ଛତ୍ରପୁର ବଡ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ
ଛତ୍ରପୁର,(ଦେବଦତ୍ତ ମହାରଣା) : ଆଜି ହେଉଛି କାର୍ତ୍ତିକ ମାସର ମଳ ଦ୍ୱାଦଶୀ । ଏହି ତିଥି ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ପଡୁଥିବାରୁ ସେବାୟତ ଓ ଭକ୍ତ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ତିଥିରେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ବୀର ଯୋଦ୍ଧା ଭାବେ ସଜ୍ଜିତ ହୋଇ ନାଗାର୍ଜୁନ ବେଶରେ ଭକ୍ରମାନଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ଜଗନ୍ନାଥଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଭକ୍ତ ମଧ୍ୟ ଚାହିଁ ବସିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମରୀ ଯୋଗୁଁ ଭକ୍ତମାନେ ଭଗବାନଙ୍କ ଏହି ନାଗାର୍ଜୁନ ବେଶକୁ ଦର୍ଶନ କରିପାରୁନାହାନ୍ତି । ଏଥିପାଇଁ ଭକ୍ତଙ୍କ ମନରେ କୋଉଠି ନା କୋଉଠି କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପଟେ ଭକ୍ତର ଭଗବାନ ମଧ୍ୟ ନିଜ ଭକ୍ତଙ୍କୁ ଦର୍ଶନ ନ ଦେଇ ରତ୍ନ ସିଂହାସନରେ ବସି ରହିଛନ୍ତି । ଆଜି ଛତ୍ରପୁର ତାଡେପଲ୍ଲି ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା ନାଗାର୍ଜୁନ ବେଶ ଧାରଣ କରିଛନ୍ତି । ମନ୍ଦିର ସେବାୟତ ମାନଙ୍କ ପକ୍ଷରୁ ଶୁକ୍ରବାର ପ୍ରଭାତରୁ ଶ୍ରୀଜିଉଙ୍କୁ ନାଗାର୍ଜୁନ ବେଶରେ ସଜ୍ଜିତ କରାଯାଇଥିଲା । ସକାଳୁ ମଙ୍ଗଳ ଆଳତି ପରେ ବିଭିନ୍ନ ରିତୀନିତୀ ଅନୁଯାୟୀ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଆଜି ଛତ୍ରପୁର ବଡ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ପୁସ୍ତକକୁ ଉନ୍ମୋଚନ କରାଯାଇଛି । ଏଥିରେ ପତିତପାବନ ପରିଚାଳନା କମିଟିର ଉପଦେଷ୍ଟା ରାମଚନ୍ଦ୍ର ପଟ୍ଟନାୟକ,ସଂପାଦକ ନିରଞ୍ଜନ ତ୍ରିପାଠୀ,ସଂପାଦନା ମଣ୍ଡଳୀ ସଭ୍ୟ ଆଦିକନ୍ଦ ପାଣିଗ୍ରାହୀ, ସୁଧୀରକାନ୍ତ ରଥ, ବଟକୃଷ୍ଣ ତ୍ରିପାଠୀ, ଅଶିତ୍ କୁମାର ପଟ୍ଟନାୟକ, ମନ୍ଦିର ପରିଚାଳନା କମିଟିର ଜଗବନ୍ଧୁ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଚୌଧୂରୀ, ଦାଶରଥୀ ନେପାକ, ଭୀମସେନ ପ୍ରଧାନ, ଏନ୍ ପ୍ରଭାକର ରାଓ, ବିବେକାନନ୍ଦ ପଟ୍ଟନାୟକ, ଭାଗବତ ପ୍ରସାଦ ମହାପାତ୍ର, କୃଷ୍ଣ ଚନ୍ଦ୍ର ସାହୁ, ଭୁବନେଶ୍ୱର ପାତ୍ର, ମନୁ ସେନାପତି, କାମାକ୍ଷୀ ପ୍ରସାଦ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।


