମିତା ମୁଣ୍ଡା, ସୁଜାତା ହେମ୍ବ୍ରମ, ରତ୍ନମଣୀ ନାଏକ, ନିରୂପମା ନାଏକ ଓ ସମିତି ସଭ୍ୟ ଇନ୍ଦିରା ପାତ୍ର, ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ହେଲେ କୌଣସି ଦାବି ପୂରଣ ନେଇ କୌଣସି ସମାଧାନ କିମ୍ବା ନିଷ୍ପତ୍ତି ହୋଇପାରିନଥିବା ସରପଞ୍ଚମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଏବଂ ଯେପର୍ଯ୍ୟନ୍ତ ପଞ୍ଚାୟତବାସୀଙ୍କ ଦାବି ପୂରଣ ନେଇ ଖଣି କମ୍ପାନୀ ପକ୍ଷରୁ ସ୍ପଷ୍ଟ ନିଷ୍ପତ୍ତି ନିଆନଯାଇଛି ଧାରଣାକୁ ଆଗାମୀ ଦିନରେ ଜାରି ରଖାଯିବ ବୋଲି ସେମାନେ କହିଥିଲେ । ତେଣେ ପୋଲିସ ପ୍ରଶାସନ ପକ୍ଷରୁ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ପଞ୍ଚାୟତବାସୀଙ୍କର ଦାବିକୁ ଦୃଷ୍ଟିରେ ରଖି ଆଲୋଚନା ଜାରି ରହିଛି । ଏସଂକ୍ରାନ୍ତରେ କମ୍ପାନୀ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ପ୍ରତିକ୍ରିୟା ଦେଇପାରିନଥିଲେ ।


